ବି.ଏସ୍‌.କେ.ୱାଇ. ରେ ଉଲ୍ଲେଖନୀୟ ଅଗ୍ରଗତି

Spread the love

ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍‌.କେ.ୱାଇ.) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ।  ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି ।

                ଯୋଜନାର କାର୍ଯ୍ୟାୟନ ଅଗ୍ରଗତି ସମୀକ୍ଷା କରି ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ନିମନ୍ତେ ସର୍ବଦା ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଡ଼ଃ ବୃନ୍ଦା ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟ ମିତ୍ର ଆଦି ଛାମୁଆ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଦାୟୀତ୍ୱ ଦିଅ।।ଯାଇଥିବା ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇ.ସି.ୟୁ. ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଂଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହି ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବି.ଏସ୍‌.କେ.ୱାଇ କାର୍ଡଧାରୀ ରୋଗୀମାନଙ୍କର ପଞୀକରଣ, ଆଡମିଶନ୍‌, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାପରେ ହସ୍ପିଟାଲରୁ ଡ଼ିସଚାର୍ଯ୍ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଶେଷତଃ ଦୂରଦୁରାନ୍ତ ଗ୍ରାମରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଡ଼ଃ ବୃନ୍ଦା ନିର୍ଦେଶ ଦେଇଥିଲେ ।

                ନୋଡାଲ୍ ଅଫିସରମାନେ ନିୟମିତଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ଓ ଭିଡିଓ କନଫେରନସିଂ ଆଦି ମାଧ୍ୟମରେ ସଂଯୋଜିତ ରହି ବି.ଏସ୍‌.କେ.ୱାଇ. ର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।

                ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏବଂ ୧୨୬ ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ । ବିଶେଷତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଂଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ପ୍ରସିଦ୍ଧ ସୁପର ସ୍ପେସାଲିଟି ହସ୍ପିଟାଲମାନେ ବି.ଏସ୍‌.କେ.ୱାଇ. ଯୋଜନାରେ ଯୋଗ ଦେଇଛନ୍ତି । ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡ଼ିକାଲ ସେଣ୍ଟ,ର୍ ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍‌, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍‌, ଖ୍ରୀଷ୍ଟିୟାନ୍ ମେଡ଼ିକାଲ କଲେଜ ଓ ନାରାୟଣ ହୃଦାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବି.ଏସ୍‌.କେ.ୱାଇ. ଅନ୍ତର୍ଭୁକ୍ତ ହୋଇଛନ୍ତି ।

                ବର୍ତ୍ତମାନ ସୁଦ୍ଧା ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟମିତ୍ର ଏବଂ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ । ଏହାଛଡା ହସ୍ପିଟାଲରେ ନିର୍ବିଘ୍ନ ରୋଗୀ ସେବାର ପରିଚାଳନା ନିମନ୍ତେ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କର୍ତ୍ତବ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍‌) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି ।

                ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା ୱେବସାଇଟ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସନ୍ନିବଶିତ କରାଯାଇଛି । ବାହାର ରାଜ୍ୟରେ ରହୁଥିବା ବି.ଏସ୍‌.କେ.ୱାଇ. କାର୍ଡ଼ଧାରୀ ଓଡ଼ିଶା ଲୋକ ଚିକିତ୍ସା ଦରକାର ହେଲେ ଏହି ୱେବ୍ ସାଇଟରେ ବି.ଏସ୍‌.କେ.ୱାଇ. ତାଲିକାଭୁକ୍ତ ହସ୍ପିଟାଲ ନାମ ଦେଖି ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *