ଅନାସ୍ଥା ଆଗରୁ ଅଟକ ପଲିଟିକ୍ସ

ଝାରସୁଗୁଡ଼ାରେ ପଲିଟିକାଲ ହାଇଡ୍ରାମା। କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଆଗରୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳଙ୍କୁ ଛତିଶଗଡ଼ ପୁଲିସ ଅଟକ ଘଟଣା ହଇଚଇ ଖେଳାଇଥିଲା। କେବଳ ବିଶାଳ ନୁହେଁ। ବିଶାଳଙ୍କ ସହ ଥିବା କିଛି ସମିତିସଭ୍ୟଓ ସରପଞ୍ଚଙ୍କୁ ବି ଗୁରୁବାର ରାତିରୁ ଅଟକ ରଖିଥିଲା ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା। ଏଭଳି ବେଆଇନ ଅଟକ ଗଣତନ୍ତ୍ରର ଖୋଲା ହତ୍ୟା କହିବା ସହ ସମସ୍ତ ଅଟକଙ୍କୁ ତୁରନ୍ତ ମୁକୁଳାଇବାକୁ ବ୍ୟବସ୍ଥା କର ବୋଲି ଅପିଲ୍ କରିଥିଲେ ବିଶାଲ। ପୁଲିସକୁ ଦେଖିଲେ ଡର ମାଡ଼ୁଛି ବୋଲି କହିଥିଲେ ବିଶାଳ। ବାପା ନବ ଦାସଙ୍କୁ ପୁଲିସ ମର୍ଡର କଲା ଘଟଣା ମନେ ପକାଇ ଏଭଳି କହିଛନ୍ତି ବିଶାଳ।

ଅନାସ୍ଥା ଭୋଟକୁ ନେଇ ଘୋଡ଼ା ବେପାର ହେବା ଆଶଙ୍କାରେ କିଛି ସମିତିସଭ୍ୟ ଓ ସରପଞ୍ଚଙ୍କୁ ଗଲା କିଛି ଦିନ ହେଲା ଛତିଶଗଡ଼ର ବିଭିନ୍ନ ହୋଟେଲରେ ରଖାଯାଇଥିଲା। ସେମାନଙ୍କୁ ସରେଇପାଲି ପୁଲିସ ଥାନାରେ ଅଟକ ରଖିଥିଲା ବେଳେ ଭେଟିବାକୁ ଯାଇଥିଲେ ବିଶାଳ। ହେଲେ ବିଶାଳଙ୍କୁ ବି ପୁଲିସ ଅଟକ ରଖିଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶାଳଙ୍କ ଭଉଣୀ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସ। ବିଜେପି ଡରୁଆ ଦଳ। ଅନାସ୍ଥାରେ ହାରିବା ଜାଣି ପୁଲିସ ଲଗାଇ ବିଶାଳଙ୍କୁ ଏମିତି ବେଆଇନ ଅଟକ ରଖାଗଲା। ଗଣତନ୍ତ୍ରକୁ ହତ୍ୟା ହୋଇଛି। ଏହାର ପ୍ରତିବାଦରେ ଶତାଧିକ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରି ଦାବିପତ୍ର ଦେଇଥିଲେ ଦିପାଳୀ।

ଗୁରୁବାର ସମ୍ୱଲପୁର ଅଇଁଠାପାଲି ସ୍ଥିତ ବିଶାଲଙ୍କ ହୋଟେଲରେ ଯାଞ୍ଚ କରିଥିଲା ସରେଇପାଲି ପୁଲିସ। ବିନା ସର୍ଚ୍ଚ ଓ୍ୱାରେଣ୍ଟରେ ହୋଟେଲରେ ଯାଞ୍ଚକୁ ବିରୋଧ କରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଫେରାଦ୍ ହୋଇଥିଲେ ବିଶାଳ। ରାଜନୈତିକ ଚାପର ଆଶଙ୍କା କରିଥିଲେ। ବିଶାଳ ଫେରାଦ ପରେ ତଦନ୍ତ ହେବ ବୋଲି ଆଶ୍ୱାସନା ଦେଇଥିଲେ ଆଇଜି। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି। ଛତିଶଗଡ଼ରେ ରାତି ଅଧରେ ବିଶାଳ କଅଣ କରୁଥିଲେ। ଛତିଶଗଡ ପୁଲିସ ଅଟକ ରଖିଛି। ସେଥିଲେ ଓଡ଼ିଶାର ଭୁଲ୍ କୁଆଡ଼େ ଆସିଲା। ଛତିଶଗଡ଼ ପୁଲିସ କେମିତି ଜାଣିବ ବ୍ଲକ ନିର୍ବାଚନ କଥା। ଅଯଥା ଅଭିଯୋଗ ଆଣୁଛି ବିଜେଡି।

ଏଭଳି ହାଇଡ୍ରାମା ଭିତରେ ଅନାସ୍ଥା ଭୋଟ ହୋଇପାରିଲାନି। ଭୋଟ୍ ଦେବାକୁ ସମିତିସଭ୍ୟ କି ସରପଞ୍ଚ ନ ଆସିବାରୁ ଅପେକ୍ଷା କରି ଫେରିଯାଇଛନ୍ତି ନିର୍ବାଚନ ଅଧିକାରୀ। ସକାଳ ୧୦ରୁ ଆରମ୍ଭ ହେବାର ଥିଲା ଅନାସ୍ଥା ଭୋଟ୍। କିରିମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଥିଲା। ଏହାକୁ ନେଇ ଗଲା ୫ ମାସ ହେଲା ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଚାଲିଥିଲା। ଅନାସ୍ଥା ଭୋଟ ଲାଗି ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଉପଜିଲ୍ଲପାଳ ବିଜ୍ଞପ୍ତି ଜାରି ସହ ସମୟ ସୂଚୀ ସ୍ଥିର କରିଥିଲେ। କିନ୍ତୁ ଏଭଳି ହାଇଭୋଲଟେଜ୍ ଡ୍ରାମାରୁ ହୋଇପାରିଲାନି ଅନାସ୍ଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *