ପୁରୀ : ସମଗ୍ର ରାଜ୍ୟରେ ଗତ ଦୁଇରୁ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏସଆରସିଙ୍କ ସୂଚନା ଅନୁସାରେ, ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ଓସ୍ଵାନ ସମ୍ମିଳନୀ କକ୍ଷରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଏକ ଜରୁରୀ ବୈଠକ କରିଥିଲେ । ଏହି ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ । ବନ୍ୟା ପରିସ୍ଥିତି ପାଇଁ ଦାୟିତ୍ଵରେ ଥିବା ଅଧିକାରୀ ବା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ନଦୀ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା, ଆବଶ୍ୟକତା ପାଇଁ ବାଲି ବସ୍ତା, ବହ୍ଲା ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ରଖିବା, ବିଭିନ୍ନ କାର୍ଯ୍ୟାଳୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲି ତଥ୍ୟ ପ୍ରଦାନ କରିବା, ବ୍ଲକ ସ୍ତରରେ ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର, ଆଇଆଇସି, ଅନ୍ୟାନ୍ୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ନେଇ ଯୁଗ୍ମ କମିଟି ମାଧ୍ୟମରେ ନିୟମିତ ପରିସ୍ଥିତିର ଅନୁଧ୍ୟାନ କରି ପଦକ୍ଷେପ ନେବା, ଲୋକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସ୍ଵେଛାସେବୀ ମାନଙ୍କ ସହଯୋଗ ନେବା, ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ବାସ ଉପଯୋଗୀ କରି ବିଦ୍ୟୁତ, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରିବା, ଅତ୍ୟାବଶ୍ୟକ ଖାଦ୍ୟ ମହଯୁଦ ରଖିବା, ବିଭିନ୍ନ ଔଷଧ ବିଶେଷ କରି ଓ ଆର ଏସ ଓ ଆଣ୍ଟିଭେନମ ଅଧିକ ପରିମାଣରେ ଗଛିତ ରଖିବା, ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ତତ ସହିତ କୌଣସି ଅବହେଳାକୁ ବରଦାସ୍ତ କରିଯିବ ନାହିଁ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ବିଗତ ବର୍ଷ ମାନଙ୍କର ବନ୍ୟା ସ୍ଥିତି ସମ୍ପର୍କରେ ଆଲୋକପାତ କରି ବିଶେଷ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅସ୍ତରଙ୍ଗ, କାକଟପୁର, ନିମାପଡା, ଗୋପ, ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ଓ ପୁରୀ ସଦର ବ୍ଲକ ଗୁଡିକ ଅଧିକ ତତ୍ପରତା ଓ ଗୁରୁତ୍ଵର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମିଳିତ ଭାବେ ଟିମ ସ୍ପିରିଟରେ କାମ କରିବାକୁ ସେ ଅନୁରୋଧ କରିଥିଲେ।
ଜିଲ୍ଲାରେ ୧୭୦ଟି ଓସଡମାର,୯ ଗୋଟି ରେଡକ୍ରସର ଓ ୩୭୦ ଗୋଟି ଅନ୍ୟାନ୍ୟ ଆଶ୍ରୟ ସ୍ଥଳ ରହିଛି। ସେହିପରି ୩୨ ଏସ ଆର ସି ବୋଟ ମହଯୁଦ ଅଛି। ୨୬ ଜଣ ଲେଖାଏଁ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ରହିଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ. ଶରତ ଚନ୍ଦ୍ର ମହାପାତ୍ର, ସି.ଡି.ଏମ.ଓ. ଡା. ସୁଜାତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ଜିଲ୍ଲା ଜରୁରୀ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଅନ୍ୟାନ୍ୟ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଜରୁରୀ ବିଭାଗର ଡିପିଓ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now