କଥା ଦେଲା ବିଡିଏ। ସମୟସୀମାରେ ସାରିବ ଟିପି ସ୍କିମ୍। କାହାକୁ ବେସାଇଜିଆ ପ୍ଲଟ୍ ଦେବନି। ଏଣିକି ପଟ୍ଟାରେ ରହିବ ଘରବାରି କିସମ। ବଡ଼ ପ୍ଲଟ ମାଲିକଙ୍କୁ ବି ଦେଲା କଥା। ଜାଗାର ୪୦ ପ୍ରତିଶତ ଭିତ୍ତିଭୂମି ଲାଗି ନେବା ପରେ ପୁ଼୍ଣି ଥରେ ଜମି ମାଲିକଙ୍କୁ ଲେ-ଆଉଟ ଆଳରେ କୌଣସି ପ୍ରକାରେ ହଇରାଣ ହରକତ କରାଯିବନି। ଅନ୍ଧାରୁଆ-ଦାସପୁର ଟିପି ସ୍କିମ୍-୮ରେ ଜମି ମାଲିକଙ୍କ ଜନଶୁଣାଣୀରେ ଏଭଳି ସକରାତ୍ମକ ଭାବନା ନେଇ ଆଗକୁ ଆସିଛି ବିଡିଏ। ଅନ୍ଧାରୁଆ-ଦାସପୁର ମୌଜାର ୫୬୦ ଏକର ପରିମିତ ଜାଗାକୁ ନେଇ ହେଉଛି ଟିପି ସ୍କିମ୍-୮। ଯାହାର ପଛପଟେ ରହିଛି ନ୍ୟୁ-ସିଟି। ଜମି ମାଲିକଙ୍କର ମୂଳ ପ୍ଲଟ କେଉଁଠି ଥିଲା। ଟିପି ସ୍କିମ୍ ହେବା ପରେ କେଉଁଠି ପ୍ଲଟ ପାଇଛନ୍ତି। କେତେ ଫୁଟିଆ ରାସ୍ତାରେ ପାଇଛନ୍ତି। ସେ ନେଇ ନକ୍ସା ସାର୍ବଜନୀନ କରିଛି। ଆପତ୍ତି ଅଭିଯୋଗ ଥିଲେ ଜମି ମାଲିକ ୪୫ ଦିନ ଭିତରେ ବିଡିଏକୁ ଜଣାଇଲେ ସମସ୍ୟା ସମାଧାନ ହେବ। ଜମି ମାଲିକ ବି ନିଜ ନିଜର ଅସୁବିଧାକୁ କହିଥିଲେ। ପୂର୍ବରୁ ହୋଇଥିବା ୪ଟି ସ୍କିମରେ ଅହେତୁକ ବିଳମ୍ୱରୁ ନେଇ ଅନେକ କଥାର ଯେଭଳି ପୁନରାବୃତ୍ତି ନ ହେବ, ସେ ନେଇ ପ୍ରସ୍ତାବ ରଖିଥିଲେ। ଯାହାକୁ ବିଡିଏ ଅଧିକାରୀ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି। ଟିପି ନୋଡାଲ ଅଫିସର ପ୍ରତି ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରି ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କଥା ଦେଇଥିଲେ।
ସେପଟେ ସାମପୁର ମୌଜାକୁ ଟିପି-୭ରୁ ବାଦ୍ ଦେବାକୁ ଚିନ୍ତା କରିଛି ବିଡିଏ। ସାମପୁରରେ ସେଟଲମେଣ୍ଟ ଫାଇନାଲ ହୋଇନଥିବା ହେତୁ କେବଳ ମଳିପଡ଼ା ମୌଜାରେ ଟିପି ହେବ। ସାମପୁର ସହ ସଂଯୋଗୀକରଣ ଲାଗି କେବଳ ବ୍ୟବସ୍ଥା କରାଯିବ। ସେଟଲମେଣ୍ଟ ବିଳମ୍ୱ ଲାଗି ଟିପିକୁ ଆଉ ବିଳମ୍ୱିତ କରିହେବନି ବୋଲି କହିଛନ୍ତି ବିଡିଏ ଭିସି। ପୂର୍ବରୁ ମଳିପଡ଼ାରେ ବିଡିଏ ବିରୋଧାଭାସର ସମ୍ମୁଖୀନ ହୋଇଥିଲା। ଲୋକେ ନକ୍ସା ବି ଚିରି ଦେଇ ଅଧିକାରୀଙ୍କୁ ଏଠାରେ ଟିପି କରାଇଦେବୁନି କହି ବିଗିଡ଼ିଥିଲେ। ହେଲେ ଏବେ ବିଡିଏର ଏଭଳି ସକରାତ୍ମକ ମନୋଭାବରୁ ଏଠାରେ କିନ୍ତୁ ଲୋକେ ବିଡିଏକୁ ଭରପୁର ସମର୍ଥନ ଦେଇଥିଲେ। ଟିପି ସ୍କିମ୍ ଉପରେ ନିର୍ଭର କରୁଛି ୬୫ କିଲୋମିଟରର ରିଂ ରୋଡ୍। ଟିପି ସ୍କିମ୍ର ଚାହିଦା ବଢୁଛି। ବିଡିଏ ଲୋକଙ୍କ ଭରସା ଜିତୁଛି। ସରକାର ଅଜସ୍ର ଅର୍ଥ ଅଜାଡ଼ି ଦେଉଥିଲା ବେଳେ ନ୍ୟୁ-ସିଟି ଓ ରିଂ ରୋଡ୍ କାମ କେତେ ଶୀଘ୍ର ସରିବ, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp
Join and get latest news update delivered to you via whatsapp
Join Now