ସମଲେଇଙ୍କ   ଶୀତଳ ଯାତ୍ରା ପର୍ବ ଅନୁଷ୍ଠିତ

Spread the love

() ଚୈତ୍ର ମଙ୍ଗଳବାର ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ  ସମଲେଇଙ୍କ   ଶୀତଳ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଛି । ଶୀତଳ ଯାତ୍ରା ଅବସରରେ ମାଁଙ୍କ ସ୍ୱରୂପ ନିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥିବା ବେଳେ ଘର ସମ୍ମୁଖରେ ଭକ୍ତ ମାନେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

ପ୍ରଚଣ୍ଡ ରୌଦ୍ର୍ୟ ତାପରୁ ପୃଥିବୀ ପୃଷ୍ଠକୁ ଶୀତଳ କରିବା ପାଇଁ ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଅନୁଷ୍ଠିତ ହୁଏ ଶୀତଳ ଯାତ୍ରା। ଆଜି ଚୈତ୍ର ମଙ୍ଗଲବାର ଅବସରରେ ବରଗଡ଼ର ସମଲେଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା  ପରେ ମାଁଙ୍କର ଶୀତଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିଷ୍ଠାତ୍ରୀ ମାଁ ସମଲେଇ ଦେବୀଙ୍କ ସ୍ୱରୂପ ନିମ୍ବ ଗଛ ଡାଳରେ ପୂଜକଙ୍କ ଦ୍ୱାରା ପୂଜା କରାଯାଇଥାଏ । ପରେ ଏହି ନିମ୍ବ ଡାଳକୁ ଘଣ୍ଟ ଶଙ୍ଖ ବାଦ୍ୟର ତାଳେ ତାଳେ ନଗର ପରିକ୍ରମାରେ କରାଯାଇଥାଏ । ଏହି ସମୟରେ ଭକ୍ତମାନେ ଫୁଲ , ସିନ୍ଦୁର , ଭୋଗ ଅର୍ପଣ କରି ପୂଜା କରିଥାନ୍ତି ଏବଂ  ଆର୍ଶୀବାଦ ଭିକ୍ଷା କରିଥାନ୍ତି ।  

ଚୈତ୍ର ମାସରେ ଗରମର ପ୍ରାଦୁର୍ଭାବ ଯୋଗୁଁ ବସନ୍ତ , ମିଳିମିଳା ପରି ରୋଗ ବ୍ୟାପିଥାଏ । ବହୁ ବର୍ଷ ପୂର୍ବେ ଏହି ରୋଗରେ ହଜାର ହଜାର ଲୋକ ଆକ୍ରାନ୍ତ ହେଉଥିଲେ । ସେ ସମୟରେ ବିଜ୍ଞାନ ଏତେ ବିକଶିତ ହୋଇନଥିଲା କି ଚିକିତ୍ସା ବ୍ୟବସ୍ଥା ନ ଥିଲା।ତେଣୁ ଲୋକଙ୍କ ଧାରଣା ଥିଲା ଯେ ଦେବୀଙ୍କ ପ୍ରକୋପରେ ଏହି ରୋଗ ଦେଖାଦେଉଛି । ସେଥିପାଇଁ ଲୋକମାନେ ମାଁଙ୍କ ଶରଣାଗତ ହୋଇ ଧରାପୃଷ୍ଠକୁ ଶୀତଳିକରଣ କରିବା ସହ ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଏହି ଶୀତଳ ଯାତ୍ରା କରୁଥିବାର ବିଶ୍ୱାସ ରହିଛି ।

ପ୍ରତିବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନରୁ ବିଲମ୍ବିତ ରାତ୍ର ପର୍ଯ୍ୟନ୍ତ ମାଙ୍କର ଏହି ଶୀତଳ ଯାତ୍ରା ଚାଲୁଥିବା ବେଳେ ଭକ୍ତମାନେ ବହୁ ଶ୍ରଦ୍ଧାରେ ମାଁଙ୍କର ଏହି ଶୀତଳ ଯାତ୍ରାକୁ ଅପେକ୍ଷା କରିଥାନ୍ତି ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *