ବାର କାଉନସିଲ ଉପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

Spread the love

() ବାର୍ କାଉନସିଲର ଆକ୍ସନ ଉପରେ ସନ୍ତୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ। ନିଲମ୍ୱନ ନୁହେଁ, କଠୋର ପଦକ୍ଷେପ ଆବଶ୍ୟକ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଓଡ଼ିଶା ଭିନ୍ନ ଅନ୍ୟ ମାମଲାର ଶୁଣାଣୀ ବେଳେ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ। ସେପଟେ ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ତ୍ୱେ ସମ୍ୱଲପୁର ଓକିଲ ସଂଘ ଆଜିଠୁ ୧୧ ଯାଏ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଆରମ୍ଭ କରିଥିଲା ବେଳେ ରାଜ୍ୟ ଆଇନଜୀବୀ କ୍ରିୟାନୁଷ୍ଠାନ କମିଟି ୧୨ରେ ପ୍ରତିବାଦ ଦିବସ ବଦଳରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିବ ବୋଲି ନିଷ୍ପତ୍ତି ନେଇଛି।

ଗଲା ଥର ଭଳି ଏଥର ବିଚାରପତିଙ୍କୁ ଅଟକାଇଲେନି। କିନ୍ତୁ ନିଜେ ଗଲେନି କୋର୍ଟକୁ। ଆଉ ଆଇନଜୀବୀ କୋର୍ଟ କାମରେ ସାମିଲ୍ ହୋଇନଥିବାରୁ ମହକିଲ ବି ଯାଇନଥିଲେ ଅଦାଲତ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିର ବ୍ୟାନର ଧରି ସମ୍ୱଲପୁର ଜିଲ୍ଲା ଓକିଲ ସଂଘ କଳା ବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି। ରାଜ୍ୟ ବାର୍ କାଉନସିଲ୍ ପକ୍ଷରୁ ଆଡଭୋକେଟ ଜେନେରାଲ ସୁପ୍ରିମକୋର୍ଟରେ ହାଜର ହୋଇ ରାଜ୍ୟ ସରକାରଙ୍କ ଘୋଷିତ ନିଷ୍ପତ୍ତି ବିରୁଦ୍ଧାଚରଣ କରୁଥିବା ତଥ୍ୟ ଉପସ୍ଥାପନ ବିରୁଦ୍ଧରେ ଅଭିଯୋଗ ବାଢ଼ିଛି ସଂଘ। ଏହା ସହ ଜାଣିଶୁଣି ଓକିଲ ଆନ୍ଦୋଳନକୁ ଉଗ୍ର ରୂପ ଦେବାକୁ ପୁଲିସ ଚାହୁଁଛି କହି ଆରୋପ ଲଦିଛି ସଂଘ।

ସମ୍ୱଲପୁରରେ ଏଭଳି ପ୍ରତିବାଦ ଆରମ୍ଭ ହୋଇଥିଲା ବେଳେ ଏପଟେ ଭୁବନେଶ୍ୱର ଓକିଲ ସଂଘ ନିଜର ଆନ୍ଦୋଳନାତ୍ମକ ଅଭିଯାନକୁ ଅଧିକ ଶାଣିତ କରିବାକୁ ନିଷ୍ପତ୍ତି ନେଇଛି। ଆଗରୁ ସୁପ୍ରିମକୋର୍ଟଙ୍କ ରାୟକୁ ବାର୍‌ ଆସୋସିଏସନ ଚ୍ୟାଲେଞ୍ଜ କରି ସାରା ରାଜ୍ୟରେ ୧୨ରେ ପ୍ରତିବାଦ ଦିବସ ପାଳିବାକୁ ନିଷ୍ପତ୍ତି ନେଇଥିଲା। ଆଉ ଆଜି ତାକୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହକୁ ବଦଳାଇଛି ସଂଘ। ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର, ଓକିଲଙ୍କ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଭେଟି ଦାବିପତ୍ର ଦେବ ବୋଲି କହିଥିଲା ଆଇନଜୀବୀ କ୍ରିୟାନୁଷ୍ଠାନ କମିଟି।

କମନ୍ କଜ୍ ସଂସ୍ଥା ପକ୍ଷରୁ ଆଇନଜୀବୀମାନେ କୋର୍ଟ ବର୍ଜନ କରୁଥିବା ନେଇ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ଶୁଣାଣୀ କରି ସୁପ୍ରିମକୋର୍ଟ ବାର୍ କାଉନସିଲକୁ ନ୍ୟସ୍ତ କ୍ଷମତାର ଉପଯୋଗ କରିବାକୁ କହିଥିଲେ। ଲାଇସେନ୍ସ ରଦ୍ଦ ସହ ଆବଶ୍ୟକ ପଡ଼ିଲେ ଗିରଫ କରିବାକୁ କହିଥିଲେ। କେବଳ ନିଲମ୍ୱନରେ କାମ ଚଳିବନି। ଆହୁରି  ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ବାର୍ କାଉନସିଲ ଅଫ ଇଣ୍ଡିଆକୁ ଚେତେଇ ଦେଇଥିଲେ ଅଦାଲତ।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *