୭ ଜିଲ୍ଲାର ଜିଲ୍ଲାପାଲଙ୍କ ସହ ସ୍ଥିତିର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର, ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଲେ

Spread the love

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା କାରଣରୁ ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ବୁଧବାର ଦିନ ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି । ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ବର୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଯେଉଁ ଜିଲ୍ଲାର ଜିଲ୍ଲାପାଳ ମାନେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲା ସାମିଲ ରହିଛି ।

ସମୀକ୍ଷା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଏହି ଜିଲ୍ଲାପାଳ ମାନଙ୍କୁ ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ସ୍ଥାନର ପାଣି ଜମିବାର ଆଶଙ୍କା ରହିଛି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବାକୁ କୁହାଯାଇଛି । ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବ ଗଛ ସଫା ପାଇଁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ ।

ବୌଦ୍ଧ,ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର,କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକ ରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ ପାଇଁ କୁହାଯାଇଛି। ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେଉଁଝର ଓ ସମ୍ୱଲପୁରରେ ଓଡରାଫ ଟିମ ଓ ଭଦ୍ରକ ଓ ଯାଜପୁରରେ ଏନଡିଆର ଏଫ୍ ଟିମ ମୁତୟନ ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି ।

ଉଲ୍ଲେଖନୀୟ ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩.୮୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ବ୍ଲକରେ ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

Leave a Reply

Your email address will not be published. Required fields are marked *