ଓ୍ୱାକଫ ସଂଶୋଧନ ବିଲ୍ ସମର୍ଥନ ପଛରେ କିଏ। ପୁରା ପ୍ରକରଣର ମାଷ୍ଟରମାଇଣ୍ଡ କିଏ। ସସ୍ମିତ୍ ତ ସବୁତକ କରି ବିଦେଶରେ ରହି ପାଲା ଦେଖୁଛନ୍ତି। କିନ୍ତୁ ଏପଟେ କିଏ ନବୀନ ତ କିଏ ପାଣ୍ଡିଆନଙ୍କୁ ଦାୟୀ କରି ଏକ୍ସ-ରେ ଓ୍ୱାରରୁ ନେଇ ବୟାନବାଜି ତେଜ୍ ହୋଇଛି। ଏକପ୍ରକାର ଧର୍ମସଙ୍କଟରେ ପଡ଼ିଯାଇଛି ବିଜେଡି। ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ନେଇସାରିଥିବା କହି କିଏ ତାଙ୍କ ବିରୁଦ୍ଧରେ ପଦେ ସହୁନି ତ କିଏ ଦାୟୀ କରି ବିବାଦୀୟ ବୟାନ ଫିଙ୍ଗୁଛି। ଏତିକିବେଳେ ଏକ ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି କାହା ଲାଗି ଓ କେଉଁ ଉଦେଶ୍ୟରେ ବୋଲି ଚର୍ଚ୍ଚା ଧରିଛି। ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରିଲେ, ବରଦାସ୍ତ କରାଯିବନି ବୋଲି କହିଛନ୍ତି ନେତାଏ। ବାହ୍ୟଶକ୍ତି ହେଉ ଅବା ଦଳ ଭିତରୁ ଚେଷ୍ଟା ହେଲେ ଆଦୌ ଛାଡ଼ିବୁନି ବୋଲି ଚେତେଇ ଦେଇଛନ୍ତି ନେତାଏ। ଲୋକପ୍ରିୟ ନବୀନଙ୍କ ଛବି ମଳିନ କରିବାକୁ ପ୍ରୟାସ ଚାଲିଛି। ଏହାକୁ କୌଣସିମତେ କରାଇଦେବୁନି ବୋଲି କହିଛନ୍ତି ଶଶୀଭୂଷଣ ବେହେରା। ପାଣ୍ଡିଆନଙ୍କ ବିରୁଦ୍ଧରେ କହିଥିବା ପ୍ରଭାତ ତ୍ରିପାଠୀ ଓ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଏହି ମେଳିରେ ଥିଲେ। ଆଉ କିଛି ନେତା ଯେମିତିକୁ ଆୟୁବ୍ ଖାନ୍ କହିଛନ୍ତି, ଯିଏ କ୍ଷତି କରିଛି ତାକୁ ବିଷ ଦିଆଯିବ। ଯିଏ ଭୁଲ୍ ଷ୍ଟେଟମେଣ୍ଟ୍ ପାଇଁ ବାଧ୍ୟ କରିଛନ୍ତି, ତାଙ୍କ ଉପରେ ବି ଆକ୍ସନ ହେଉ। ସେପଟେ ପ୍ରତାପ ଦେବଙ୍କ ଘରେ ଅରୁଣ, ଅତନୁ, ଦେବୀ ଓ ବବିଙ୍କ ଭଳି ନେତାଙ୍କ ମେଳି ବାନ୍ଧିଥିଲା। ଅତନୁ କହିଛନ୍ତି, ନବୀନଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ୍ କରିନାହାନ୍ତି। ନବୀନ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି। କେହି ଯଦି ନିଜ ସୁବିଧାବାଦୀ ରାଜନୀତି ପାଇଁ ଚ୍ୟାଲେଞ୍ଜ କରିଥିବେ, ତାହା ଅଲଗା କଥା। ଅରୁଣ କହିଛନ୍ତି, ଦଳୀୟ ସଂଗଠନ ନିର୍ବାଚନ ନେଇ ପ୍ରତାପଙ୍କ ଘରେ ଏକାଠି ହୋଇଥିଲେ। ସବୁକଥାର ବିଚାରବିମର୍ଶ କରି ଦଳପତି ଉଚିତ୍ ନିଷ୍ପତ୍ତି ନେବେ। ଧୈର୍ଯ୍ୟ ରଖୁ ଗଣମାଧ୍ୟମ। ଦଳ ଭାଗ ଭାଗ ହୋଇନି। ଯିଏ ଯେଉଁଠି ଏକାଠି ହେଲେ ବି ସମସ୍ତଙ୍କର ଗୋଟିଏ ମତ। ନବୀନ ହିଁ ସବୁ। ବାହ୍ୟଶକ୍ତି କିଏ, ତାଙ୍କ ନାଁ ରୋକଠୋକ୍ କୁହନ୍ତୁ ବରିଷ୍ଠ। ବୁଲେଇବାଙ୍କେଇ କୁହନ୍ତୁନି। ସବୁ କଥାର ଅନ୍ତ ଅଛି। ସେ କଥାର ବି ଅନ୍ତଃ ଘଟିବ।ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା ବୋଲି ଆଉ ଏକ ବୟାନ ଦେଇଛନ୍ତି ଦେବାଶୀଷ ସାମନ୍ତରାୟ। ନବୀନ କି ବିଜୁ ବାବୁଙ୍କ ଆଦର୍ଶକୁ ଜାଣିନଥିବା ବ୍ୟକ୍ତି ବିଜେଡିରେ ସାମିଲ୍ ହୋଇ ଆଉ କାହାର ଇସାରାରେ ପରିଚାଳିତ ହେଉଛନ୍ତି। ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀ ବୋଲି ବିବେଚନା କରିଛନ୍ତି ସେମାନଙ୍କୁ। ଓ୍ୱାକଫ ବିଲ୍ ସମର୍ଥନକୁ ନେଇ ଆଜିଯାଏଁ ଦଳପତି କାହା ବିରୁଦ୍ଧରେ କୌଣସି ଆକ୍ସନ ନେଲେନି କି ବିଜେଡିର ଆଭିମୁଖ୍ୟକୁ ସ୍ପଷ୍ଟ ନକରି ରାଜ୍ୟସଭାରେ କଅଣ ହୋଇଛି ଅନୁଧ୍ୟାନ କରିବେ କହି ନୀରବ ରହିଛନ୍ତି। ଚନ୍ଦ୍ରସାରଥୀ ବେହେରା ବି ୪ ସାଂସଦଙ୍କ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି, କଟକ ମେୟର ସୁବାଷ ସିଂଙ୍କ ଅତିଶୟ ଆନୁଗତ୍ୟକୁ ନେଇ ବର୍ଷିଛନ୍ତି। ଧର୍ମନିରପେକ୍ଷ ରାଜନୀତିର ଦ୍ୱାହି ଦେଇ ରାଜ୍ୟସଭାରେ ମତଦାନକୁ ନେଇ ବିଭାଜିତ ବିଜେଡି ସାଂସଦଙ୍କ ଆଚରଣ ଉପରେ ଆକ୍ସନ ଲାଗି ଚିଠି ଲେଖିଛନ୍ତି ଏକ ଗୋଷ୍ଠୀ। ସସ୍ମିତ୍ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯିବାକୁ ସାହସ କଲେ। ଏ ପରିପ୍ରେକ୍ଷୀରେ ପାଣ୍ଡିଆନ ବିରୋଧୀ ମେଳି ଅଂଶୁମାନ ମହାନ୍ତିଙ୍କ ଘରେ ବି ମଙ୍ଗଳବାର ମେଳି ବାନ୍ଧିଥିଲା। ଅଂଶୁମାନ କହିଛନ୍ତି, ନବୀନ ଡାକରା ଦେଲେ ସେମାନେ ଦାବି ଜଣାଇବେ। ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ। ପାଣ୍ଡିଆନ ପ୍ରସଙ୍ଗ ପଚାରନ୍ତୁନି ବୋଲି କହିଛନ୍ତି ଅଂଶୁମାନ। ବିଜେଡି ଭାଗ ଭାଗ ଦୃଶ୍ୟପଟ୍ଟକୁ ଦେଖି ବିଜେପି କହିଛି, ଅତି ଦର୍ପେ ହତଲଙ୍କା। ଜଣେ ଅଣଓଡ଼ିଆ ଅଫିସରର କ୍ରୀତଦାସ ସାଜିଥିଲେ। ନଇ ବୁଡ଼ି ଆଣ୍ଠୁଏ ପରେ ଚିନ୍ତା କଲେ ଲାଭ ନାହିଁ। ବିଜେଡି ଫାଳ ଫାଳ ନୁହେଁ, ପୁରା ଡୁବିଗଲାଣି ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଜେଡି ଟଳମଳ। ନବୀନଙ୍କ ନେତୃତ୍ୱର ଦ୍ୱାହି ଦେଇ ଯିଏ ଯେଉଁ ବାଟେ ଚାହିଁଲା ନିଜର ରୋଷ ଝାଡ଼ିବାରେ ବ୍ୟସ୍ତ। ଏଣେ ତାସକେଣ୍ଟରୁ ଫେରିବା ପରେ ସସ୍ମିତଙ୍କ ମୁହଁରୁ ଅସଲ କଥା ଜାଣିବାକୁ ସମସ୍ତେ ଆତୁର ହୋଇ ବସିଛନ୍ତି। ନବୀନଙ୍କ ନିର୍ଦେଶରେ ସବୁ ହୋଇଥିଲା ନା ସତରେ ଆଉ କେହି କାର୍ପଟଦାର ଥିଲେ। ଯାହାକୁ ବାହ୍ୟଶକ୍ତି ଭାବେ କହି ବିଷ ଓଗାଳୁଛନ୍ତି ନିଇତି ନେତାଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now