ଶିବରାତ୍ରୀ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି

Spread the love

ଭୁବନେଶ୍ବର:  ରାତି ପାହିଲେ ଜାଗାର l ଚୂଡାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି l ୨ ବର୍ଷ କରୋନା କଟକଣା ପରେ ପ୍ରଭୁଙ୍କର ଦିବ୍ୟ ଦର୍ଶନ କରି ସାନିଧ୍ୟ ଲାଭ କରିବେ ଭକ୍ତଗଣl ଭକ୍ତଙ୍କ ସୁରକ୍ଷା ଓ ଭିଡ଼କୁ ଦୃଷ୍ଟିରେ ରଖି ଏହାକୁ ନେଇ ବିଏମସି ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି l ମନ୍ଦିର ଚତୁଃପର୍ଶ୍ୱକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି l

ଆସନ୍ତାକାଲି ସବୁ ଶିବ ମନ୍ଦିରରେ ଭକ୍ତଗଣ ଜାଳିବେ ଜାଗର l ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ କେଉଁ ଅନାଦି କାଳରୁ ଏକାମ୍ରବନରେ ବିରାଜିତ। ଶିବରାତ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ। ଉପଚାର ପ୍ରିୟ ମହେଶ୍ବରଙ୍କର ଏହି ଦିନରେ ହଜାର ହଜାର ଭକ୍ତ ସମାଗମ ଦେଖିବାକୁ ମିଳିଥାଏ l ଚଳିତ ବର୍ଷ କରୋନା କଟକଣା ହଟିବା ପରେ ବେଶ ଆଡମ୍ବରରେ ଆୟୋଜନ ଚାଲିଛି।  ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଜାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସିଂହଦ୍ବାରକୁ ଅଧିକ ଆକର୍ଷଣ କରିବାକୁ ଯୋଜନା କରାଯାଉଛି। ପଡୋଶୀ ରାଜ୍ୟର ଫୁଲରେ ସିଂହଦ୍ବାରକୁ ସଜାଯିବା। ସେପଟେ ଏଏସଆଇ ପକ୍ଷରୁ ସିଂହଦ୍ବାର ପିତଳ କବାଟ ସଫା କରିବା ସହ ମନ୍ଦିର ପ୍ରବେଶ ପଥ ଗୁମୁଟ ଏବଂ ଗର୍ଭଗୃହକୁ ରଙ୍ଗ କରାଯାଇଛି।

ଚଳିତ ବର୍ଷ ରାଜଧାନୀ ତଥା ରାଜ୍ୟ ବାହାରୁ ମଧ୍ୟ ଭକ୍ତଗଣ ଯୋଗଦେବେ ଏହି ଜାଗାର ଯାତ୍ରାରେ l ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷିତ ପାର୍କିଂ, ଟେଣ୍ଟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l ସୁରକ୍ଷା ପାଇଁ ୩୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ମନ୍ଦିର ନିକଟରେ ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ସେପଟେ ଭକ୍ତଙ୍କ ସୁବିଧା ପାଇଁ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲାଯାଇଛି l ମନ୍ଦିର ସମ୍ମୁଖ ରାସ୍ତାରୁ ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି। ଟାଣ ଖରାରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଦେବାକୁ ଏହି ଛାମୁଣ୍ଡିଆ କରାଯାଇଛି । ମନ୍ଦିର ସମ୍ମୁଖ ଫାଇବର ସେଡକୁ ସଫା କରାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ସୁବିଧାରେ ଧାଡ଼ିରେ ଯିବା ପାଇଁ ବାଉଁଶ ବନ୍ଧା ଯାଇଛି। ଏଣେ ବିଏମସି ପକ୍ଷରୁ ମଧ୍ୟ ସଫେଇ କରାଯାଉଛି।

ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର୍‌ ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦିନ ତମାମ ଚାଲିବ । ସନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଚାଲିବ। ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *