ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢ଼ଉ, ଦ୍ଵିତୀୟ ଦିନରେ ଚଢ଼ଉ ଜାରି

Spread the love

ବଲାଣି : ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଜି ଦ୍ଵିତୀୟ ଦିନ ମଧ୍ୟ ଆୟକର ବିଭାଗ ଚଢ଼ଉ ଜାରି ରଖିଛି । ଗତକାଲି ଠାରୁ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ ଜାରି ରହିଛି । ଜିତୁଙ୍କ ବ୍ୟବସାୟିକ ସଂସ୍ଥା ଆୟକର ଫାଙ୍କିବା ନେଇ ଏହି ଚଢଉ ଚାଲିଛି ବୋଲି ସୂଚନା ମିଳିଛି। ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଓ ବନେଇକଳା ଛକରେ ଥିବା ପଟ୍ଟନାୟକ ମିନେରାଲସ୍ ପ୍ରାଇଭେଟ୍ ଲିମିଟେଡ ଖଣି କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଆସୋସିଏଟ କମ୍ପାନୀ ଗୁଡ଼ିକରେ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ ଜାରି ରଖିଛନ୍ତି । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଆୟ ବ୍ୟୟକୁ ନେଇ ଛାନଭିନ କରୁଛି ଆୟକର ବିଭାଗ । ବିଭିନ୍ନ ଫାଇଲ, କମ୍ପ୍ୟୁଟର ହାର୍ଡ ଡିସ୍କ ଇତ୍ୟାଦିରେ ରହିଥିବା ତଥ୍ୟକୁ ଦେଖିବା ସହିତ ଜିତୁଙ୍କ ବିଭିନ୍ନ ସମ୍ପତ୍ତି ଓ ବ୍ୟବସାୟର ତମାମ ହିସାବ କିତାବକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ।

ଏହି ଚଢ଼ଉରେ ଆଇଟି ଏକ୍ସପର୍ଟଙ୍କ ସମେତ ୨୦ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ରହିଛନ୍ତି । ଚଢ଼ଉ ସମୟରେ ଆୟକର ଫାଙ୍କିବା ନେଇ କ”ଣ ସବୁ ତଥ୍ୟ ମିଳିଛି ସେ ନେଇ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି ଆୟକର ଅଧିକାରୀ । ଏ ବାବଦରେ ଜିତୁ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ଚଢଉ ସରିଲା ପରେ ଅନେକ ଗୁରୁତ୍ଵପୂର୍ଣ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *