ନେଭାର ପ୍ରୟୋଗ ନିମନ୍ତେ ବିଧାନସଭାରେ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ, ନେଭା ସେବାକେନ୍ଦ୍ର ଉଦ୍ଘାଟିତ

Spread the love

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍ ଇ-ବିଧାନ) ଜରିଆରେ ପେପରଲେସ୍ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଅନ୍ଲାଇନ୍ ଏବଂ ଡିଜିଟାଲ ମାଧ୍ୟମରେ କରାଯିବ । ଏଥି ପାଇଁ ପର୍ଯ୍ୟାୟ କ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏନ୍ଆଇସି ଏବଂ ଓକାକ୍ କର୍ତୃପକ୍ଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ପରିସରରେ ନେଭା ସେବା କେନ୍ଦ୍ର ଉଦ୍ଘାଟିତ ହେବା ସହ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟରତ ସମସ୍ତ ସହକାରୀ ଉପବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି ।

ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ କହିଲେ ଯେ ନେଭାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭା ଦେଶରେ ଅଗ୍ରଣୀ । ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ୱାସ୍ ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିବାରୁ ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍ ପ୍ରୟୋଗରେ ସଫଳ ହେବେ ବୋଲି ଶ୍ରୀ ସିଂହ ଆଶାପ୍ରକାଶ କରିଥିଲେ । ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଧାନସଭା ପ୍ରଶ୍ନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନ୍ଲାଇନ୍ ରେ ଇ-ବିଧାନ ମାଧ୍ୟମରେ ସଂପନ୍ନ କରିବା ପାଇଁ ବିଧାନସଭାର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।

ପ୍ରକାଶଯୋଗ୍ୟ ଯେ ୨୦୧୮ ମସିହାରେ ଦେଶରେ ‘ୱାନ୍ ନେସନ୍, ୱାନ୍ ଆପ୍ଲିକେସନ୍’ ପଦ୍ଧତି ଆରମ୍ଭ କରିବା ପାଇଁ ନ୍ୟାସନାଲ୍ ଇ-ବିଧାନ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା । ସମଗ୍ର ଦେଶରେ ବିଧାନସଭାର କାର୍ଯ୍ୟାବଳୀକୁ ଡିଜିଟାଲ୍ ପ୍ରଣାଳୀରେ ସଂପନ୍ନ କରିବା ଇ-ବିଧାନର ଉଦ୍ଦେଶ୍ୟ । ଏହି ଆପ୍ଲିକେସନ୍ ଦ୍ୱାରା ବିଧାନସଭା କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ତଥ୍ୟ ଗୋଟିଏ ମଂଚରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *