ରମାଦେବୀରେ ମହାମହିମ

Spread the love

() ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି। ବେଶ୍ ଭାବବିହ୍ୱଳ ସହ କିଭଳି ଏହି ଅନୁଷ୍ଠାନର କାନ୍ଥ ମୂକସାକ୍ଷୀ ସାଜି ତାଙ୍କୁ ଆଜି ଆହ୍ୱାନ କରିଛି, ସେ କଥାର ଅବତାରଣା କରିଥିଲେ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ୪ ଜଣଙ୍କୁ ସମ୍ମାନସୂଚକ ଉପାଧି, ୨୨ ଜଣଙ୍କୁ ସ୍ୱର୍ଣ୍ଣପଦକ ସହ ୨ ଜଣଙ୍କୁ ପିଏଚଡ଼ି ଉପାଧି ପ୍ରଦାନ କରାଯାଇଛି।

ରମାଦେବୀରେ ରାଷ୍ଟ୍ରପତି। ଦିନେ ଯେଉଁଠି ପଢିଥିଲେ, ତାହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହାର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ୍ ହୋଇଥିଲେ ମହାମହିମ। ୪୦ ବର୍ଷ ତଳେ ଏଠି ପଢ଼ୁଥିବାର ପୁରୁଣା ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହୋଇଯାଇଥିଲେ। ଗରିବ ଚାଷୀର ଝିଅଠୁ ମୁଖ୍ୟମନ୍ତ୍ରୀଙ୍କ ଝିଅ ଯାଏ, ସମସ୍ତେ ଏକାଠି ପଢୁଥିଲୁ ବୋଲି କହିଥିଲେ। ସେଦିନର ସୁଗନ୍ଧ ଓ ମହକ ଏବେ ବି ବାରିପାରୁଛି ବୋଲି କହିଛନ୍ତି ମହାମହିମ। ଆରଡ଼ିର ଛାତ୍ରୀ ଭାବେ ଗର୍ବିତ। ଆର୍ଥିକ ସ୍ଥିତି ଖରାପ ଲାଗି କ୍ୟାଣ୍ଟିନରେ ନ ଖାଇ ବାହାରେ ଠେଲାରୁ ଖାଇ ଚାଲିଯାଉଥିଲି। ତାଙ୍କ ଜୀବନରେ ମାଆ ରମାଦେବୀ ପ୍ରେରଣାର ଉତ୍ସ। ନିଜ ଭିତରେ ଥିବା ଶକ୍ତି, ସାମର୍ଥ୍ୟକୁ ଚିହ୍ନିବାକୁ ପରାମର୍ଶ ଦେଇଛନ୍ତି ମହାମହିମ। ମହିଳା ସଶକ୍ତିକରଣର ପ୍ରତୀକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ କିଛି ଏମିତି ଢଙ୍ଗରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ରାଷ୍ଟ୍ରପତି।

ସେପଟେ ରାଷ୍ଟ୍ରପତିଙ୍କୁ ପାଖରେ ପାଇ ବିଶ୍ୱବିଦ୍ୟାଳୟର ଛାତ୍ରୀ ବେଶ୍ ଖୁସି ଜାହିର କରିଥିଲେ। ଏହି ଅବସରରେ ୪ ଜଣଙ୍କୁ ସମ୍ମାନସୂଚକ ଉପାଧି, ୨୨ ଜଣଙ୍କୁ ସ୍ୱର୍ଣ୍ଣପଦକ ଓ ୨ ଜଣଙ୍କୁ ପିଏଚଡି ଉପାଧି ଦିଆଯାଇଛି। ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରମୁଖ ସମାବର୍ତ୍ତନ ଉତ୍ସବରେ ମନ୍ତବ୍ୟ ରଖିଥିଲେ।

ରମାଦେବୀ ନାରୀ ସଶକ୍ତିକରଣର ପ୍ରତୀକ ସାଜିଛି। ଏହାର ସମାବର୍ତ୍ତନ ସମାରୋହରେ ମହାମହିମ କେବଳ ସାମିଲ୍ ହେଲେନି। ନିଜର ମହାନତା ଦେଖାଇବା ସହ ସଂଘର୍ଷରୁ ସଫଳତା ପାଇବାର ମାର୍ଗ ଓ ପ୍ରେରଣାର ଉତ୍ସ କେମିତି ପାଲଟିଛି ଏହି ଅନୁଷ୍ଠାନ, ତାହାର ଅବତାରଣା କରିଛନ୍ତି।

ଭୁବନେଶ୍ୱରରୁ ଜ୍ୟୋତିମଞ୍ଜରୀ ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *