ରାଜ୍ୟପାଳଙ୍କ ଦ୍ୱାରା ମା ଉଗ୍ରତାରା ମନ୍ଦିର ଉଦଘାଟିତ

Spread the love

ପୁରୀ : ଇଶ୍ୱରଙ୍କ ନିକଟରେ ଆମେ ସବୁ ଶିଶୁ । ଇଶ୍ୱର ହିଁ ଆମ ଅଭିଭାବକ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜି ପୂର୍ବାହ୍ନରେ ପୁରୀ ସଦର ବ୍ଲକ ବରନ ନିକଟ ରାଇଗୋରଡ ଗ୍ରାମରେ ମା ଉଗ୍ରତାରାଙ୍କ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଧ୍ୟାତ୍ମିକତା ଓ ସେବା ଆମ ଅନ୍ତର ମଧ୍ୟରେ ରହିଛି । ଆମର ଜାତି ମଣିଷ, ଆମର ଧର୍ମ ମାନବିକତା ଓ ଆମର ଶାସକ ସ୍ୱୟଂ ଜଗନ୍ନାଥ ବୋଲି କହିଥିଲେ । ଆଦି ଶକ୍ତିଙ୍କ ସନ୍ତାନ ଭାବେ ଆମେ ଦିବ୍ୟତ୍ୱକୁ ଅନୁସରଣ କରୁଛୁ । ଆଦି ଶକ୍ତି ରକ୍ତବୀର୍ଯ୍ୟକୁ ସମାପ୍ତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ସେ ଧରିଥିବା ପାତ୍ରରେ ଆତଙ୍କବାଦୀଙ୍କ ରକ୍ତ ପାନ କରି ସେମାନଙ୍କୁ ଶେଷ କରିଦେବେ ବୋଲି କହିବା ସହ ରାଇଗୋରଡ ଗ୍ରାମରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ପାଇଁ ୧୦ ଲକ୍ଷ ଟଙ୍କା ଓ ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସଂଗୀତ ପରିବେଷଣକାରୀ ଓ ଅନ୍ୟାନ୍ୟ ସହଯୋଗକାରୀଙ୍କୁ ଉପହାର ଦେବା ପାଇଁ ଗ୍ରାମ୍ୟ କମିଟିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟପାଳ ସୂଚନା ଦେଇଥିଲେ ।

 ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମନ୍ଦିର ପ୍ରତିଷ୍ଠା ଦ୍ୱାରା ସଦଭାବନା ଓ ଭାଇଚାରାର ଉଦ୍ରେକ ହେବା ସହ ସମାଜରେ ସଂସ୍କାର ବୃଦ୍ଧି ପାଇବ ବୋଲି କହିଥିଲେ । ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର ମା ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଆମ ଆଧ୍ୟାତ୍ମିକ ଭାବନାକୁ ଅଧିକ ଋଦ୍ଧିମନ୍ତ ଓ ସମୃଦ୍ଧ କରିବ ବୋଲି କହିଥିଲେ । ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶଙ୍କର ପରିଡା ସମସ୍ତଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ରାଜ କିଶୋର ସ୍ୱାଇଁ, କରୁଣାକର ସ୍ୱାଇଁ, ନୃସିଂହ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟପାଳ ଓ ଅନ୍ୟ ଅତିଥି ମାନେ ମନ୍ଦିର ପରିଦର୍ଶନ ଓ ଯଜ୍ଞ ସ୍ଥଳରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ନିୟମ ଅନୁସାରେ ପୁରୀ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା । ଶ୍ୟାମ ପ୍ରକାଶ ସେନାପତି ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *