ରାଜ୍ୟରେ ମରୁଡିର ହାହାକାର ଶବ୍ଦ ରାଜ୍ୟ ସରକାରଙ୍କୁ ଶୁଭୁନି : କୃଷକ ମୋର୍ଚ୍ଚା

Spread the love

ଭୁବନେଶ୍ୱର : ରାଜ୍ୟରେ ମରୁଡିର ସ୍ଥିତି ଆସନ୍ନ । ଶ୍ରାବଣ ମାସର ଅଧା ସମୟ ହେଲାଣି ଚାଷୀକୂଳ ବର୍ଷାକୁ ଅନାଇ ବସିଛି । ଜୁନ ମାସର ୧୪ତାରିଖ ବେଳକୁ ଓଡିଶାକୁ ମୌସୁମୀର ଆଗମନ ହୋଇଥାଏ । ତେଣୁ ଚାଷୀ ମୌସୁମୀର ଆଗମନ ପୂର୍ବରୁ ଧାନବୁଣି ଥାଏ ଏବଂ ଧାନତଳି ପକାଇଥାଏ । ମାତ୍ର ଏବର୍ଷ ମୌସୁମୀ ଆଗମନର ବିଳମ୍ବ ଏବଂ ସ୍ପଳ୍ପ ବର୍ଷା କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡି ହେବା ସହ ଅଦ୍ୟାବଧି ଧାନତଳି ପକାଯାଇପାରିଲା ନାହିଁ । ଏବେ ବି ରାଜ୍ୟର ୧୮ଜିଲ୍ଲାରେ ସ୍ୱଭାବିକ ବର୍ଷାଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି ଯାହା ପାଣିପାଗ ବିଭାଗର ତଥ୍ୟ କହୁଛି । ଏହାବାଦ୍ ଅନ୍ୟ ୧୨ଟି ଜିଲ୍ଲାର ସ୍ଥିତି ମଧ୍ୟ ଚିନ୍ତାଜନକ । ଏହିସବୁ ଜିଲ୍ଲାରେ ବର୍ତ୍ତମାନ ଧାନ ବେଉଷଣ ଏବଂ ରୁଆପୋତା ହେବାକଥା କିନ୍ତୁ ଧାନ ଜମିରୁ ଗଛ ଉଦ୍ଧଉନାହିଁ, ଗଜା ହେଉନାହିଁ ଏବଂ ଜମି ସବୁ ଫାଟି ଆଁ କଲାଣି । ମାତ୍ର ମୁଖ୍ୟସଚିବ ଓ କୃଷିନିର୍ଦ୍ଦେଶକ ଶୀତତାପ ନିୟନ୍ତ୍ରିତ କଠୋରୀରେ ବସି ଆକଳନ କରି ରାଜ୍ୟରେ ମରୁଡିର ସ୍ଥିତି ଉତ୍ପନ ହୋଇନାହିଁ ଏବଂ ଠିକଣା ସମୟରେ ଜଳସେଚନ ଏବଂ ସ୍ୱଳ୍ପକାଳୀନ ବିହନ ଯୋଗାଇ ଦିଆଯିବ କହିବା ଚାଷୀଙ୍କ ପ୍ରତି ଅତ୍ୟନ୍ତ କ୍ରୁର ଉପହାସ ଏବଂ କଟାକ୍ଷ ସଦୃଶ ବୋଲି କୃଷକମୋର୍ଚ୍ଚା ରାଜ୍ୟ ବିଜେପି ଉପସଭାପତି ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି ।

ଯଦି ଆସନ୍ତା ସପ୍ତାହେ ମଧ୍ୟରେ ବର୍ଷା ନହୁଏ ତେବେ ସମଗ୍ର ରାଜ୍ୟ ମରୁଡି କବଳିତ ହେବ । ରାଜ୍ୟରେ କୃଷି କର୍ମଚାରୀ ବିଶେଷକରି କ୍ଷେତ୍ରାଧିକାରୀମାନଙ୍କ ସଂଖ୍ୟା ବେଳକୁ ବେଳ କମିଯାଇ କର୍ମଚାରୀ ମରୁଡି ହେଲାଣି । ଏତିକିବେଳେ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଚାଷ କ୍ଷତିର ଡିଜିଟାଲ ସର୍ବେକ୍ଷଣ ପାଇଁ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ରାଜଧାନୀରେ ପ୍ରଶିକ୍ଷଣ ଦେଉଛନ୍ତି । ତୁରନ୍ତ ସେମାନଙ୍କୁ କ୍ଷେତ୍ରକୁ ପଠାଇ ଗଜାମରୁଡି ସ୍ଥିତିର ସମୀକ୍ଷା ଏବଂ ସର୍ଭେ କରନ୍ତୁ । ରାଜ୍ୟ ସରକାର ତୁରନ୍ତ କେନାଲମାନଙ୍କରେ ପାଣି ଛାଡନ୍ତୁ, ଅଚଳ ହୋଇ ପଡିଥିବା ଉଠା ଜଳସେଚନ ପଏଣ୍ଟକୁ ସଚଳ କରାଇବା ସହ ପର୍ଯ୍ୟାପ୍ତ ପରିମାଣରେ ବିହନ ଚାଷୀଙ୍କୁ ଯୋଗାଇ ଦିଅନ୍ତୁ ବୋଲି ମଙ୍ଗରାଜ ଦାବି କରିଛନ୍ତି ।

ରାଜ୍ୟ ସରକାରଙ୍କର ସମବାୟ ମନ୍ତ୍ରୀ ମଇ ମାସ ୨୧ତାରିଖ ଦିନ ଘୋଷଣା କରିଥିଲେ ଯେ, ଆସନ୍ତା ୩ବର୍ଷ ପାଇଁ ଚାଷୀଙ୍କ ଶସ୍ୟବୀମା ସରକାର ଭରଣ କରିବେ । କିନ୍ତୁ ଏଭଳି କୌଣସି ନିର୍ଦ୍ଦେଶନାମା ସମବାୟ ବ୍ୟାଙ୍କ ଓ ସମବାୟ ସମିତିକୁ ନଆସିବା କାରଣରୁ ରାଜ୍ୟ ସରକାରଙ୍କ ଘୋଷଣା ଚାଷୀଙ୍କୁ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ରାଜ୍ୟ ସରକାର ଏହାର ସ୍ପଷ୍ଟତା ଓ ଲିଖିତ ନିର୍ଦ୍ଦେଶନାମା ବ୍ୟାଙ୍କ ଓ ସମବାୟ ସମିତିମାନଙ୍କୁ ଜାରି କରନ୍ତୁ ବୋଲି ମଙ୍ଗରାଜ ଦାବି କରିଛନ୍ତି ।

୩୫ପ୍ରତିଶତ ଜମିକୁ ଜଳସେଚିତ କରିବାର ପ୍ରତିଶ୍ରୁତି କୁଆଡେ ଗଲା? ମହାନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ କଲାବେଳେ, “ଯେତେ ବ୍ୟାରେଜ ହେଲେ ବି ଓଡ଼ିଶାର କିଛି କ୍ଷତି ହେବ ନାହିଁ” କହୁଥିବା ରାଜ୍ୟ ସରକାର ଏବେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ହାସ୍ୟାସ୍ପଦ । ରାଜ୍ୟରେ ଆସନ୍ନ ମରୁଡି  ଜଳ ଜଳ ଦିଶୁଥିବାବେଳେ ୫-ଟି ସଚିବ ଜିଲ୍ଲା ଗସ୍ତ କରି ସେସମ୍ପର୍କରେ ନୀରବ ରହିବା ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି । ୫-ଟି ସଚିବ ଜିଲ୍ଲା ଗସ୍ତବେଳେ ଘୋଷଣା ସର୍ବସ୍ୱ ନହୋଇ ମରୁଡିର ବାସ୍ତବ ସ୍ଥିତିକୁ ପରଖନ୍ତୁ ବୋଲି ମଙ୍ଗରାଜ କହିଛନ୍ତି ।

Leave a Reply

Your email address will not be published. Required fields are marked *