୨୭ରୁ ଆରମ୍ଭ ହେବ ବରଗଡର ଧନୁଯାତ୍ରା

Spread the love

ବରଗଡ: ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ ବରଗଡର ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବାକୁ ଥିବାବେଳେ ବରଗଡ଼ ସହର ଏବଂ ଅମ୍ବାପାଲି ଗାଁରେ ତୋରଣ ନିର୍ମାଣ, କାନ୍ଥବାଡ଼ରେ ଆରମ୍ଭ ହୋଇଯାଇଛି ଚିତ୍ର ଅଙ୍କନ।

ଘରର କାନ୍ଥ ବାଡରେ ଚାଲିଛି ଚିତ୍ର ଅଙ୍କା।  ଶିଳ୍ପୀର ତୂଳୀରୁ ଫୁଟି ଉଠୁଛି ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର । କେଉଁଠି ହାଣ୍ଡିରୁ ଦଧି ଚୋରାଉଥିବା ଦୃଶ୍ୟ ତ କେଉଁଠି ଗାଇ ଚରାଇବା ଦୂଶ୍ୟ ।

କୌଣସି ପୂଜା ପାଠ କିମ୍ଵା ହୋମ ଯଜ୍ଞ ପାଇଁ ଏ ଚିତ୍ର ନୁହ, ବରଂ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି ଅମ୍ବାପାଲି ଗ୍ରାମରେ । ବରଗଡ଼ ଉପକଣ୍ଠ ଜୀରା ନଦୀ କୂଳରେ ଥିବା ଅମ୍ବାପାଲି ଗାଁ ଧନୁଯାତ୍ରା ସମୟରେ ଗୋପପୁର ଭାବେ ପରିଗଣିତ ହେଉଥିବାରୁ ଏଭଳି ପ୍ରସ୍ତୁତି ଚାଲିଛି। ଚିତ୍ରଶିଳ୍ପୀ ମାନେ ଦିନ ରାତି ଏକ କରି ଏହି କାମ କରୁଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିପରି ମଥୁରା ନଗରୀ ସାଜୁଥିବା ବରଗଡ଼ ସହରର କାନ୍ଥବାଡ  ମଧ୍ୟ ସଜେଇ ହେଲାଣି। ଉଭୟ ସ୍ଥାନରେ ପ୍ରାୟ ଶତାଧିକ ଚିତ୍ରଶିଳ୍ପୀ ସାମିଲ ହୋଇ ଜୋରଦାର କରିଛନ୍ତି।

ଧନୁଯାତ୍ରା ପାଇଁ ସହରର ସମସ୍ତ  ପ୍ରବେଶ ପଥମାନଙ୍କରେ ଉଚ୍ଚ ତୋରଣ ନିର୍ମାଣ ଚାଲିଛି । ରାଜ ଦରବାର, ରଂଗମହଲ, ନନ୍ଦ ଦରବାର ନିର୍ମାଣ ଚାଲିଛି। ଚଳିତ ବର୍ଷ ବରଗଡର ଏହି ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ହୀରକ ଜୟନ୍ତୀ ପାଳନ କରିବ । ଏଣୁ ଏଥର ଅଧିକ ଆକର୍ଷଣୀୟ କରିବାପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଆସନ୍ତା ଡିସେମ୍ବର ୨୭ରୁ ଧନୁଯାତ୍ରା ଆରମ୍ଭ ହୋଇ ଜାନୁଆରୀ ୬ରେ ଶେଷ ହେବ । ଉଦଘାଟନୀ ଦିବସରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବାକୁ ଥିବାବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାର ୨୦ଟି ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଧନୁଯାତ୍ରା କମିଟି ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଅଧିକ ଆକର୍ଷଣୀୟ କରିବା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *