ଲଘୁଚାପଜନିତ ଲଗାଣ ବର୍ଷାରେ କାନ୍ଥ ପଡି ୪ ବର୍ଷର ଶିଶୁ ପୁତ୍ର ମୃତ

Spread the love

ହରିଚନ୍ଦନପୁର : ଲଘୁଚାପଜନିତ ଲଗାଣ ବର୍ଷାରେ ଘରେ ଶୋଇଥିବା ଅବସ୍ଥାରେ ଘରର କାନ୍ଥ ଭୁଶୁଡି ପଡିବାରୁ ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।

ମିଳିଥିବା ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବୁଢାଖମଣ ଗ୍ରାମପଞ୍ଚାୟତ ହାତୀମରା ଗାଁରେ ଘଟିଛି ଏହିଭଳି ଦୁଃଖଦ ଘଟଣା। ମୃତ ଶିଶୁପୁତ୍ର ଜଣକ ଉକ୍ତ ଗ୍ରାମର ବାପା ମୁନା ମୁଣ୍ଡା ଓ ମାଆ ଗେଲି ମୁଣ୍ଡାଙ୍କ ୪ ବର୍ଷର ଶିଶୁପୁୁତ୍ର କରୁଣା ମୁଣ୍ଡା ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ରାତିରେ ଖାଇପିଇ ସାରି ବାପା ମାଆଙ୍କ ସହ ଶୋଇଥିଲା ଶିଶୁପୁତ୍ର କରୁଣା । ଶୋଇଥିବା ସମୟରେ ପ୍ରାୟ ରାତି ୪ଟା ବେଳେ ଅଚାନକ ଘରର ଏକ କାନ୍ଥ ଭାଙ୍ଗି ଭୁଶୁଡ଼ି ପଡିଥିଲା । ଭୁଶୁଡ଼ି ପଡ଼ିଥିବା କାନ୍ଥର ବଡ଼ବଡ଼ ଖଣ୍ଡ ମାଟିଭରା ଇଟା ସିଧା କରୁଣାଙ୍କ ମୁହଁ ସହ ମୁଣ୍ଡ ଉପରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ କରୁଣା ଚିତ୍କାର କରିବା ପରେ ଜୀବନ ଚାଲିଯାଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଭଙ୍ଗା ଦଦରା ଘରେ ଦୀର୍ଘବର୍ଷ ଧରି ରହୁଥିବା ଗରିବ ଅସହାୟ ମୁନା ମୁଣ୍ଡା ଆଗରୁ ସରକାରଙ୍କ ଆବାସ ଘର ଖଣ୍ଡେ ପାଇବା ପାଇଁ ବ୍ଲକ ପ୍ରଶାସନ ଓ ରାଜନେତାଙ୍କ ପାଖରେ ଅନେକ ବାର ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । କିନ୍ତୁ, ଆଜି ମୁନାଙ୍କ ପୁଅ ମରିଗଲା ପରେ ପ୍ରଶାସନ ବାବୁମାନେ ଘର ପାଖରେ ପହଁଚିବାକୁ ସମୟ ପାଇଲେ । ଏଠାରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଏହା ଆବାସ ଯୋଜନା ଭେଳିକି ନୁହେଁ ତ ଆଉ କଣ। ଏ ସମ୍ପର୍କରେ ଖବର ପାଇ ପଣ୍ଡାପଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *