ପୋଲାଭରମ ପ୍ରୋଜେକ୍ଟକୁ ନେଇ ପଲିଟିକ୍ସ..

ଅକ୍ଟୋବର ୨୦୨୬ ସୁଦ୍ଧା ସରିବ ପୋଲାଭରମ ପ୍ରୋଜେକ୍ଟ। ପୋଲାଭରମ ପ୍ରକଳ୍ପ ପରିଦର୍ଶନ କରି ସୋମବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଡେଟ୍‌ଲାଇନ ଫିକ୍ସ  କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ପୁଣି ଘମାସାନ ହୋଇଛି। କାମ କେତେଦୂର ଆଗେଇଲାଣି, ତାକୁ ସୋମବାର ଅନୁଧ୍ୟାନ କରିଥିଲେ ନାଇଡ଼ୁ। ଫେଜ୍- ଓ୍ୱାନରେ ଏହାର ଉଚ୍ଚତା ୪୧.୧୫ ମିଟର ଓ ଫେଜ୍ ଟୁ-ରେ ଏହାର ଉଚ୍ଚତା ୪୫.୭୨ ମିଟର ହେବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନାଇଡ଼ୁ। ଆନ୍ଧ୍ରପ୍ରଦେଶ ରାଜ୍ୟ ପୁନର୍ଗଠନ ଆକ୍ଟ ୨୦୧୪ ଅନୁସାରେ ପୋଲାଭରମର ଉଚ୍ଚତା ୪୫.୭୨ ମିଟର ହେବ। ଏଥିଲାଗି ଆନ୍ଧ୍ର ଫାଇଟ୍ କରିବ। କେନ୍ଦ୍ରକୁ ଚିଠି ଲେଖିବେ ନାଇଡ଼ୁ। କେନ୍ଦ୍ର ସରକାର ଫେଜ୍ ଓ୍ୱାନ ଲାଗି ୧୨ହଜାର୧୫୭ କୋଟି ଟଙ୍କା ମଞ୍ଜୁର କରିଛି। ଏଥିରୁ ୨ହଜାର୩୪୦ କୋଟି ରିଲିଜ୍ ହୋଇଛି। ପ୍ରକଳ୍ପ ପାଇଁ ନୂଆ ଡିଆଫ୍ରାଗ୍ରାମ ଓ୍ୱାଲ୍ ଜାନୁଆରୀ ୨୦୨୫ରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ରେ ସରିବ। ରିହାବିଲିଟେସନ ଓ ରିସେଟଲମେଣ୍ଟ କାମ ୨୦୨୬ ସୁଦ୍ଧା ସରିବ। କେନ୍ଦ୍ର ସରକାର, ସିଡବ୍ଲୁସି, ପୋଲାଭରମ ପ୍ରୋଜେକ୍ଟ ଅଥୋରିଟି ଓ ବିଶେଷଜ୍ଞ ଦଳ ଏ ନେଇ ସବୁଜ ସଙ୍କେତ ଦେଇଥିବା କହିଛନ୍ତି ନାଇଡ଼ୁ। ମୋଟୁରୁ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏ ପୋଲାଭରମ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିସାରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ବିଜେଡିର ୭ଜଣିଆ ଟିମ୍ ଓ ୭ ସାଂସଦ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, ସିଡବ୍ଲୁସି, ଆଦିବାସୀ କଲ୍ୟାଣ କମିଶନଙ୍କୁ ଭେଟି ଫେରାଦ୍ ହୋଇଥିଲା। ପୋଲାଭରମ ହେଲେ ମାଲକାନଗିରିର ବିସ୍ତୃତ ଅଞ୍ଚଳ ଜଳମଗ୍ନ ହେବ। କଂଗ୍ରେସ କହିଛି, ମୋଦି ସରକାର ନାଇଡୁଙ୍କ ସମର୍ଥନରେ କେନ୍ଦ୍ରରେ ରହିଛି। ଆନ୍ଧ୍ର ସ୍ୱାର୍ଥ ବଦଳରେ ଓଡ଼ିଶାର ସ୍ୱାର୍ଥକୁ ମୋଦି ଚାହିଁବେ ବୋଲି ଆଶା ନାହିଁ। ଡବଲ ଇଞ୍ଜିନ ସରକାର ଥାଇ ବି ଓଡ଼ିଶାର ସ୍ୱାର୍ଥ ରକ୍ଷା ସମ୍ଭବପର ଲାଗୁନି। ମାଲକାନଗିରିର ଦୁଇ ଶହରୁ ଅଧିକ ଗାଁ ଜଳମଗ୍ନ ହେବ। ଆଇନ ମନ୍ତ୍ରୀ କହିଛନ୍ତି, ଅତୀତ ସରକାରର ଭୁଲ୍ ଓ ଅବହେଳା ଫର୍ଦ୍ଦର ପୁନରାବୃତ୍ତି କରିବାକୁ ଦେବେନି ମୋହନ ସରକାର। ମହାନଦୀ ହେଉ ଅବା ପୋଲାଭରମ। ନ୍ୟାୟିକ ଲଢ଼େଇ ଜାରି ରହିଛି। ଓଡ଼ିଶାର ସ୍ୱାର୍ଥରକ୍ଷା ଦିଗରେ ଲଢ଼େଇ ହେବ। ପୋଲାଭରମ ପ୍ରକଳ୍ପକୁ ନେଇ ପଲିଟିକ୍ସ ଗୋଟିଏ ପଟେ ତେଜୁଥିଲା ବେଳେ ସେପଟେ ନ୍ୟାୟିକ ଲଢ଼େଇରେ ଓଡ଼ିଶା କେତେଦୂର ଜିତିବ, ତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *