ବୋରିଗୁମ୍ମା NAC ପାଇଁ କେଉଁଠି ଅଡ଼ୁଆ?

() ସ୍ବପ୍ନରେ ରହିଛି ବୋରିଗୁମ୍ମାକୁ ଏନଏସି ମାନ୍ୟତା ଘୋଷଣା । ବୋରିଗୁମ୍ମାରେ NAC ରେ ଆବଶ୍ୟକତା ଠାରୁ ଦୁଇଗୁଣ ହେଲାଣି ଜନସଂଖ୍ୟା । ନିର୍ବାଚନ ସମୟରେ ନେତାମାନେ ବହୁ ପ୍ରତିଶ୍ରୁତି ଦିଅନ୍ତି । ହେଲେ ନିର୍ବାଚନ ସରିଗଲେ ସବୁ ଭୁଲି ଯାଆନ୍ତି । ବୋରିଗୁମ୍ମାକୁ NAC ମାନ୍ୟତା ଦାବି ପୁଣି ତେଜିଲେଣି । ଏଥର ଆର ପାର ର ଲଢେଇ ପାଇଁ ସଜବାଜ ବୋରିଗୁମ୍ମାବାସୀ ।
ବୋରିଗୁମ୍ମା NAC ପାଇଁ କେଉଁଠି ରହୁଛି ଅଡ଼ୁଆ। ସମସ୍ତ ମାପଦଣ୍ଡ ଥାଇ ସୁଦ୍ଧା NAC ମାନ୍ୟତା ପାଇବାରୁ ଉପେକ୍ଷିତ ହେବା ପଛର କାରଣ କଣ ? ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି ବୋରିଗୁମ୍ମା ବାସୀଙ୍କ ମନରେ। ରାଜନୈତିକ ଇଛାଶକ୍ତିର ଅଭାବ ରହିଛି ନା ଜାଣି ଶୁଣି ବୋରିଗୁମ୍ମାକୁ ଅଣଦେଖା କରାଯାଉଛି। NAC ମାନ୍ୟତା ପାଇଁ ୧୦ ବର୍ଷ ହେଲାଣି ଦାବି ହୋଇ ଆସୁଛି। ବୋରିଗୁମ୍ମା କୁ NAC ମାନ୍ୟତା ପାଇଁ କେବଳ ପ୍ରତିଶ୍ରୁତି ମିଳିଛି । ସେପଟେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବୋରିଗୁମ୍ମାବାସୀ ବୋରିଗୁମ୍ମାକୁ NAC କରିବା ନେଇ ଏକ ଦାବି ପତ୍ର ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ନୂତନ ପ୍ରକଳ୍ପକୁ ପରିଦର୍ଶନ କରିଥିଲେ ସଚିବ। ହେଲେ ବୋରିଗୁମ୍ମା NAC ଦାବି କୁ ନେଇ ଭୁଲି ଗଲେ ୫ଟି ସଚିବ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜୟପୁର ଗସ୍ତ ସମୟରେ ମଞ୍ଚରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ଜୟପୁର ଜଗନ୍ନାଥ ସାଗରର ପୁନରୁଦ୍ଧାର , କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁପ୍ତେଶ୍ଵର ଶୈବ ପୀଠ ଓ ଦେଓମାଳିର ବିକାଶ କରିବା ପାଇଁ ନିଜ ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ପାରିଲେ। ଅଥଚ ନିଜ ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ବୋରିଗୁମ୍ମା NAC ପ୍ରସଙ୍ଗ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ରଖିପାରିଲେ ନାହିଁ । ଯାହାକି ଅତି ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେପି ନେତା ଗୌତମ ସାମନ୍ତରାୟ ଏବଂ ବୁଦ୍ଧିଜୀବୀ ଲାଲୁ ଷଡ଼ଙ୍ଗୀ।
NAC ମାନ୍ୟତା ଦାବିକୁ ନେଇ ୨୦୨୦ ମସିହାରେ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ତରଫରୁ ଧରଣା ଓ ବିକ୍ଷୋଭ କରାଯାଇଥିଲା । ସମୟ ଆସିବ ବୋରିଗୁମ୍ମା NAC ଘୋଷଣା ହେବ ବୋଲି ପୁଣି ପ୍ରତିଶ୍ରୁତିକୁ ଦୋହରାଇରଛି ବିଜେଡି। ବୋରିଗୁମ୍ମା କୁ NAC ଘୋଷଣା ପାଇଁ ଆଗକୁ ଜୋରଜାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ