ଆହତ ଯୁବକକୁ କାଉଡ଼ିରେ ଭାର କରି ୮ କିଲୋମିଟର ବୋହି ଆଣିଲେ ମେଡିକାଲ

Spread the love

ମାଲକାନଗିରି : ପୁଣି ମାଲକାନଗିରି ଜିଲ୍ଳାରେ ଦେଖିବାକୁ ମିଳିଛି ସରକାରଙ୍କ ବିକାଶର ନଗ୍ନଚିତ୍ର । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଂଚାଇବାକୁ ଆସିଲାନି ଆମ୍ବୁଲାନ୍ସ । କାଉଡିରେ ହସ୍ପିଟାଲ ବୁହାହେଲେ ବ୍ୟକ୍ତି ଜଣକ । ଏହି ଚିତ୍ର ହିଁ ବୟାନ କରୁଛି ସରକାରଙ୍କ ବିକାଶମୂଳକ କାର୍ଯ୍ୟ କେତେ ସଫଳ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ରାସବେଡା ପଂଚାୟତରେ । ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଆହତ ବ୍ୟକ୍ତିଙ୍କୁ କାଉଡିଆରେ ବୋହି ୮ କିଲୋମିଟର ଆଣି ହସ୍ପିଟାଲରେ ଚିକିତ୍ସା କରାଇଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ, ଗତକାଲି ତାଗାବେଡା ଗ୍ରାମର ମଙ୍ଗଳା ମୁଦୁଲି ନାମକ ଜଣେ ବଣ୍ଡା ଯୁବକ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ । ହେଲେ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଶେଷରେ ତାଗାବେଡା ଗ୍ରାମର କିଛି ଯୁବକ ଓ ପରିବାରବର୍ଗ ମିଶି ଖାଲଢିପ, ଜଙ୍ଗଲର ପାହାଡ଼ିଆ ରାସ୍ତାରେ ତାଙ୍କୁ ୮ କିଲୋମିଟର କାଉଡିରେ ବୋହି ରାସବେଡା ପହଂଚି ଥିଲେ । ସେଠାରୁ ଏକ ଗାଡି ଦ୍ୱାରା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଖଇରପୁଟ ଡାକ୍ତର ମଙ୍ଗଳା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପରେ ମଙ୍ଗଳାଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଉଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ତାଗାବେଡାକୁ ଭଲ ରାସ୍ତା ପାଇଁ ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଗୁହାରି ସରକାର ଶୁଣୁ ନାହାନ୍ତି । ଫଳରେ ରାସବେଡା ପଂଚାୟତର ତାଗାବେଡା ଭଳି ଅନେକ ଗାଁରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଯାହା ଫଳରେ କେବେ ଗର୍ଭବତୀ ତ ଆଉ କେବେ ଗୁରୁତର ରୋଗୀ ତ ଆଉ କେବେ ଗୁରୁତର ଆହତଙ୍କୁ କାଉଡିରେ ବୋହି ଖଇରପୁଟ ଚିକିତ୍ସାଳୟକୁ ନିଆଯାଉଥିବା ଦୃଶ୍ୟ ନଜରକୁ ଆସିଛି ।

Leave a Reply

Your email address will not be published. Required fields are marked *