ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଜନ ଶୁଣାଣୀ

Spread the love

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଙ୍କେତ ମିଳିଥିବାରୁ ବେସରକାରୀ ଜମି ଅଧିଗ୍ରହଣ ନିମିତ ଧାରା ୫ ଅନୁସାରେ ଜନଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା । ସିପସୁରୁ ବୁଲି ଗ୍ରାମ ୧୩୩ କେଭି ଗ୍ରୀଡ ଷ୍ଟେସନ ନିକଟ ପଡିଆ ଠାରେ ଅନୁଷ୍ଠିତ ଏହି ଜନ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ବିମାନ ବନ୍ଦର ପ୍ରତିଷ୍ଠା ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ପର୍ଯ୍ୟଟନ ପାଇଁ ଦେଶ ବିଦେଶରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ବଢିବ । ଏହାଦ୍ୱାରା ଅର୍ଥନୈତିକ ଅଗ୍ରଗତି, ରୋଜଗାରକ୍ଷମ ବୃଦ୍ଧି ଓ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁ ବିମାନ ବନ୍ଦର ପ୍ରତିଷ୍ଠା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁବିଧା ମିଳିବ । ସ୍ଥାନୀୟ ଲୋକ ମାନଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁବିଧା ମିଳିବ । କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ । ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ଭୂ ଅର୍ଜନ ଅଧିକାରୀ ନିରଞ୍ଜନ ବାରିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିମାନ ବନ୍ଦର ପାଇଁ ମୋଟ ୧୧୬୪.୮୩୬ ଏକର ଜମିର ଆବଶ୍ୟକତା ଥିବା ବେଳେ ସେଥି ମଧ୍ୟରୁ ସିପସୁରୁବୁଲି ଗ୍ରାମର ୧୫୩.୩୭୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବାର ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ଏସଆଇଏ ୟୁନିଟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଅନୁଷ୍ଠାନ ପ୍ରସ୍ତୁତ କରିଥିବା ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ଉପସ୍ଥାପନ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଡେପୁଟି ଆଡମିନିଷ୍ଟ୍ରେଟର ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ନିର୍ଦ୍ଦେଶ ପ୍ରତିନିଧି ଗିରିଧାରୀ ପଟ୍ଟନାୟକ, ବାଣିଜ୍ୟ ପରିବହନ ବିଭାଗ ଭୂ ଅର୍ଜନ ଅଧିକାରୀ ଉମାକାନ୍ତ ବାରିକ, ବ୍ରହ୍ମଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ସମିତି ସଭ୍ୟ ଜିତେନ୍ଦ୍ର ବେହେରା, ନାଏବ ସରପଞ୍ଚ କଲ୍ୟାଣୀ ଭୋଇ ପ୍ରମୁଖ ଯୋଗଦେଇ ମତାମତ ପ୍ରଦାନ କରିଥିଲେ । ଉପସ୍ଥିତ ଜନସାଧାରଣ ମଧ୍ୟ ସେମାନଙ୍କ ସକରାତ୍ମକ ମତାମତ ପ୍ରଦାନ କରି ବିମାନ ବନ୍ଦରକୁ ସ୍ୱାଗତ ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *