୩ ରଥ ପାଇଁ ଦୀର୍ଘ ୨୨ ବର୍ଷ ଧରି ସୋଲଫୁଲ ତିଆରି କରୁଛନ୍ତି ରାଜ କିଶୋରଙ୍କ ପରିବାର

Spread the love

ଖୋର୍ଦ୍ଧା : ଆଉ ଏକ ମାସ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ତ ରଥ ଠାରୁ ଆରମ୍ଭ କରି ପଥ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ସେବାୟତ । କାରଣ ବର୍ଷକ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ବିଜେ କରିବେ ବଡ଼ ଠାକୁର । ତେବେ ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସେପଟେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ଘନଘନ ବୈଠକ କରି ରଥଯାତ୍ରା ନେଇ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । ତେବେ ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୨ ବର୍ଷ ଧରି ସୋଲଫୁଲ ଯୋଗାଇ ଆସୁଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋରଙ୍କ ପରିବାର ଚଳିତ ବର୍ଷ ମଧ୍ୟ ସୋଲଫୁଲ ଯୋଗାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ସୋଲ ଫୁଲ ତିଆରିରେ । ଦାସିଆ ବାଉରୀ ଠାରୁ ନଡିଆ ଗ୍ରହଣ କରିଥିବା ଏହି ଭୋଇ ପରିବାର ଠାରୁ ସୋଲଫୁଲ ଗ୍ରହଣ କରି ପ୍ରଭୁ ଜଗନ୍ନାଥ ଜାତିପ୍ରଥା ଠାରୁ ବହୁ ଉର୍ଦ୍ଧ୍ୱରେ ବୋଲି ପ୍ରମାଣିତ କରିଛନ୍ତି ।

ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋର ଓ ବୀର କିଶେୋରଙ୍କ ପରିବାର ଏବେ ଲାଗି ପଡ଼ିଛନ୍ତି ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ତିଆରି କରିବାରେ । ମନରେ ଉତ୍କଣ୍ଠା ଓ ଭକ୍ତି ନେଇ ପରିବାରର ସମସ୍ତ ସଦସ୍ୟ ଏହି କାମ କରିଥାଆନ୍ତି । ଆଉ ଅପେକ୍ଷା ଥାଏ କେତେବେଳେ ଆସିବ ନେତ୍ରୋତ୍ସବ ଆଉ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ । ୨୦୦୧ ମସିହାରେ ହାତ ତିଆରି ସୋଲଫୁଲ ରଥରେ ଲାଗି କରିବା ନେଇ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏହି ପରିବାର । ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ତିନି ରଥ ପାଇଁ ନିରବଛିନ୍ନ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଅକ୍ଷୟତୃତୀୟା ଠାରୁ ପରିବାରର ପିଲାଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସଭିଏଁ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗିପଡିଥାନ୍ତି । ଫୁଲ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସୋଲକୁ ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ପିପିଲି, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସୁନ୍ଦର ସୁନ୍ଦର ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୌଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଏହି ଫୁଲ ଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ଏହି କାରିଗର । ଆଉ ଏହି ପରିବାରକୁ କାର୍ଯ୍ୟରେ ସହଯୋଗ କରିଥାନ୍ତି ପାଖ ପଡ଼ୋଶୀ । ସେମାନେ ମଧ୍ୟ ଏହି ପରିବାର ମାଧ୍ୟମରେ ଜଗନ୍ନାଥ ସେବା କରିବାର ସୁଯୋଗ ପାଉଥିବାରୁ ବେଶ ଖୁସି ଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ଗୁରୁଜଙ୍ଗର ଏହି ଭୋଇ ପରିବାର ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ ଥିବା କହିଛନ୍ତି । ରଥଯାତ୍ରା ଦିନ ପୁରୀ ଯାଇ ମନ୍ଦିର ପ୍ରଶାସନର ଅନୁମତି କ୍ରମେ ନିଜେ ପ୍ରସ୍ତୁତ କରିଥିବା ସୋଲ ଫୁଲକୁ ତିନି ରଥରେ ଲାଗି କରିବା ଆଶାରେ ଦିନ କାଟୁଛି ପୂରା ପରିବାର ।

Leave a Reply

Your email address will not be published. Required fields are marked *