ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକର କରୁଣ ସ୍ଥିତି  : ବିଜେପି

Spread the love

ଭୁବନେଶ୍ୱର : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଥିବା ‘ନ୍ୟାସନାଲ ମଲ୍ଟି ଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ ପ୍ରୋଗ୍ରେସ ରିପୋର୍ଟ-୨୦୨୩’ ରାଜ୍ୟର ବିକାଶ ପ୍ରସଙ୍ଗକୁ ନେଇ ବିଜେଡି ସରକାରର ଅସଲ ମୁଖା ଖୋଲିଦେଇଛି । ରାଜ୍ୟର ଅସହାୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ରାଜ୍ୟବ୍ୟାପୀ ବହୁ ଆଡମ୍ବର ଗସ୍ତରେ ମଧ୍ୟ ତାହା ସମ୍ଭବ ହୁଏ ନାହିଁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ‘ଦାରିଦ୍ର୍ୟ ସୂଚ୍ୟାଙ୍କ ପ୍ରଗତି ସମୀକ୍ଷା-୨୦୨୩’ ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ମଧ୍ୟରେ ଦେଶର ଜନସଂଖ୍ୟାର ୨୪.୮୫ ପ୍ରତିଶତରୁ ଦାରିଦ୍ର୍ୟତା ହାର ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି । ଅପରପକ୍ଷରେ  ଦାରିଦ୍ର‌୍ୟ ଦୂରୀକରଣ ଆନ୍ତଃରାଜ୍ୟ ତାଲିକାରେ ବୃହତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ସ୍ଥାନ ତଳ ଆଡୁ ସପ୍ତମ ସ୍ଥାନରେ ସ୍ଥିର ରହିଛି । ୨୦୧୫-୧୬ରେ ମଧ୍ୟ ଓଡିଶାର ସ୍ଥିତି ସମାନ୍ ରହିଥିଲା । ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ୩କୋଟି ୪୩ଲକ୍ଷ, ମଧ୍ୟପ୍ରଦେଶରେ ୧କୋଟି ୩୬ଲକ୍ଷ, ମହାରାଷ୍ଟ୍ରରେ ୮୭ଲକ୍ଷ ୩୭ହଜାର ଜନସାଧାରଣ ଦାରିଦ୍ର୍ୟ ମୁକ୍ତ ହୋଇଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୬୨ଲକ୍ଷ ୬୩ହଜାରରେ ସୀମିତ । ସେହିପରି ଯେଉଁ ୧୨ଟି ସୂଚନାଙ୍କକୁ ନେଇ ଉପରୋକ୍ତ ମଲ୍ଟିଡାଇମେନ୍ସନାଲ ଦାରିଦ୍ର୍ୟ ସୂଚ୍ୟାଙ୍କ ପ୍ରସ୍ତୁତ କରାଯାଇଛି ସେଥିରୁ ବିଦ୍ୟାଳୟରେ ଅତିବାହିତ ବର୍ଷ ଦୃଷ୍ଟିରୁ ଓଡିଶାର ସ୍ଥାନ ବୃହତ ରାଜ୍ୟମାନଙ୍କ ମଧ୍ୟରେ ତଳଆଡୁ ଷଷ୍ଠ, ରନ୍ଧନ ଜାଳେଣୀରେ ତଳଆଡୁ ତୃତୀୟ, ପରିମଳରେ ତଳଆଡୁ ତୃତୀୟ, ପାନୀୟ ଜଳରେ ତଳଆଡୁ ଚତୁର୍ଥ, ବିଦ୍ୟୁତ ସଂଯୋଗୀକରଣରେ ତଳଆଡୁ ପଞ୍ଚମ, ବାସଗୃହରେ ତଳଆଡୁ ନବମ ଓ ସମ୍ପତିରେ ତଳଆଡୁ ପଞ୍ଚମ ସ୍ଥାନ ହାସଲ କରିଛି । ଏବେ ବି ରାଜ୍ୟର ୩୦.୭୭ପ୍ରତିଶତ ଜନତା କୁପୋଷଣର ଶୀକାର ହେଉଛନ୍ତି । ମାତୃ ସ୍ୱାସ୍ଥ୍ୟ ଆକଳନରେ ୧୪.୮୩ ପ୍ରତିଶତ ମା’ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାଁନ୍ତି । ଏକ ତୃତୀୟାଂଶ ଶିଶୁ କୁପୋଷଣର ଶିକାର ହେଉଛନ୍ତି । ଓଡିଶାକୁ କେନ୍ଦ୍ରୀୟ ସହାୟତା ଅଧିକ ଦିଆଯାଇଛି, କିନ୍ତୁ ଓଡିଶା କାହିଁକି ପଛରେ ପଡିଛି ? ୫ବର୍ଷ ତଳେ ଯେଉଁ ସ୍ଥିତି ଓଡିଶାରେ ଥିଲା ଏବେ ମଧ୍ୟ ସମାନ ସ୍ଥିତିରେ ଅଛି । କୌଣସି ପରିବର୍ତ୍ତନ ହୋଇନାହିଁ । ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ରାଜ୍ୟର ଷ୍ଟିକର ଲଗାଇବା ଛାଡି ଲୋକଙ୍କ ପାଖରେ ପହଁଚିବା ଦିଗରେ କାର୍ଯ୍ୟ କରନ୍ତୁ ।

ସେହିପରି ଦାରିଦ୍ର୍ୟତାର ତୀବ୍ରତା ଭାରତରେ ୪୪.୩୯ ପ୍ରତିଶତ ଥିଲା ବେଳେ ଓଡିଶାରେ ତାହା ୪୪.୫୦ ପ୍ରତିଶତ ।  ମଲ୍ଟିଡାଇମେନ୍ସନାଲ ଦାରିଦ୍ର୍ୟ ସୂଚ୍ୟାଙ୍କ ସର୍ବଭାରତୀୟ ସ୍ତରରେ ୦.୦୫୧ ଥିଲା ବେଳେ ଓଡିଶାରେ ତାହା ୦.୦୭୦ । ବିଶେଷ କରି ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଦାରିଦ୍ର୍ୟ ଚିତ୍ର ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ପ୍ରଶାସନକୁ ଉଲଗ୍ନ କରିଦେଇଛି । ଆଦିବାସୀ ବହୁଳ ଅଞ୍ଚଳରେ ସ୍ଥିତି ଅତି ସଙ୍ଗୀନ । ଓଡିଶା ଜନସଂଖ୍ୟାର ୧୫.୬୮ ପ୍ରତିଶତ ଦାରିଦ୍ର୍ୟତା ଭୋଗୁଥିଲା ବେଳେ ଆଦିବାସୀ ବହୁଳ ମାଲକାନଗିରିରେ ଏହି ହାର ୪୫.୦୧ ପ୍ରତିଶତ, ରାୟଗଡାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ, ଗଜପତିରେ ୨୮.୧୪ ପ୍ରତିଶତ ଓ ଖଣି ବହୁଳ କେନ୍ଦୁଝର ଜିଲ୍ଲାରେ ୨୫.୩୦ ପ୍ରତିଶତ ରହିବା ଅତ୍ୟନ୍ତ ନିନ୍ଦନୀୟ । ଏହା ଦ୍ୱାରା ରାଜ୍ୟର ପ୍ରାକୃତିକ ସମ୍ପଦ ଥିବା ଜିଲ୍ଲା ଗୁଡିକ ଅଧିକ ଅବହେଳିତ ବୋଲି ପଣ୍ଡା କହିଛନ୍ତି ।

ନୀତି ଆୟୋଗର ଏହି ତଥ୍ୟକୁ ଅଧିକ ବିଶ୍ଲେଷଣ କରି ପଣ୍ଡା କହିଥିଲେ ଯେ, ବିଦ୍ୟାଳୟରେ ଅତିବାହିତ ବର୍ଷ ଦୃଷ୍ଟିକୋଣରୁ ଭାରତର ୧୧.୪୦ ପ୍ରତିଶତ ବାଳକ ବାଳିକା ବଞ୍ଚିତ ଥିଲା ବେଳେ ଓଡିଶାରେ ତାହା ୧୩.୪୪ ପ୍ରତିଶତ । ସ୍ୱଚ୍ଛ ରୋଷେଇ ଇନ୍ଧନ ଦୃଷ୍ଟିରୁ ଭାରତର ୪୩.୯୦ ପ୍ରତିଶତ ଜନତା ବଞ୍ଚିତ ଥିଲା ବେଳେ ଓଡିଶାରେ ତାହା ୬୫.୯୪ ପ୍ରତିଶତ । ଉପଯୁକ୍ତ ପରିମଳ ସେବାରୁ ଭାରତର ୩୦.୧୩ ପ୍ରତିଶତ ବଞ୍ଚିତ ଥିଲା ବେଳେ ଓଡିଶାରେ ତାହା ୩୯.୮୫ ପ୍ରତିଶତ । ଭାରତର ୭.୩୨ ପ୍ରତିଶତ ଜନସଂଖ୍ୟା ସ୍ୱଚ୍ଛ ପାନୀୟ ଜଳ ପାଉନଥିବା ବେଳେ ଓଡିଶାରେ ସେହି ଅନୁପାତ ୧୩.୫୫ ପ୍ରତିଶତ ବୋଲି ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ଓ ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *