ରେଭେନ୍ସା ନାମକରଣ ପରିବର୍ତ୍ତନ ପ୍ରସଙ୍ଗ ,ବିଧାନସଭା ହୁଲସ୍ତୁଲ

ରେଭେନ୍ସା ନାମକରଣ ପରିବର୍ତ୍ତନ ପ୍ରସ୍ତାବର ନିଆଁ ଧରାଇଦେଇ ଧର୍ମେନ୍ଦ୍ର ପ୍ରଧାନ ଏବେ ନୀରବ। କିନ୍ତୁ ତାଙ୍କ ମନ୍ତବ୍ୟକୁ ଗଣ୍ଠି କରି ବିବାଦ, ବିତର୍କ ଓ ରାଜନୀତି ତେଜିବାରେ ଲାଗିଛି। ବୁଦ୍ଧିଜୀବି ଗୋଷ୍ଠୀ ବି ଭାଗ ଭାଗ ହୋଇଗଲେଣି। ମାମଲା ଥାନାରେ ବି ପହଞ୍ଚିସାରିଛି। ବିଧାନସଭାରେ ବି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି। ଏତିକିବେଳେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟକୁ ନେଇ ବିବାଦ ଉଗ୍ର ହୋଇଥିଲା ବେଳେ ରେଭେନ୍ସା ହେରିଟେଜ୍ ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ପ୍ରସଙ୍ଗରେ ପୂର୍ଣ୍ଣଛେଦ ଟାଣିବାକୁ ଅନୁରୋଧ କରିବ ବୋଲି କହିଛି।

ରେଭେନ୍ସା ନାମକରଣ ପରିବର୍ତ୍ତନ ପ୍ରସ୍ତାବର ନିଆଁ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରାଇଦେବା ଦିନଠୁ ବିବାଦ ଥମୁନି। ଧର୍ମେନ୍ଦ୍ର ସିନା ଏବେ ନୀରବ। କିନ୍ତୁ ଏହି ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ, ବିତର୍କ, ଆନ୍ଦୋଳନ, ମାମଲା ଓ ରାଜନୀତି କମିବାର ନାଁ ଧରୁନି। ବୁଦ୍ଧିଜୀବି ବି ଭାଗ ଭାଗ ହୋଇଗଲେଣି। ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ଗୃହ। ବିଧାୟକ ବ୍ୟୋମେକେଶ ରାୟଙ୍କ ବିରୁଦ୍ଧରେ ଆର୍ମସ ଆକ୍ଟରେ ମାମଲାରେ ବିଜେପିର ପ୍ରତିଶୋଧପରାୟଣ ରାଜନୀତିର ବାସ୍ନା ବାରିଛି ବିଜେଡି। ଆଉ ଏତିକିବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟରେ ଧ୍ୱନି ପ୍ରତିଧ୍ୱନୀର ସ୍ତମ୍ଭ ନୂଆ ବିବାଦ ଛିଡ଼ା କରିଛି। ଗୋଲ ଟେବୁଲ ବୈଠକକୁ କିଛି ବିଜ୍ଞ ଲୋକଙ୍କ ବୈଠକ କହି ସତେ ଯେମିତି ରେଭେନ୍ସା ଏମାନଙ୍କ ଗୋସେଇଁ ବୋଲି କଟାକ୍ଷ କରିଥିଲେ ଭର୍ତ୍ତୃହରି। ଯେଉଁମାନେ ରେଭେନ୍ସାଙ୍କ ଭାଷାପ୍ରୀତିର ଜୟଗାନ କରୁଛନ୍ତି, ସେମାନେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଆର୍ତ୍ତନାଦକୁ ଶୁଣପାରୁନାହାନ୍ତି ବୋଲି ଲେଖିଥିଲେ ଭର୍ତ୍ତୃହରି। ଏହାକୁ ବିଜେଡି କଡ଼ା କାଉଣ୍ଟର କରିଛି। ଭର୍ତ୍ତୃହରିଙ୍କ ଲେଖା ଦୁର୍ଭାଗ୍ୟଜନକ। ଚାଟୁକାରିତା।

ସେପଟେ ରେଭେନ୍ସା ହେରିଟେଜ୍ ଫୋରମ ରେଭେନ୍ସା ନାମକରଣ ପରିବର୍ତ୍ତନକୁ ବିରୋଧ କରିଛି। ଏ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଫୋରମ୍। ରେଭେନ୍ସାଙ୍କ ସମୟର ଦୁର୍ଭିକ୍ଷ ପଡ଼ି ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ଖବର ମିଛ। ୧୫୦ ବର୍ଷର ଓଡ଼ିଶାର ଐତିହ୍ୟ ହେଉଛି ରେଭେନ୍ସା। କେନ୍ଦ୍ରମନ୍ତ୍ରୀ ବିତର୍କ ଲାଗି ଆହ୍ୱାନ ଦେବା ପରେ ରେଭେନ୍ସାଙ୍କ ବାବଦରେ ଅନେକ ବିତର୍କ, ବିବାଦ ହୋଇସାରିଲାଣି। ଏବେ ଏହାକୁ ଆଗକୁ ବଢ଼ାନଯାଉ। ଆଜିର ଦିନରେ ରେଭେନ୍ସା ଅନୁଷ୍ଠାନର ନାମ ହୋଇଛି, କୌଣସି  ସାହେବ୍ ଙ୍କ ନାମ ନୁହେଁ । ତେଣୁ ସାହେବଙ୍କ କାମକୁ ତୁଳନା କରି ବିଶ୍ବ ବିଦ୍ୟାୟଳର ନାମ ପରିବର୍ତ୍ତନ ନହେଉ ବୋଲି ଫୋରମ୍ ମତ ପ୍ରକାଶ କରିଛି। ଏଥି ସହ ଫୋରମର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଭତ୍ତୃହରିଙ୍କ ମତ ମୋ ଦ୍ବାରା ଗ୍ରହଣୀୟ ନିହେଁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ରେଭେନ୍ସା ନାମକରଣ ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବ ଓ ଏହାକୁ ବିତର୍କିତ କରିବାର ଅଭିମତ ଭିନ୍ନ ମୋଡ଼ ନେବାକୁ ବସିଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *