() ପଞ୍ଚାୟତର ସମ୍ୱଳ ବଢିବାକୁ ତାଳ ଦେଇ ବଢିଚାଲିଛି ଦୁର୍ନୀତିର ରୂପରେଖ। ପଞ୍ଚାୟତକୁ ଯାହା ମିଳୁଛି ସେତିକି ଅଣ୍ଟୁନି। ଅତିରିକ୍ତ ସମ୍ୱଳର ଆବଶ୍ୟକତା ପଡୁଛି। ଅଧିକାଂଶ ପଞ୍ଚାୟତରେ ୨ ଦେଇ ୫ ଖାଇବା ନୀତି ଚାଲିଛି। ଦଳମତ ନିର୍ବିଶେଷରେ ପଞ୍ଚାୟତର ରାଜସ୍ୱ ସଂଗ୍ରହ ଓ ଏହାର ସୁପରିଚାଳନାକୁ ନେଇ ଅଙ୍ଗୁଳି ଉଠାଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପ୍ରଶ୍ନୋତ୍ତର କାଳରେ ନାକେଦମ୍ କରିଦେଇଥିଲେ।
୬,୭୯୮ ପଞ୍ଚାୟତରୁ ୨,୨୬୯ ପଞ୍ଚାୟତ ନିଜର ଆୟ ବୃଦ୍ଧି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ସରକାରୀ ଅନୁଦାନ ଓ ସାହାଯ୍ୟ ପାଇବା ବ୍ୟତୀତ ନିଜେ ଅତିରିକ୍ତ ସମ୍ୱଳ ସଂଗ୍ରହ କରି ବିକାଶମୂଳକ କାମରେ ଖର୍ଚ୍ଚ କରୁଛନ୍ତି। ପ୍ରଶ୍ନୋତ୍ତର କାଳରେ ପଞ୍ଚାୟତିରାଜ ମନ୍ତ୍ରୀ ଏଭଳି ଉତ୍ତର ରଖିଥିବାରୁ ପଞ୍ଚାୟତ କେମିତି ଦୁର୍ନୀତିର ଗନ୍ତାଘର ପାଲଟିଲାଣି, ତାକୁ ନେଇ ଗୋଟି ଗୋଟି ତଥ୍ୟ ଥୋଇଥିଲେ ଦଳମତ ନିର୍ବିଶେଷରେ ଅନେକ ସଭ୍ୟ। କେନ୍ଦୁଝର ଘସିପୁରା ବ୍ଲକ ମୋକୁନ୍ଦପାଟଣାର ଜିଆରଏସ ଓ ତାଙ୍କ ସ୍ୱାମୀ କୋଟି କୋଟି ଅର୍ଥ ହେରଫେରରେ ମାତିଛନ୍ତି। ମନଇଛା ଆୟ ଆଉ ମନଇଛା ଖର୍ଚ୍ଚ ଚାଲିଛି। ୨ହଜାର ଦେଇ ୫ହଜାର ମାରି ଖାଉଛନ୍ତି ବୋଲି ବିଧାୟକ ବଦ୍ରି ପାତ୍ର ସଙ୍ଗୀନ ଅଭିଯୋଗ ଆଣିଥିଲେ। ଆୟବ୍ୟୟର ଅଡିଟ ହେଉନି। ବାହିନୀପତି କହିଥିଲେ, ପଞ୍ଚାୟତ ପିସିର ପେଣ୍ଠସ୍ଥଳୀ ପାଲଟିଛି। ଆଉ କିଏ କହିଥିଲା, ଚାଉଳ ଯୋଗାଣରେ ଦୁର୍ନୀତି କରି ପଞ୍ଚାୟତ କର୍ମଚାରୀ ନିଲମ୍ୱିତ ହେଲେଣି ବର୍ଷେ ହେଲା। ହେଲେ ସେମାନଙ୍କ ଦୋଷ ଲାଗି ବର୍ଷେ ହେଲା ଚାଉଳ ପାଉନାହାନ୍ତି ଲୋକେ।
କେବଳ ଏତିକି ନୁହେଁ, ପଞ୍ଚାୟତର ଆର୍ଥିକ କ୍ଷମତା ବଢାଇବା ସହ ଲଘୁ ବନଜାତଦ୍ରବ୍ୟ ଉପରେ ଟିକସ ବସାଇବାକୁ ଅନେକ ଦାବି କରିଥିଲେ। ଅନେକ ଅନୁଷ୍ଠାନ ପଞ୍ଚାୟତରେ ଥିଲେ ବି ସେମାନେ ଟଙ୍କାଟିଏ ବି ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଦେଉନାହାନ୍ତି ବୋଲି ଅନେକ ସଭ୍ୟ ଉଦବେଗ ପ୍ରକାଶ କରିଥିଲେ। ଏ ସବୁକୁ ଦେଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ପଞ୍ଚାୟତ ଆୟବ୍ୟୟର ଅଡିଟ୍ ହେବ। ଅର୍ଥ ସୁପରିଚାଳନା ପାଇଁ ଅନଲାଇନ ପୋର୍ଟାଲର ବ୍ୟବସ୍ଥା ହୋଇଛି। ଇ-ପଞ୍ଚାୟତ ସଭା ପୋର୍ଟାଲରେ ପଞ୍ଚାୟତ ବୈଠକର ବିବରଣୀ, ଆୟବ୍ୟୟ ସମ୍ୱନ୍ଧୀୟ ତଥ୍ୟ ଉପଲବ୍ଧ ରହିବ।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now