ଓ୍ୱାକଫ ସଂଶୋଧନ ବିଲ୍ ସମର୍ଥନ ପଛରେ ହୋଇଛି ବିଗ୍ ଡିଲ୍। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଲ୍ ବିରୁଦ୍ଧରେ ଯିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ସବୁ କଥା ବିଗାଡ଼ିଦେଲେ। ଆଉ ସସ୍ମିତଙ୍କ ଲାଗି ବିଜେପି ସହ ଡିଲ୍ କରିଥିଲେ ମାନସ ମଙ୍ଗରାଜ। ବିଜେପିର ଦଲାଲ ସାଜି ଏଭଳି କାରନାମା ମଙ୍ଗରାଜ କରିଥିବା ଭଳି ସଙ୍ଗୀନ ଆରୋପ ଲଦିଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ନୀଳମାଧବ ମହାନ୍ତି। ସସ୍ମିତ, ମାନସଙ୍କ ଭଳି ନେତା ଚାହୁଁଛନ୍ତି, ବିଜେଡି ଶେଷ ହୋଇଯାଉ। ଯେଉଁ ନେତା ଏଭଳି ଦଳର କ୍ଷତି କରୁଛନ୍ତି, ସେମାନଙ୍କୁ ଜୋରଦାର ବିରୋଧ ହେବ ବୋଲି କହିଛନ୍ତି ନୀଳମାଧବ। ଭୋଟିଂ ପର ଦିନ ସସ୍ମିତଙ୍କୁ ଫୋନ୍ କରି ଏହାର କାରଣ ଜାଣିବାକୁ କୁଆଡ଼େ ପଚାରିଥିଲେ। ଆଉ ବିବେକ ଅନୁସାରେ ଭୋଟ୍ ଦେବାକୁ କୁଆଡ଼େ ସାଂସଦମାନଙ୍କୁ ମାନସ ମଙ୍ଗରାଜ କହିଥିଲେ ବୋଲି ସସ୍ମିତ ଯୁବଜନତା ଦଳକୁ କହିଥିବା କଥା କହିଛନ୍ତି ନୀଳମାଧବ। ସେପଟେ ନୀଳମାଧବଙ୍କ ଅଭିଯୋଗକୁ ନିରାଧାର ବୋଲି କହି ଖଣ୍ଡନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ସେ ସସ୍ମିତଙ୍କ ସହ ଏ ସମ୍ପର୍କରେ କଥା ହିଁ ହୋଇନାହାନ୍ତି। ଆଉ ସସ୍ମିତ ବି ତାଙ୍କ ବାବଦରେ ଏଭଳି କଦାପି କହିନଥିବେ। ଯେଉଁ ନୀଳମାଧବ ତାଙ୍କ ବାବଦରେ ଏଭଳି ଟିକାଟିପ୍ପଣୀ କରୁଛନ୍ତି, ତାଙ୍କୁ ବି ଜାଣିନାହାନ୍ତି ବୋଲି କହିଛନ୍ତି ମାନସ। ଏ ସବୁ କଥାର ସ୍ପଷ୍ଟତା କେବଳ ସସ୍ମିତ ପାତ୍ର ହିଁ ରଖିପାରିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now