ବିଜେଡ଼ି ସରକାରଙ୍କ ରିମୋଟ୍ ନରେନ୍ଦ୍ର ମୋଦୀଙ୍କ ହାତରେ :କଂଗ୍ରେସ

Spread the love

ଭୁବନେଶ୍ୱର, 27 ମଇ :  ଆସନ୍ତାକାଲି ସଂସଦ ଭବନ ଉଦ୍ଘାଟନ ହେବ କିନ୍ତୁ ରାଷ୍ଟ୍ରପତିଙ୍କର ଗାରିମା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ଭୃକ୍ଷେପ ନ କରି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି । ସମଦୂରତା କଥା କହୁଥିବା ବିଜେଡିକୁ ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟାଦା ହାନି ଦେଖାଯାଉନି । ରାଷ୍ଟ୍ରପତିଙ୍କୁ ଭଉଣୀ କହୁଥିବା ତଥା ଓଡ଼ିଶାର ଝିଅ ଏବଂ ଆଦିବାସୀ ମହିଳା ତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଅପମାନିତ କରୁଥିଲାବେଳେ ଏହାକୁ ସମର୍ଥନ କରୁଛନ୍ତି । ଏହା କେବଳ ନିର୍ବାଚନୀ ଚାଲ ବୋଲି ଶନିବାର ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ କେନ୍ଦ୍ର ବିଜେପି ସରକାରକୁ ଆଜି ୯ ବର୍ଷ ପୁରିଛି । ଏଆଇସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ନରେନ୍ଦ୍ର ମୋଦୀ ସରକାର ୯ ବର୍ଷର ୯ ଟି ମୁଖ୍ୟ ଅପାରଗତାକୁ ପ୍ରଶ୍ନ ଆକାରରେ ପଚାରିଛନ୍ତି । ଜିତେନ୍ଦ୍ର ସିଂ କହିଛନ୍ତି ଯେ, ୨୦୧୪ ମସିହାରେ ଏକ ଏଲପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ମସିହା ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ମସିହା ଠାରୁ ୫୭ ପ୍ରତିଶତ, ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି । ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ଓ କ୍ଷୀରର ମୂଲ୍ୟ ବୃଦ୍ଧି ଘଟିଛି । ଦରଦାମ୍ ବୃଦ୍ଧିର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଦ୍ୱିତୀୟ ପ୍ରଶ୍ନ ଯେ କାହିଁକି କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯାଉନାହିଁ? କାହିଁକି କଳା କୃଷି ଆଇନ୍ ଫେରାଇ ନେଲାବେଳେ କୃଷକ ମାନଙ୍କ ସହିତ ଯେଉଁ ଚୁକ୍ତି ହୋଇଥିଲା ତାହା କାହିଁକି କାର୍ଯ୍ୟକାରୀ ହେଉନାହିଁ । ଦୁର୍ନିତୀ ଏବଂ ଅସାଧୁ ମେଂଟ ଆଜି ଭାରତ ବର୍ଷର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିସାରିଲାଣି ବୋଲି ସେ ତୃତୀୟ ପ୍ରଶ୍ନ କରିଥିଲେ । ଆଜି ଚାଇନା ଭାରତ ବର୍ଷର ୧୫ ଶହ ସ୍କୋୟାର କିଲୋମିଟର ସୀମାକୁ ଅକ୍ତିଆର କରିନେଇଛି । ଏହା ଜାଣି ସୁଧା କାହିଁକି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଚୁପ୍ ରହିଛନ୍ତି? ସେ ତାଙ୍କ ପଂଚମ ପ୍ରଶ୍ନରେ ପଚାରିଛନ୍ତି ଯେ, କାହିଁକି ଆପଣଙ୍କ ସରକାର ଏବଂ ଆପଣଙ୍କ ଦଳ ଜାଣିଶୁଣି ଭାରତ ବର୍ଷରେ ଘୃଣା, ବିଦ୍ୱେଶ ଓ ହିଂସା ସୃଷ୍ଟି କରୁଛନ୍ତି? ଏହାଦ୍ୱାରା ଆପଣଙ୍କ ରାଜନୈତିକର ଉଦ୍ୟେଶ ସାଧିତ ହୋଇଥାଇପାରେ କିନ୍ତୁ ଭାରତ ବର୍ଷରେ ଖଣ୍ଡ ବିଖଣ୍ଡିତ ହୋଇଯାଉଛି । ସେହିପରି ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି? ୨୦୨୧ ମସିହାରେ ୪.୨ ଲକ୍ଷ ମହିଳା ଉତ୍ପିଡ଼ନ, ଶାରିରୀକ ନିର୍ଯ୍ୟାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି । ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତା କାହିଁକି ମହିଳାଙ୍କୁ ଶାରିରୀକ ନିର୍ଯ୍ୟାତନା ଓ ପାଶବିକ ଅତ୍ୟାଚାର ଘଟଣାରେ ସଂପୃକ୍ତ ଅଛନ୍ତି? ଏମାନଙ୍କ ବିରୋଧରେ କେସ୍ ମଧ୍ୟ ଦାୟର କରିବା ପାଇଁ ସୁପ୍ରିମ୍କୋର୍ଟ ଯିବାକୁ ପଡ଼ୁଛି । ଆପଣଙ୍କ ସରକାର ଗଣତନ୍ତ୍ର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀକି? ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ.,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି । ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ଆପଣଙ୍କର ଓ ଆପଣଙ୍କ ସରକାରଙ୍କର ସମ୍ମାନ ଅଛି କି? ଶ୍ରୀ ସିଂ ତାଙ୍କ ଅଷ୍ଟମ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ ବହୁଳ ପ୍ରଚାର ଉଜ୍ଜଳା ଯୋଜନା ଆଜି ସଂପୂର୍ଣ୍ଣ ରୁପେ ଫେଲ ମାରିଛି ।କାହିଁକି ଆପଣଙ୍କ ସରକାର ଗରୀବ ଓ ନିସ୍ୱ ଆଦିବାସୀବର୍ଗଙ୍କ ଯୋଜନା ରାଶିକୁ ବର୍ଷ ପରେ ବର୍ଷ କମାଇ ଚାଲିଛନ୍ତି? କୋଭିଡ୍ ସମୟରେ ବହୁ ଲୋକ ପ୍ରାଣ ହରାଇଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ଼୍ ମହାମାରି ଯୋଗୁଁ ଭାରତ ବର୍ଷର ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏକ ରିପୋର୍ଟରେ କହିଛନ୍ତି । କିନ୍ତୁ ଏ ସରକାର ଭାରତ ବର୍ଷରେ କେହି ଜଣେ ବ୍ୟକ୍ତି ଅକ୍ସିଜେନ ଅଭାବ, ଡାକ୍ତରଖାନାରେ ଶଯ୍ୟା ଅଭାବରୁ ମରିନାହାନ୍ତି ବୋଲି କହିଛନ୍ତି । ଏହା କଣ ଆପଣଙ୍କର ଭାରତ ବର୍ଷର ସାଧାରଣ ଲୋକଙ୍କୁ ଭଲ ପାଇବାର ନିର୍ଦ୍ଦଶନ କି? କୋଭିଡ଼୍ ମହାମାରି ଯୋଗୁ ଭାରତ ବର୍ଷର ୪ କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି । ବିମୁଦ୍ରୀକରଣ ଏବଂ ଜିଏସ୍ଟି ଯୋଗୁଁ ଭାରତର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛନ୍ତି । ଏ ସରକାର ପ୍ରତିଦିନ ଜିଏସ୍ଟିର ନିୟମାବଳୀର ପରିବର୍ତନ କରୁଛନ୍ତି । ଜିଏସ୍ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି । କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍ଟି ଆୟର ଯୋଗଦାନ କରୁଛନ୍ତି । ତେଣୁ ଏହି ଜିଏସ୍ଟି ଗରୀବ ଲୋକମାନଙ୍କୁ ଅଧିକ ଗରୀବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ସିଂ ସମ୍ବାଦିକ ମାନଙ୍କୁ ଆହୁରି କହିଥିଲେ ଯେ, ଓଡ଼ିଶା ସରକାରଙ୍କର ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମୀତ ଶାହାଙ୍କ ହାତରେ । ତେଣୁ ବିଜେଡ଼ି ଦଳ ସବୁ କଥାରେ ବିଜେପି ସହିତ ଏକ ହୋଇରହିଛି । ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି । ୨୩ ବର୍ଷର ନବୀନ ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ବିରୋଧି । ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ବୋଲି କୃଷିଭିତିକ ପ୍ରତିଷ୍ଠା ହୋଇନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସଂପୂର୍ଣ୍ଣରୁପେ ବନ୍ଦ ହୋଇଯାଇଛି । ମହିଳା ହିଂସା, ଅତ୍ୟାଚାର ଓ ଉତ୍ପିଡ଼ନ କ୍ଷେତ୍ରରେ ଭାରତ ବର୍ଷରେ ବହୁ ଆଗରେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *