ରାତି ପାହିଲେ ରଜ, ଉତ୍ସବମୁଖର ହେଲାଣି ଗାଁ ଠୁ ସହର

Spread the love

ଭୁବନେଶ୍ୱର : ରାତି ପାହିଲେ ରଜ । ଓଡିଶାର ଗଣପର୍ବ ରଜ ପାଳନକୁ ନେଇ ଉତ୍ସବମୁଖର ହେଲାଣି ଗାଁ ଠୁ ସହର । ପିଠାର ମହକ ପୁରପଲ୍ଲୀରେ ବାସିଲାଣି । ଝିଅ ବୋହୂମାନେ ସଜବାଜ ହେଲେଣି । ଦୋଳି ବନ୍ଧା ଶେଷ ହୋଇଥିବା ବେଳେ ବିଭିନ୍ନ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଶେଷ ହେଲାଣି । ଆଷାଢ ମାସର ଏହି ପର୍ବକୁ ପାଳନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ରଜର ପୂର୍ବ ଦିନ ଅର୍ଥାତ୍ ମଙ୍ଗଳବାର ହେଉଛି ସଜବାଜ । ରଜର ପୂର୍ବ ପ୍ରସ୍ତୁତି ସ୍ୱରୂପ ସଜବାଜରେ ଲାଗିପଡ଼ିଲେଣି ଝିଅବୋହୂ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ଚକୁଳି , ଏଣ୍ଡୁରୀ , ଆରିଶା , କାକରା, ପୋଡ, ମଣ୍ଡା ପରି ଭଳିକି ଭଳି ପିଠା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ରାଜଧାନୀ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାନ୍ଥ ନିବାସ ଠାରେ ରଜ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ରଜ ପାଳନ ପାଇଁ ବ୍ୟବସ୍ଥା କରାଯିବା ସହ ବିଭିନ୍ନ ପ୍ରତିଯୋଜିତାର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ୱଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଖାଲି ପାଦ ଧରିତ୍ରୀ ଉପରେ ରଖିବା ବି ମନା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ ।

Leave a Reply

Your email address will not be published. Required fields are marked *