ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପ୍ରଥମ ଦିନରେ ଶ୍ରୀମନ୍ଦିର ସିଂହଦ୍ୱାର ୫ଟା ୪୦ ମିନିଟରେ ଖୋଲି କାର୍ତ୍ତିକ ନୀତି ସୁରୁଖୁରୁରେ ଆରମ୍ଭ ହୋଇଛି ।
ଆଜି ହେଉଛି ପବିତ୍ର ଆଶ୍ୱିନ ଶୁକ୍ଲ ଏକାଦଶୀ। ଆଜିଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ଲାଗି ହୁଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କ ନାମ ଦାମୋଦର ହୋଇଥିବାରୁ ବେଶର ଏଭଳି ନାମକରଣ କରାଯାଇଛି। କାର୍ତ୍ତିକ ମାସରେ ରାତ୍ର ଦୁଇ ଘଡି ଥାଇ ଆଳତି ଅବକାଶ ସରି ତା ପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି। ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ, କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ। ଏହି ସ୍ମୁତିରେ ଶ୍ରୀଜୀଉଙ୍କ କାର୍ତିକ ନୀତି ଆରମ୍ଭ ହୋଇଛି। ତେବେ ଶ୍ରୀଜୀଉ ଏହି ବେଶରେ ତିନୋଟି ସୁବର୍ଣ୍ଣ ଘାଗଡା, ତିନୋଟି କଟି ଓଡିଆଣି-, ଚନ୍ଦ୍ରସୁର୍ଯ୍ୟ ମସ୍ତକରେ ତିନୋଟି , ଚନ୍ଦ୍ରିକା ତ୍ରିମୁଣ୍ତି ଚୂଳର ଅଗ୍ରଭାଗରେ -ଦୁଇ, ତିଳକ ଦୁଇ, ନଳୀଭୂଜ ହସ୍ତରେ-ଚାରି, କୁଣ୍ତଳ-ଚାରି, ତଡଗି-ଦୁଇ,ଆଦି ବିଭିନ୍ନ ଅଳଙ୍କାର ପରିଧାନ କରିଥାନ୍ତି ।
ସେହିପରି କୋଭିଡ ଯୋଗୁ ଦୀର୍ଘ ଦୁଇ ବର୍ଷ ହେବ ଶ୍ରୀ ମନ୍ଦିରରେ କେବଳ ଶ୍ରୀଜୀଉଙ୍କ କାର୍ତ୍ତିକ ନୀତି କରାଯାଉଥିବା ବେଳେ ଭକ୍ତଙ୍କ ଆଗମନ ନଥିଲା। ଚଳିତ ବର୍ଷ କୋଭିଡ କଟକଣା ହଟିଥିବାରୁ କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ଜମିବା ଆଶା କରାଯାଉଛି। ଆସନ୍ତା ଅକ୍ଟୋବର୧୦ ତାରିଖଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଉଥିବା ବେଳେ ଏବେଠାରୁ ପୁରୀରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ହବିଷ୍ୟାଳି ଶିବିର ଲାଗି ମଧ୍ୟ ଅଢେଇ ହଜାରରୁ ଉର୍ଦ୍ଧ୍ୱ ହବିଷ୍ୟାଳି ରେଜିଷ୍ଟ୍ରେସନ କରିସାରିଲେଣି। ତେବେ ଚଳିତ ବର୍ଷ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀ କ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ କରିବା ଲାଗି ବେଶ ଉତ୍ସାହିତ ଅଛନ୍ତି ହବିଷ୍ୟାଳି।
କାର୍ତ୍ତିକ ପଞ୍ଚୁକ ସମୟରେ ଶ୍ରୀଜୀଉ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଟି ବେଶ,ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ, ଓ ରାଜରେଜେଶ୍ୱର ବେଶ ଦର୍ଶନ ଦିଅନ୍ତି।
ପିଣ୍ଟୁ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now