ରାଜ୍ୟରେ ଗୁଣାତ୍ମକ ଚାରା ଉତ୍ପାଦନ ଓ ଯୋଗାଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି: କୃଷିମନ୍ତ୍ରୀ

Spread the love

ଭୁବନେଶ୍ୱର : ଫଳଚାଷ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେଉଥିବା ପରିପ୍ରେକ୍ଷୀରେ ରାଜ୍ୟରେ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଗୁଣାତ୍ମକ ଚାରା ଉତ୍ପାଦନ ଓ ଯୋଗାଣ ନିମନ୍ତେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁଣାତ୍ମକ ଚାରାରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ଗୁଣାତ୍ମକ ଚାରା ରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ରାଜ୍ୟରେ ଖାଲି ପଡ଼ିଥିବା ଜମିରେ ଚାରା ରୋପଣ କରାଯାଇ ଫଳ ବଗିଚା କରାଗଲେ ତାହା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ତେଣୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଘରୋଇ ଚାରା ଉତ୍ପାଦନକାରୀ ସଂସ୍ଥାମାନଙ୍କଠାରୁ ବିଭାଗ ଆବଶ୍ୟକ ମୁତାବକ ଉନ୍ନତ ମାନର ଚାରା ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ କିଣିବା ପାଇଁ ପ୍ରସ୍ତାବ ରଖାଯାଇଥିଲାବେଳେ ଘରୋଇ ଚାରା ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହଭାଗିତାରେ ରାଜ୍ୟରେ ଚାରାରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ରାଜ୍ୟରେ ଥିବା ପୁରୁଣା କାଜୁ ବଗିଚାର ପୁନରୁଦ୍ଧାର କରାଗଲେ ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥି ନିମନ୍ତେ ନୂତନ କାଜୁଚାରାର ଆବଶ୍ୟକତା ରହିଛି । ବିଭାଗ ଦ୍ୱାରା ନୂତନ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଡ.ପାଢ଼ୀ କହିଥିଲେ । ଏଥି ସହିତ ଢେଙ୍କାନାଳରେ ଥିବା ମ୍ୟାଙ୍ଗୋହବ୍ ର ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ଘରୋଇ ଭାଗୀଦାରିତାରେ ଏହାର ନବଉନ୍ମେଷ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ସେ କହିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ନିର୍ଦ୍ଦେଶାଳୟ ଦ୍ୱାରା ଗୁଣାତ୍ମକ ଚାରା ରୋପଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଘରୋଇ ଚାରା ଉତ୍ପାଦନକାରୀ ସଂଘର କର୍ମକର୍ତା ଓ ଚାରା ଉତ୍ପାଦନକାରୀ ବ୍ୟବସାୟୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *