ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ୱୟ ସଭା

Spread the love

ପୁରୀ : ବିଗତ ବର୍ଷ ମାନଙ୍କରେ ରଥଯାତ୍ରାରେ ସ୍ୱେଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା । ଚଳିତ ରଥଯାତ୍ରାରେ ମଧ୍ୟ ଅନୁରୂପ ଉଲ୍ଲେଖନୀୟ ସେବା ଯୋଗାଇ ଦେବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱେଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ସାହୁ ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ହୋଇଥାଏ । ତେଣୁ ସ୍ୱେଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତାରୁ ପ୍ରଭୁଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ବିଗତ ବର୍ଷ ମାନଙ୍କ ଭଳି ସ୍ୱେଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବାକୁ ଅନୁରୋଧ କରିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ସହଯୋଗ ଯୋଗାଇ ଦେବାକୁ ସୂଚନା ଦେଇଥିଲେ । ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା, ରକ୍ତଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଚଂନ, ରାସ୍ତାଘାଟ ପରିଷ୍କାର, ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡରୁ ବୁଲା ଗାଈଗୋରୁ ଓ ଷଣ୍ଢଙ୍କୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦିକୁ ସ୍ୱେଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଗଲା । ଏହି କାର୍ଯ୍ୟକୁ ବିଭିନ୍ନ ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସରଙ୍କ ତତ୍ୱାବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ । ଯେଉଁ କ୍ଷେତ୍ରରେ ଯେଉଁ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାରେ ଉପଜିଲ୍ଲାପାଳ ଭବତରଣ ସାହୁ ଯୋଗଦେଇ ସ୍ୱେଛାସେବୀ ସଂଗଠନ ମାନେ ରଥଯାତ୍ରା ଦିନ ଭଳି ରଥଯାତ୍ରା ଠାରୁ ବାହୁଡା ପର୍ଯ୍ୟନ୍ତ ଅନୁରୂପ ସେବା ଯୋଗାଇ ଦେଲେ ଶ୍ରଦ୍ଧାଳୁ ମାନେ ଉପକୃତ ହୁଏନ୍ତେ ବୋଲି କହିଥିଲେ । ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଏଡ଼ିଏମଓ ଡା. ବିରଜା ଶଙ୍କର ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ୱାଟକୋ ର ଏସଡିଓ ଭବାନୀ ପ୍ରସାଦ ମହାନ୍ତି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ବାରିକ, ଜିଲ୍ଲା କ୍ରିଡ଼ା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ସଭାରେ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଯୋଗଦେଇ ବିବଧ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published. Required fields are marked *