ମିଶନ ଶକ୍ତିକୁ ନେଇ ଟଣା ଓଟରା

Spread the love

ଭୁବନେଶ୍ବର:  ପୁଣି ଆରମ୍ଭ ହୋଇଯାଇଛି ବିଜେଡି-ବିଜେପି ମଧ୍ୟରେ ଶ୍ରେୟ ରାଜନୀତି । ଏଥର ପ୍ରସଙ୍ଗରେ ମହିଳା ଭୋଟର। କାରଣ ସୋମବାର ମିଶନ ଶକ୍ତି ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ୧୨୫ କୋଟି ଟଙ୍କାର ସୁଧ ରିହାତି ଘୋଷଣା କଲେ । ହେଲେ ଏହି ଅର୍ଥର ସିଂହ ଭାଗ କେନ୍ଦ୍ର ସରକାର ଦେଉଥିବା ଅଭିଯୋଗ କରିଛି ବିଜେପି । ଏବଂ ରାଜ୍ୟ ସରକାର ବାରମ୍ୱାର କେନ୍ଦ୍ର ଯୋଜନାକୁ ହାଇଜାକ କରିବାକୁ ଅପଚେଷ୍ଟା କରୁଥିବା ଦଳ କହିଛି । ଯେଉଁ ଅଭିଯୋଗର କଡା ଜବାବ ରଖିଛି ଶାସକ ଦଳ । ଏପଟେ କଂଗ୍ରେସ କହିଛି, ମହିଳାଙ୍କୁ ନେଇ ରାଜନୀତି କରିବା ଉଚିତ ହେଉନି ।

୨୦୧୯ରେ ବିଜେଡିରେ ଅଜାଡି ହୋଇଯାଇଥିଲା ମହିଳା ଭୋଟ । ପିଠା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଡି ବିଜେଡି ପାଇଥିଲା ସଫଳତା । ଆଉ ୨୪ ନିର୍ବାଚନ ବହୁ ପୂର୍ବରୁ ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି ଦେଇ ପୁଣି ବିଜେଡି ଖେଳିଛି ମହିଳା କାର୍ଡ । ଯାହାକୁ ଦେଖି ଚିହିଁକି ଉଠିଛି ରାଜ୍ୟ ବିଜେପି । ଏହାସହ ପୁଣି ଥରେ ଆରମ୍ଭ ହୋଇଯାଇଛି କେନ୍ଦ୍ର-ରାଜ୍ୟ କଳି । ଛାତିରେ ହାତ ବାଡେଇ କେନ୍ଦ୍ର ମହିଳାଙ୍କୁ ଦେଉଥିବା ସହାୟତାର କଡାଗଣ୍ଡା ହିସାବ ଦେଇଛି ବିଜେପି ମହିଳା ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଦେଉଛି । ସୋମବାର ପ୍ରଦାନ କରାଯାଇଥିବା ୧୨୫ କୋଟି ଟଙ୍କାର ସୁଧ ରିହାତିରୁ କେନ୍ଦ୍ରର ୮୮ କୋଟି ରହିଛି। ମାତ୍ର ୩୭ କୋଟି ଛାଡ଼ କରି ବିଜେଡ଼ି ଶ୍ରେୟ ନେବାର ହିନ ରାଜନୀତି କରୁଥିବା ବିଜେପି କହିଛି । ଏହା ୭ ଲକ୍ଷ ନୁହେଁ ବରଂ ୮୫ ହଜାର ଏସଏଚଜି କାମରେ ନିୟୋଜିତ ଥିବା ବେଳେ ୫୯ ହଜାର ୪୯୪ ଏସଏଚଜି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ବିଜେପି ତଥ୍ୟ ରଖିଛି। ଏହି ତଥ୍ୟକୁ ନେଇ ପ୍ରତ୍ୟେକ ଗାଁକୁ ଯିବାକୁ ଦଳ ଯୋଜନା କରୁଛି ।

ସେପଟେ ମହିଳାଙ୍କୁ ସମାଜର ମୁଖ୍ୟଶ୍ରୋତକୁ ଆଣିବା ବିଜୁବାବୁଙ୍କ ସ୍ୱପ୍ନଥିଲା । ତେଣୁ ବିଧାନସଭାରୁ ସଂସଦ ପର୍ଯ୍ୟନ୍ତ ସବୁଠି ମହିଳାଙ୍କୁ ତାଙ୍କ ଭାଗର ହକ୍‌ ଦେବାକୁ ବିଜେଡି ଲଢେଇ କରୁଛି । ମହିଳାଙ୍କ ଉନ୍ନତିକୁ ବିରୋଧି ସହି ନ ପାରି ମିଛ ଅଭିଯୋଗ ଆଣୁଛନ୍ତି ବୋଲି ବିଜେଡି କହିଛି । ଏପଟେ ମହିଳାମାନେ ସ୍ୱାବଲମ୍ୱୀ ହେବା ରାଜ୍ୟ ପାଇଁ ଶୁଭଙ୍କର କହିଛି କଂଗ୍ରେସ । ହେଲେ ତାଙ୍କୁ ନେଇ ବିଜେଡି ଓ ବିଜେପି ଯେମିତି ରାଜନୀତି କରୁଛନ୍ତି ତାହା ମା’ ମାନଙ୍କ ଅପମାନ ବୋଲି ଦଳ କହିଛି ।

ତେବେ ପୂର୍ବରୁ ରେଳ, ମାଗଣା ଚାଉଳ, ଆବାସ, ଆମ୍ୱୁଲାନ୍ସ, ରାଉରକେଲାକୁ ଵିମାନ ଉଡାଣ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇସାରିଛନ୍ତି । ଆଉ ଏହି ବିବାଦରେ ଏବେ ଯୋଡି ହୋଇଯାଇଛି ମିଶନ ଶକ୍ତି ପ୍ରସଙ୍ଗ ।  ୨୦୧୯ରେ ଅଧିକାଂଶ ମହିଳା ଭୋଟ ବିଜେଡି ଖାତାକୁ ଯାଇଥିବା ବେଳେ ୨୪ରେ ବିଜେପି ମଧ୍ୟ ମହିଳା ଭୋଟକୁ ହାତଛଡା କରିବାକୁ ଚାହୁଁନାହିଁ ।  

ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *