ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ଅକ୍ଷୟ ତୃତୀୟା ପାଳିତ ହୋଇଛି । ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଅକ୍ଷିମୁଠି ଅନୁକୁଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମହାମହିମ ରାଜ୍ୟପାଳ ଡଃ. ହରିବାବୁ କମ୍ଭମପତି । ପାରମ୍ପାରିକ ଭାବେ ପୂଜାର୍ଚ୍ଚନା କରିବା ପରେ ରାଜ୍ୟପାଳ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅକ୍ଷିମୁଠି ଅନୁକୁଳ କରିଥିଲେ । ଏହାପରେ ନିକଟରେ ଥିବା ସଭାସ୍ଥଳରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଡଃ. ହରିବାବୁ କୁମ୍ଭମପତି । କୃଷି ମାନଙ୍କର ଆୟକୁ ଦ୍ଵିଗୁଣିତ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଅତ୍ୟାଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ କିଭଳି ଚାଷ କାର୍ଯ୍ୟକୁ ଆଗେଇ ନିଆଯାଇପାରିବ ସେ ନେଇ କୃଷି ବିଭାଗ ସର୍ବଦା ଚେଷ୍ଟିତ । ଏନେଇ କୃଷକ ମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି । ଆଜି ଭଳି ଏକ ପବିତ୍ର ଦିନରେ କୃଷକ ମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି କହିଥିଲେ ରାଜ୍ୟପାଳ । ଏହାସହ ଦୁଇ ଚାଷୀଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷିଙ୍କୁ କିଭଳି ସୁବିଧା ସୁଯୋଗ ଦିଆଯାଉଛି ସେ ନେଇ କେନ୍ଦ୍ରକୁ ବୁଲି ଦେଖିଥିଲେ ରାଜ୍ୟପାଳ । ଆଜିର ଦିନରେ କୃଷକ ମାନଙ୍କୁ ମଧ୍ୟ ପିଏମ କିଷାନ ଓ ସିଏମ କିଷାନ ଜରିଆରେ ସହାୟତା ବଣ୍ଟନ କରାଯାଇଛି । ଚାଷୀଙ୍କ ହିତ ପାଇଁ ବିଜେପି ସରକାର ସଦାସର୍ବଦା କାମ କରୁଛି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀରଙ୍କ ସମେତ କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ରଙ୍ଗେଇଲୁଣ୍ଡା ବ୍ଲକର ଶତାଧିକ ଚାଷୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now