ପଦ୍ମପୁର ବାଜିରେ ଆମେ ବାଜିଗର, ତିନି ଦଳର ଦୃଢୋକ୍ତି

Spread the love

() ସରିଲା ପଦ୍ମପୁର ଭୋଟ୍। ଏବେ ପଦ୍ମପୁରର ପ୍ରତିନିଧିତ୍ୱ କିଏ କରିବେ, ତାହା ଇଭିଏମରେ କଏଦ ହୋଇସାରିଛି। ୮ରେ ଏହି ପ୍ରଶ୍ନର ଉତ୍ତର ମିଳିବ। ତେବେ ପଦ୍ମପୁର ବାଜିରେ ଆମେ ବାଜିଗର ବୋଲି ତିନି ପ୍ରମୁଖ ଦଳ ଦମ୍ଭୋକ୍ତି ଦେଖାଇଛନ୍ତି। ବିଜେଡି କହିଛି, ବଡ଼ ବ୍ୟବଧାନରେ ଜିତିବ। ବିଜେପି କହୁଛି, ପଦ୍ମପୁରରେ ପୁରୋହିତ୍। ଆଉ କଂଗ୍ରେସ କହୁଛି, ପରିବର୍ତ୍ତନର ସ୍ୱର ଶୁଭିବ ପଦ୍ମପୁରରୁ।

ପଦ୍ମପୁରବାସୀ କାହାକୁ ନିଜର ପ୍ରତିନିଧି କରି ବିଧାନସଭାକୁ ପଠାଇବେ? ଏହାର ନିଷ୍ପତ୍ତି ନେଇସାରିଛନ୍ତି ପଦ୍ମପୁର ଭୋଟର। ବାଲାଟରେ ଦେଇଥିବା ଉତ୍ତର ଇଭିଏମରେ ସିଲ୍ ହୋଇସାରିଛି। ୮ ତାରିଖରେ ସିଲ୍ ଖୋଲିବ ଆଉ ସ୍ପଷ୍ଟ ହୋଇଯିବ, ପଦ୍ମପୁର କାହାର? ବିଜେଡି ବିଜୟରେ ବ୍ରେକ୍ ଲଗାଇଥିବା ଧାମନଗର ଉପନିର୍ବାଚନର କ୍ଷତକୁ ଭରଣା କରିବାକୁ ପଦ୍ମପୁର ବିଜୟ ବିଜେଡି ଲାଗି  ମଇଲମ ସାଜିବ ଓ ଏହା ବି ବଡ଼ ସମ୍ମାନର ପ୍ରଶ୍ନ। ସେଥିଲାଗି ମୁଖ୍ୟମନ୍ତ୍ରୀ ବି ପ୍ରଚାରକୁ ଓହ୍ଲାଇଥିଲେ। ଆଉ ବିଜେଡିର ଦମ୍ଭୋକ୍ତି, ବର୍ଷା ସିଂ ବରିହାଙ୍କ ଉପରେ ଜନତା ଆଶୀର୍ବାଦ ଢାଳିଛନ୍ତି। ମହିଳାଙ୍କୁ ଅସମ୍ମାନର ଜବାବ ଭୋଟରେ ଦେଇସାରିଛନ୍ତି। ବଡ଼ ବ୍ୟବଧାନରେ ଜିତିବ ବିଜେଡି।

ସେପଟେ ବିଜେପି କହିଛି, ଧାମନଗର ବିଜୟ ଟ୍ରେଣ୍ଡକୁ ପଦ୍ମପୁରରେ ଦୋହରାଇବ ଦଳ। ପ୍ରଦୀପ ପୁରୋହିତଙ୍କ ପ୍ରତି ଜନତା ଆସ୍ଥାପ୍ରକଟ କରିଛନ୍ତି। ମୋଦିଙ୍କ ବିକାଶଧାରାରେ ପଦ୍ମପୁରକୁ ଯୋଡ଼ିବାକୁ ପଦ୍ମପୁରବାସୀ ସ୍ଥିର କରିସାରିଛନ୍ତି। ସରକାରୀ ଦଳ ଓ କଳର କୌଣସି ପ୍ରଲୋଭନର ପାଲରେ ପଡ଼ିନାହାନ୍ତି ସଚେତନ ଭୋଟର।

ସେପଟେ କଂଗ୍ରେସ କହିଛି, ଉଭୟ ବିଜେଡି ଓ ବିଜେପି ପଦ୍ମପୁରରେ ଟଙ୍କା ଉଡ଼ାଉଥିଲେ। କିନ୍ତୁ ପଦ୍ମପୁର ଭୋଟର ଏଥିରେ ଭଳିନାହାନ୍ତି। ଉଭୟ ଦଳର ହିଂସା, ପରସ୍ପର ବିରୁଦ୍ଧରେ ତଦନ୍ତକାରୀ ଏଜେନ୍ସିକୁ ଲଗାଇ ହଲାପଟ୍ଟା ଆଦି ଅନେକ କଥାକୁ ଭୋଟର ପରଖିସାରିଛନ୍ତି। ସେଥିଲାଗି କଂଗ୍ରେସକୁ ଏଥର ଜିତାଇଆଣିବେ। ସତ୍ୟଭୂଷଣଙ୍କ ଭଳି ପ୍ରାର୍ଥୀଙ୍କ ଉପରେ ଭରସା ଅଜାଡ଼ିଛନ୍ତି।

ପଦ୍ମପୁର ଜିତିଲେ ବିଜେଡିର ସମ୍ମାନ ରହିବ। ହାରିଲେ ବିଜେପି ଉତଥାନର ପାରାକୁ ଶକ୍ତ ଧକ୍କା ଲାଗିବ। ଆଉ କରିସ୍ମା ହେଲେ କଂଗ୍ରେସ ଇତିହାସ ରଚିବ।

ନବକିଶୋର ସାହୁଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *