ଦୁଇ ଦିନିଆ ଆଇଏଏସ ସମ୍ମିଳନୀ ଶେଷ

Spread the love

() ଶେଷ ହେଲା ଦୁଇ ଦିନିଆ ଆଇଏଏସ ସମ୍ମିଳନୀ। ଆଜି ଶେଷ ଦିନରେ କୋଣାର୍କଠାରେ ବରିଷ୍ଠ ଅଧିକାରୀ ଏକାଠି ହୋଇ ବିଭିନ୍ନ ବିଭାଗର ପାରଦର୍ଶିତା ବାବଦରେ ଆଲୋଚନା କରିଛନ୍ତି। ବିଭିନ୍ନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କିଭଳି ଅନୁପାଳନ କରିବା ସହ ଲୋକଙ୍କୁ ଧାର୍ଯ୍ୟ ସମୟ  ଓ ସହଜ ସେବା ଉପଲବ୍ଧ କରିପାରିବ, ତାକୁ ନେଇ ଘମାସାନ ଆଲୋଚନା ହୋଇଛି ସମ୍ମିଳନୀରେ।

ଶେଷ ଦିନରେ କୋଣାର୍କରେ ବିଭିନ୍ନ ବିଭାଗର ରୋଡମ୍ୟାପ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା। ଏମଏସଏମଇ ଓ ଷ୍ଟାର୍ଟଅପ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଋଣର ସହଜ ଉପଲବ୍ଧ ଜରୁରୀ ହେତୁ ଏମଏସଏମଇ ପାଇଁ ସରକାରୀ ପ୍ରାୟୋଜିତ ଋଣ ଯୋଜନା ଅଧୀନରେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

କ୍ରୀଡ଼ା କୈନ୍ଦ୍ରିକ ସମାଜ ସହ ସୁସ୍ଥ ଓ ସମର୍ଥ ଓଡ଼ିଶା ଗଠନ ଦିଗରେ କ୍ରୀଡ଼ା ବିଭାଗ ଗୁରୁତ୍ୱାରୋପ କରିଥିଲା ବେଳେ ଗଣଶିକ୍ଷା ବିଭାଗ ବିଦ୍ୟାଳୟ ରୂପାନ୍ତରୀକରଣକୁ ଅଧିକ ଫୋକସ କରିଛି। ଏହା ସହ ଆସ୍ପିରେସନାଲ କରିକୁଲମ, ଆସନ୍ତା ଶିକ୍ଷାବର୍ଷଠୁ ଏକାଡେମିକ କ୍ୟାଲେଣ୍ଡର ଓ ଷ୍ଟୁଡେଣ୍ଟ ଡାଏରୀ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛି।

ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସାରିବାକୁ ଗୁରୁତ୍ୱ ଦିଆଯାଇଥିଲା ବରିଷ୍ଠ ଅଧିକାରୀ ସମ୍ମିଳନୀରେ। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଲାଗିଥିବା ପୁନର୍ବାସ ଓ ଥଇଥାନ ଚ୍ୟାଲେଞ୍ଜ, ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶ, ଉତ୍ପାଦ ବିକାଶ ଓ ସର୍ବୋପରି ପର୍ଯ୍ୟଟନ ପ୍ରୋତ୍ସାହନ ଉପରେ ଆଲୋଚନା ହୋଇଛି। ସଡ଼କ, ରେଳ, ଜଳ ପରିବହନ ଓ ବେସାମରିକ ବିମାନ ଚଳାଚଳଗୁଡିକର ଉନ୍ନତି ପାଇଁ ଏକ ଅଭିଳାଷୀ ଯୋଜନା ଉପସ୍ଥାପନ କରିଥିଲେ ପରିବହନ ସଚିବ ଉଷା ପାଢୀ।  ୨୦୨୨ରେ ୨ ଲକ୍ଷ ଜମି ପଟ୍ଟା ସଂଶୋଧନ କରାଯାଇ ସପ୍ତାହକ ଭିତରେ ନାଗରିକଙ୍କୁ ସ୍ପିଡ ପୋଷ୍ଟ ଜରିଆରେ ପଠାଯାଇଛି। ଦେଶର ୭୫ଟି ଜିଲ୍ଲାରୁ ଓଡ଼ିଶାର ୨୦ଟି ଜିଲ୍ଲା ୬ଟି ଉପାଦାନରେ ୯୯ ପ୍ରତିଶତରୁ ଅଧିକ ଲକ୍ଷ୍ୟହାସଲ ହେତୁ କେନ୍ଦ୍ର ସରକାର ପ୍ଲାଟିନମ ପୁରଷ୍କାର ଦେବେ। ତ୍ୱରିତ ଓ ନିର୍ଭୁଲ ରେକର୍ଡ ସେବା ପାଇଁ ହାଇଟେକ୍ ସର୍ଭେକୁ ତ୍ୱରାନ୍ୱିତ କରାଯାଇଛି। ପ୍ରତି ତହସିଲରେ ୨ରୁ ୩ ଦିନ ନିୟମିତ କ୍ୟାମ୍ପ କରିବାକୁ ନିର୍ଦେଶ ଦିଆଯାଇଛି। ଜନଜାତିଙ୍କ ସଶକ୍ତିକରଣ ଓ ସେମାନଙ୍କ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ସମ୍ମିଳନୀରେ।

ଦୁଇ ଦିନିଆ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ଶୁଣ ଓ ତାହାର ସମାଧାନ କର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *