ମାହାଙ୍ଗାର ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ମାହାଙ୍ଗା/ଭୁବନେଶ୍ୱର : ଆଜି ଓଡ଼ିଶା ବହୁତ ଖରାପ ସ୍ଥିତିରେ ଅଛି । ସରକାରଙ୍କ ପକ୍ଷରୁ ହେଉଥିବା କାମରେ ଟେଣ୍ଡର ହେଉନାହିଁ । ପାରଦର୍ଶିତା ନାହିଁ, ସ୍ୱଚ୍ଛତା ନାହିଁ । ଅନେକ ଯୋଜନାରେ ଭୂତ ହିତାଧିକାରୀ ଅଛନ୍ତି । ପ୍ରଚାର ସର୍ବସ୍ୱ ଓଡ଼ିଶା ସରକାରଙ୍କୁ ଓଡ଼ିଆ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ଦେଖାଯାଉନାହିଁ । ରାଜ୍ୟ ସରକାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି ବୋଲି ଶୁକ୍ରବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ଯୋଡି ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ୯ ବର୍ଷର ସେବା, ସମର୍ପଣ ଓ ସୁଶାସନର ପୂର୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ଯୋଡିହୋଇ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ସରକାରରେ ଅପାରଗ ଶାସନ ଏବଂ ଅବ୍ୟବସ୍ଥା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣୀ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହେଇପାରୁନାହି । ଜିରୋ ଟୋଲେରାନ୍ସର ନୀତିବାଣି କହୁଥିବା ସରକାରରେ ଗତ ୬ ମାସରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ସମେତ ଦୁର୍ନୀତିଗ୍ରସ୍ତ ତଳିଆ କର୍ମଚାରୀଙ୍କୁ ଠାରୁ ୧୦୦ କୋଟି ଟଙ୍କା ଜବତ ହୋଇଛି । କିନ୍ତୁ ସରକାର ଏଠାରେ ଦିନରେ ଜାଣି ଶୁଣି ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି । ଦୀର୍ଘ ୨୩ ବର୍ଷରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସରକାରରେ ଉପେକ୍ଷିତ ହୋଇଥିବା ନାଗରିକଙ୍କ କଥାକୁ ମୁଖର ଭାବେ ଉଠାଇବା ପାଇଁ ଆଜି ସମୟ ଆସିଛି ।

ରାଷ୍ଟ୍ରୀୟ ବିଜେପି ସଭାପତି ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଘର ଦେବା କଥା କହିଲେ ଏଠାରେ ଶାସକ ଦଳର ନେତା ମାନଙ୍କୁ ବହୁତ କଷ୍ଟ ହେଉଛି । ପିଏମ ଆବାସ ବଣ୍ଟନରେ ଓଡ଼ିଶାରେ ପ୍ରାୟ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ସଂସଦରେ ଉପସ୍ଥାପିତ ହୋଇଛି । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣକାରୀ ଯୋଜନାରେ ଓଡ଼ିଶାକୁ ପଠାଉଥିବା ଅର୍ଥ ନିଜ ଦଳର ଛାମୁଆ ନେତାଙ୍କ ପକେଟ ଗରମ କରିବା ପାଇଁ ନୁହେଁ ବରଂ ଗରିବ ଲୋକଙ୍କ ମୁଣ୍ଡ ଉପରେ ସମ୍ମାନର ସହ ଛାତ ଘର ନିର୍ମାଣ କରିବା ପାଇଁ । ୨୦୧୬ରୁ ଆରମ୍ଭ ହୋଇଥିବା ପିଏମ ଆବାସ ଯୋଜନାରେ ଓଡ଼ିଶା ସରକାର ଅନେକ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲେ ନାହିଁ । ଫନୀ ସମେତ ଅନେକ ସମୟରେ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପରେ ମଧ୍ୟ ଓଡ଼ିଶା ସରକାର ଦିଲ୍ଲୀକୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ପଠାଇଲେ ନାହିଁ ।

ପିଏମ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ମାହାଙ୍ଗା ମାଟିର ବିଜେପି କାର୍ଯ୍ୟକର୍ତା ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ସ୍ୱର୍ଗତ ଦିବ୍ୟସିଂହ ବରାଳଙ୍କୁ ବଳିଦାନ ଦେବାକୁ ପଡିଥିଲା । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ମୋଦି ଦେଉଥିବା ଟଙ୍କା ପାଇବାରୁ ଗରିବ ଲୋକମାନେ ବଞ୍ଚିତ ହେଉଛନ୍ତି । ଚାଲି ନ ଜାଣି ବାଟର ଦୋଷ ଦେଉଥିବା ରାଜ୍ୟ ସରକାର ମୋଦିଜୀଙ୍କ ଗରିବ କଲ୍ୟାଣ ଯୋଜନାକୁ ନେଇ ଯେଉଁ ଭ୍ରାନ୍ତ ଧାରଣା ତିଆରି କରୁଛନ୍ତି, ତାହାକୁ ବନ୍ଦ କରନ୍ତୁ । ଓଡ଼ିଶାକୁ ଆସିଥିବା ପ୍ରାୟ ୨୭ ଲକ୍ଷ ଘରର ଆବଣ୍ଟନ ହୋଇଥିବା ବେଳେ ନିକଟ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ହୋଇଥିବା ସାଢେ ୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ବୋଲି ପ୍ରଧାନ ଦାବି କରିଛନ୍ତି ।

ଆଜି ଦେଶର ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶର ସମ୍ମାନ ବଢିଛି । ଆଜି ସମଗ୍ର ଭାରତବର୍ଷରେ ଗରିବ, ମହିଳା, ଯୁବ, ଚାଷୀ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁଙ୍କ ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ଅନୁଦାନ ବୃଦ୍ଧି କରାଯିବା ସହ ଗରିବ କଲ୍ୟାଣ ଯୋଜନାକୁ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଯାଇଛି । ମୋଦି ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ପାଇଁ ଓଡ଼ିଶା ଖଣି ରାଜସ୍ୱ, ପଞ୍ଚଦ୍ଦଶ କମିଶନ, କାମ୍ପା ଫଣ୍ଡ, ଡିଏମଏଫ ଫଣ୍ଡରେ ପ୍ରଚୁର ଅର୍ଥ ଓ ଅନୁଦାନ ପାଇଛି । ପ୍ରଧାନମନ୍ତ୍ରୀଙ୍କ ବାର୍ତାକୁ ପ୍ରତି ଘରେ ଘରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରଧାନ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *