ଆଜି ଝାରସୁଗୁଡା ଉପନିର୍ବାଚନ

Spread the love

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି ମତଦାନ ଜାରି ରହିବ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି ।  ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିଥିବା ବେଳେ ବିଜେପି  ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । 

୧୯୭ଟି ସ୍ଥାନରେ ୨୫୩ଟି ବୁଥ୍ ରେ ମତଦାନ ହେବାକୁ ଥିବାବେଳେ ସେଥିମଧ୍ୟରେ୨୬ଟି ପିଙ୍କ୍ ବୁଥ୍  ରହିଛି । ପ୍ରତି ବୁଥ୍ ପାଇଁ ୪ଜଣ ଲେଖାଏ ହିସାବରେ ୧୦୧୨ଜଣ ଅଧିକାରୀ ମୁତୟନ ହୋଇଥିବାବେଳେ ୨୪ଟି ଟିମ୍ ସଂରକ୍ଷିତ ଅଛନ୍ତି । ୪୦ଟି ମଡେଲ୍ ବୁଥ୍ କରାଯାଇଛି ।

ଉପନିର୍ବାଚନରେ ୨,୨୧,୭୧୯ ଜଣ ମତଦାତା ମତଦାନ କରିବାକୁ ଥିବାବେଳେ ଏଥିରେ ୧,୧୦,୬୧୯ଜଣ ପୁରୁଷ, ୧,୧୧,୦୩୭ଜଣ ମହିଳା, ୬୩ଜଣ କିନ୍ନର, ୨୫୩୪ଜଣ ଭିନ୍ନକ୍ଷମ ଏବଂ ୨୪୯ଜଣ ସର୍ଭିସ ମତଦାତା ଅଛନ୍ତି । ଏହିଦିନଟି ସବୈତନିକ ଛୁଟି ଭାବେ ଘୋଷଣା କରାଯାଇଛି । ନିର୍ବାଚନରେ ୩୩୦ଜଣ ବରିଷ୍ଠ ନାଗରିକ / ଭିନ୍ନକ୍ଷମ ପୋଷ୍ଟାଲ ବାଲାଟ୍ ରେ ଭୋଟ୍ ଦେବାକୁ ଆବେଦନ କରିଥିବାବେଳେ ଏଥିରୁ ୩୨୧ଜଣ ମତଦାନ କରିଛନ୍ତି । ଏଥର ସମସ୍ତ ୨୫୩ଟି ବୁଥ୍‌ରେ ୱେବକାଷ୍ଟିଂ ହେବାକୁ ଥିବାବେଳେ ୬୯ଟି ସ୍ଥାନରେ ଥିବା ୧୧୬ଟି ସମ୍ବେଦନଶୀଳ ବୁଥ୍ ପାଇଁ ୬୯ଜଣ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯାଇଛି । ଏହାସହ ଅତିରିକ୍ତ ସିଏପିଏଫ୍ ଯବାନ୍ ମୁତୟନ କରାଯାଇଛି ।

ଉପନିର୍ବାଚନ ପାଇଁ ୧୮୧୪ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଥିରେ ୧୫୫ଜଣ ପୁଲିସ ଅଧିକାରୀ, ୧୭ ପ୍ଲାଟୁନ୍ ସଶସ୍ତ୍ର ପୁଲିସ, ୩୨୩ଜଣ ହାବିଲଦାର/କନଷ୍ଟେବଳ, ୨୦୫ଜଣ ହୋମଗାର୍ଡ, ୭ କମ୍ପାନି ସିଏପିଏଫ୍ ଯବାନ ଅଛନ୍ତି । ୧୪୪ଟି ବୁଥ୍‌ରେ ସିଏପିଏଫ୍ ଯବାନ ମୁତୟନ ହେବେ ।

Leave a Reply

Your email address will not be published. Required fields are marked *