ମହାମହିମଙ୍କ ପାଇଁ ଉତ୍ସବ ମୁଖର ରାଜଧାନୀ

Spread the love

() ରାଜଧାନୀ ଭୁବନେଶ୍ୱରରେ ମହାମହିମ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଦୁଇ ଦିନିଆ ଓଡିଶା ଗସ୍ତରେ ଆଜି ଆସିଥିବା  ବେଳେ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନ ପ୍ରତିଷ୍ଠା ଦିବସରେ  ଯୋଗ ଦେବା ସହ  ରମାଦେବୀ ମହିଳା  ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ମଧ୍ୟ  ଯୋଗ ଦେଇଥିଲେ l ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା  ପାଇଁ ଉତ୍ସବମୁଖର ହୋଇ ଉଠିଥିଲା  ରାଜଧାନୀ l

ସମୟ ସକାଳ 11 ଟା । ବିମାନ ବନ୍ଦର ପରିସରରେ ଧୀରେ ଧୀରେ  ବଢିଥିଲା  ଭିଡ଼ l ବାଜୁଥିଲା  ବାଜା ଆଉ ତାଳେ ତାଳେ ଚାଲିଥିଲା ଘୋଡାନାଚ ସାଙ୍ଗକୁ ଆଦିବାସୀ ନାଚ l କେହି ସଜାଇ ହୋଇଥିଲେ ରାଧାକୃଷ୍ଣ ବେଶରେ ତ କାହା ହାତରେ ଥିଲା ଚିକ ମିକ କାଗଜରେ ତିଆରି ରିବନ। ଏମିତି କି ଶହ ଶହ ଲୋକଙ୍କ ହାତରେ ଥିଲା ଜାତୀୟ ପତାକା l ସତେ  ଯେମିତି ଦୁଲୁକୁଥିଲା ପୁରା ବିମାନବନ୍ଦର l ଠିକ 11ଟା 45 ରେ ପହଂଚିଥିଲେ  ମାଡାମ ପ୍ରେସିଡେଣ୍ଟ l ଆଉ ପ୍ରୋଟୋକଲ ଅନୁଯାଇ ବିମାନବନ୍ଦରରୁ  ବାହାରିଥିଲେ ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନ ପ୍ରତିଷ୍ଠା ଦିବସରେ  ଯୋଗ ଦେବା ଅଭିମୁଖେ l ଉତ୍କଳ ମଣ୍ଡପ ରେ ମଧ୍ୟ ଦେଖିବାକୁ  ମିଳିଥିଲା ଜନ ସମାଗମ l ଓଡିଶା ମାଟିର  ଗୌରବ ତଥା  ମାଟିର ଝିଅକୁ ଥରେ ପାଖରୁ ଦେଖିବାକୁ ରାସ୍ତା ଉପରେ  ଅପେକ୍ଷା କରି ରହିଥିଲେ  ସମସ୍ତେ lଆଉ କେହି କେହି ପାସ ଥିବା ସତ୍ବେ ମଧ୍ୟ ବିଳମ୍ବରେ ଆସିବାରୁ ଆଉ ଭିତରକୁ ଯାଇ ପାରି ନଥିଲେ।ଏମିତିକି ଜଣେ ୮୦ ବର୍ଷର ବୃଦ୍ଧ ମହାମହିମଙ୍କୁ ଦେଖି ଆର୍ଶିବାଦ ଦେବାକୁ  ଟାଣ ଖରାକୁ ବେଖାତିର କରି ଛିଡା ହୋଇ ରହିଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା।l ଅନ୍ୟପଟେ ସିକ୍ୟୁରିଟି ବ୍ୟବସ୍ଥା କୁ ନେଇ ଦେଖା ଦେଇଥିଲା  ଅସନ୍ତୋଷ l 11.30 ପରେ ପାସ ଥିଲେ  ମଧ୍ୟ ଛଡା ଯାଉ ନ ଥିଲା ଭିତରକୁ.. ଯାହାକୁ ନେଇ ବର୍ଷିଥିଲେ ଜଣେ ପୂର୍ବତନ ଆର୍ମି ଅଫିସର l

ଅପରାହ୍ନ 3.55 ରେ ରାଷ୍ଟ୍ରପତି ପହଂଚିଥିଲେ ରମାଦେବୀ ମହିଳା  ବିଶ୍ୱବିଦ୍ୟାଳୟରେ l ବିଶ୍ଵବିଦ୍ୟାଳୟ ସମୁଖରେ ଲାଗିଥିଲା ପ୍ରଶଂସକଙ୍କ ଭିଡ l ଜସୱନ୍ତ ମଲିକ ନାମକ ଜଣେ ଯୁବକ ସୁଦୂର ଯାଜପୁରରୁ ଧାନରେ କୋଣାର୍କର ଏକ ପ୍ରତିମୂର୍ତ୍ତି କରି ମହାମହିମ ରାଷ୍ଟ୍ରପତିଙ୍କୁ ଉପହାର ଦେବାପାଇଁ ଆଣିଥିବା ବେଳେ ଅନ୍ୟପଟେ କୁନି କୁନି ଛାତ୍ରୀ ମାନେ ମଧ୍ୟ ବିଭିନ୍ନ ପ୍ରତିଛବି ଓ କବିତା ପ୍ରସ୍ତୁତ କରିଥିଲେ ପ୍ରିୟ ରାଷ୍ଟ୍ରପତି ମାଡାମଙ୍କ ପାଇଁ l ଅନ୍ୟପଟେ ଉତ୍କଲ ମଣ୍ଡପଠୁ  ଆରମ୍ଭ  କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଉପରେ  ଦେଖିବାକୁ  ମିଳିଥିଲା  ଗଣମାଧ୍ୟମ ପ୍ରତିନିଧି ଙ୍କ ଭିଡ଼ l ଖବର  ସଂଗ୍ରହ ପାଇଁ ଆସିଥିଲେ  ମଧ୍ୟ  ଭିତରକୁ  ଯିବାକୁ ମିଳିନଥିଲା  ଅନୁମତି l ଯାହାଫଳରେ ବାହାରେ ହିଁ ଅପେକ୍ଷା କରି ରହିଥିଲେ ସାମ୍ବାଦିକ। ଆଉ  ଭିତରକୁ ନ ଛଡା ଯିବାର କାରଣ ବାବଦରେ ପଚାରିବାରୁ ଅଧିକୃତ ବ୍ୟକ୍ତି ଙ୍କୁ ପଚରା ଯାଉ ବୋଲି ପ୍ରତିକ୍ରିୟା ରଖିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଓଡ଼ିଶାର ଝିଅ ତଥା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଏହା ଥିଲା  ଦ୍ୱିତୀୟ ଓଡିଶା ଗସ୍ତl ମହିଳା  ହୋଇ ମହିଳାଙ୍କ ପାଇଁ ଜାଗରଣ ସୃଷ୍ଟି କରିବାକୁ  ଆହ୍ୱାନ ଦେବା ସହ ନିଜ କଲେଜରେ ପୁରୁଣା ସ୍ମୃତିକୁ ନେଇ ବେଶ   ଭାବିବିହ୍ଵଳ ହୋଇ ପଡୁଥିଲେ। l ଆଉ  ରାଜଭବନ  ଫେରିବା ସମୟରେ  ନିଜ ମାଟିର ଲୋକଙ୍କୁ  ହାତ ହଲାଇ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ l

ଜ୍ୟୋତି ମଞ୍ଜରୀ  ଓ ନବକିଶୋର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *