ଗମ୍ଭାରିଗୁଡା, ଯେଉଁଠି ସବୁ ଘରେ ରହିଛନ୍ତି ଶିକ୍ଷକ

Spread the love

ନବରଙ୍ଗପୁର: ଗୁରୁ ହିଁ ପଥପ୍ରଦର୍ଶକ। ଗୁରୁ ହିଁ ପ୍ରେରଣା। ଏହି ମନ୍ତ୍ରରେ ବିଶ୍ଵାସ କରି ଆଜି ଶତାଧିକ ଶିକ୍ଷକଙ୍କ ଗ୍ରାମ ହୋଇ ପାରିଛି ନବରଙ୍ଗପୁର ଜିଲ୍ଲାର ଗମ୍ଭାରିଗୁଡା । ପ୍ରତିଟି ଘରେ ଶିକ୍ଷକ ଥିବା ଏହି ଗାଁର ସ୍ୱତନ୍ତ୍ରତା।

ନବରଙ୍ଗପୁର ଜିଲ୍ଲା ର ଉପାନ୍ତ ଚନ୍ଦାହାଣ୍ଡି ବ୍ଳକ ର ଶତାଧିକ ଶିକ୍ଷକଙ୍କ ଗାଁ ଗମ୍ଭାରିଗୁଡା । ଶିକ୍ଷା ମାନବୀୟ ଚେତନା ଓ ସଂସ୍କାରର ପ୍ରାଣବିନ୍ଦୁ ସେଇଥିପାଇଁ ତ ଶିକ୍ଷା ବିହୀନ ମାନବକୁ ପଶୁ ସହ ତୁଳନା କରାଯାଏ। ଶିକ୍ଷାର ବୀଜମନ୍ତ୍ର କୁ ବପନ କରି ଘରେ ଘରେ ଶିକ୍ଷକ ତିଆରି କରିଆସୁଥିବା ଏକ ଆଦର୍ଶ ଗାଁ ହେଲା ଗମ୍ଭାରୀଗୁଡା । ଗାଁ ର ଘରେ ଘରେ ଶିକ୍ଷକ। ତେଲ ନଦୀ କୂଳେ କୂଳେ ରହିଛି ଗମ୍ଭାରିଗୁଡା ଗାଁ ।

ପଡୋଶୀ ଛତିଶଗଡ଼ ର ସୀମାନ୍ତବର୍ତ୍ତୀ ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଥିବା ଏହି ଗାଁରେ ଶହେରୁ ଉର୍ଦ୍ଧ୍ବ ଶିକ୍ଷକ। ବର୍ତମାନ ୭୦ ଜଣ ଶିକ୍ଷକ କାର୍ଯ୍ୟ ରତ ଅଛନ୍ତି। ୩୦ ଶିକ୍ଷକ ଅବସର ନେଇସାରିଲେଣି। ପୂର୍ବରୁ ଯେଉଁ ଶିକ୍ଷକ ବୃତ୍ତି ରେ ଥିଲେ ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁ ବରଣ କରିଛନ୍ତି । ଗାଁ ରେ ପ୍ରାୟ ପ୍ରତ୍ୟେକ ପରିବାର ରେ ଜଣେ ନା ଜଣେ ଶିକ୍ଷକ ଅଛନ୍ତି। ପ୍ରତ୍ୟେକ ବୟସ ଓ ବର୍ଗ ର ଶିକ୍ଷକ ଙ୍କୁ ଦେଖିବାକୁ ମିଳେ। ଏଠି ପୀଢ଼ି ପରେ ପୀଢ଼ି ଯେମିତି ଏହି ବୃତ୍ତି କୁ ଆଦରି ନେଇଛନ୍ତି ସେମାନଙ୍କ ସ୍ୱଇଛାରେ।

ସକାଳୁ ନିର୍ଦ୍ଧାରିତ ସମୟରେ ଦଳ ଦଳ ହୋଇ ଶିକ୍ଷକ ମାନେ ସ୍କୁଲ କୁ ବାହାରୁଥିବା ର ଦୃଶ୍ୟ ଗାଁ ରେ ସାଧାରଣ କଥା। ଗ୍ରାମବାସୀ ବି ଶିକ୍ଷକ ଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ କାର୍ପଣ୍ୟ କରନ୍ତି ନାହିଁ। ବିଦ୍ୟାର୍ଥୀ ଙ୍କୁ ବିଦ୍ୟାଦାନ ଦେଇ ସର୍ବୋଚ୍ଚ ଆସନ ରେ ଥିବା ଗୁରୁ ତ ସର୍ବଦା ଯଥାଯୋଗ୍ୟ ସମ୍ମାନର ପାତ୍ର। ଯୁଗ ସହ ତାଳ ଦେଇ ଗାଁ ର ପରିବର୍ତ୍ତନ ହୋଇଛି କିନ୍ତୁ ଆଜି ବି ବଜାୟ ରହିଛି ଶିକ୍ଷକତା ଭଳି ଏକ ଆଦର୍ଶ ବୃତ୍ତିକୁ ଆପଣେଇନେବାର ମହାନ ପରମ୍ପରା । ସେହି ଶିକ୍ଷକ ମାନଙ୍କ ପାଇଁ ତ ଗାଁ ର କେତେକ ଛାତ୍ର ପ୍ରଶାସନିକ ଅଧିକାରୀ, ଡାକ୍ତର, ଇଞ୍ଜିନିୟର, ସାଂସଦ, ବିଧାୟକ ଭଳି ଉଚ୍ଚ ପଦପଦବୀ ରେ ଆସିନ ହେଲେଣି।

ଘରେ ଘରେ ସାକ୍ଷରତା ର ବାର୍ତ୍ତା ବୁଣି ଶିକ୍ଷା ର ଆଲୋକ ବର୍ତ୍ତିକା ସାଜି ଥିବା ସେହି ଶିକ୍ଷକମାନଙ୍କ ପାଇଁ ହିଁ ଗମ୍ଭାରିଗୁଡା ଗ୍ରାମ ଆଜି ଏକ ଉଦାହରଣ ନିଶ୍ଚୟ।

ସଞ୍ଜିତ ବିଶ୍ୱାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *