ପ୍ରଫେସର ସୁଧାକର ପଣ୍ଡା ପାଇବେ ‘ବିଜୁ ପଟ୍ଟନାୟକ ପୁରସ୍କାର’

Spread the love

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମ୍‌ଏମ୍‌ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନ୍‌ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ । ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନ୍‌ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଂଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯିବ । ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ । ଯୁବବୈଜ୍ଞାନିକ ପୁରସ୍କାର ଓ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ । ଉପରୋକ୍ତ ବୈଜ୍ଞାନିକମାନଙ୍କୁ ନିକଟ ଭବିଷ୍ୟତରେ ଏକ ରାଜ୍ୟସ୍ତରୀୟ ସମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ।

Leave a Reply

Your email address will not be published. Required fields are marked *