ପଦ୍ମ ପୋଖରୀରେ କିଏ ନିର୍ବାଚନୀ ବୈତରଣୀ ପାର୍ କରିବ?

Spread the love

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଅବଗଣନା । ଏହାରି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ । କାରଣ ବିଜେପି ତାଙ୍କୁ ରାଜ୍ୟ ବିଜେପିର ଚେହେରା କହୁଥିବା ବେଳେ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ହେଲେ ପ୍ରତ୍ୟକ୍ଷ ନିର୍ବାଚନରୁ ଦୀର୍ଘ ବର୍ଷ ହେଲାଣି ଦୂରରେ ଥିବା ଧର୍ମେନ୍ଦ୍ର ନିର୍ବାଚନ ଲଢିଲେ ଦଳର ଫାଇଦା ହେବ ବୋଲି ଦଳୀୟ ନେତା କହିଛନ୍ତି । ଏପଟେ ପରାଜୟ ଭୟରେ ଧର୍ମେନ୍ଦ୍ର ନିର୍ବାଚନ ମୈଦାନରୁ ଦୂରରେ ରହୁଥିବା ବିଜେଡି କଟାକ୍ଷ କରିଛି ।

ପଦ୍ମ ପୋଖରୀରେ କିଏ ସେ ଚେହେରା। ଯାହା ନାଁରେ ଓଡ଼ିଶା ବିଜେପି ନିର୍ବାଚନୀ ବୈତରଣୀ ପାର୍ ହେବ। ଏ ପ୍ରଶ୍ନର ଧାଡ଼ିକିଆ ଉତ୍ତରରେ ଧର୍ମେନ୍ଦ୍ରଙ୍କ ନାଁ ପ୍ରାୟ ସାମ୍ନାକୁ ଆସେ। କିନ୍ତୁ ଯିଏ ସଫଳ, ତାକୁ ହିଁ ପୋଷ୍ଟର ବଏ କୁହାଯାଏ। ୨୦୦୯ ପରଠୁ କେବେ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇନଥିବା ଧର୍ମେନ୍ଦ୍ରଙ୍କ ପତିଆରା ଅବଶ୍ୟ ସାଂଗଠନିକ କ୍ଷେତ୍ରରୁ ନେଇ ମୋଦି କ୍ୟାବିନେଟରେ ଦାଉ ଦାଉ ହୋଇ ଜଳୁଛି। ଆଉ ଏଥର ଆଗୁଆ ନିର୍ବାଚନ ନେଇ ସଙ୍କେତ ଦେଇଥିବା ଧର୍ମେନ୍ଦ୍ର କାହିଁକି ଆଗରେ ରହୁନାହାନ୍ତି ବୋଲି ଅନେକ ପ୍ରଶ୍ନବାଣରେ ବି ଛନ୍ଦି ହେଉଛି ରାଜ୍ୟ ବିଜେପି। ସେଥିଲାଗି ତ ଜଣକ ପରେ ଜଣେ ତୁଙ୍ଗ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାରୁ ଲଢ଼ିବାକୁ କହିଲେଣି। କାରଣ ନବୀନଙ୍କ ସମକକ୍ଷ ବୋଲି ଅଭିହିତ କରାଯାଉଥିବା ଧର୍ମେନ୍ଦ୍ର ଯଦି ଲଢ଼ନ୍ତି, ଲଢେଇ ଲଢ଼ିଲା ଭଳି ଲାଗିବ।

ଆଉ ଧର୍ମେନ୍ଦ୍ରଙ୍କ ଅନୁଗତଙ୍କ କହିବା କଥା, ବିଚକ୍ଷଣ ନେତା ନିର୍ବାଚନ ଲଢିଲେ ଦଳର ଫାଇଦା ହେବ। କିନ୍ତୁ ଧର୍ମେନ୍ଦ୍ରଙ୍କ ସହ ସମାନ୍ତରାଳ ସଂଗଠନ ଚଳାଇ ଆସୁଥିବା ଅପରାଜିତାଙ୍କୁ କେଉଁଠି ନା କେଉଁଠି ଏ କଥା ହଜମ ହେଉନଥିବା କୁହାଯାଉଛି। ସେଥିଲାଗି ତ ଚତୁରତାର ସହ କହିଛନ୍ତି ଲଢ଼ିବା ଲୋକ ନିଜ ମୁହଁରେ କହିଲେ ଶୋଭା ପାଇବ।

 ଆଉ ବିଜେଡି ତ ଯେମିତି ଏହି ମଉକା ଉଣ୍ଡି ବସିଛି। ନବୀନ ଓଡ଼ିଶାରୁ ଯେଉଁଠୁ ବି ଛିଡ଼ା ହେବେ ଜିତିବେ। ସେତିକି ସତସାହସ ଥିଲେ ଧର୍ମେନ୍ଦ୍ର ଛିଡ଼ା ହୁଅନ୍ତୁ ବୋଲି ଆହ୍ୱାନ ଦେଇଛି ବିଜେଡି। ନବୀନଙ୍କ ସହ ଧର୍ମେନ୍ଦ୍ରଙ୍କ ତୁଳନା ହାସ୍ୟାସ୍ପଦ ବୋଲି ବିଜେଡି କହୁଛି। ରାଜନୀତିକ ସମୀକ୍ଷକଙ୍କ ମତରେ, ଟାସ୍କ ମାଷ୍ଟରଙ୍କ ପାଇଁ ନିର୍ବାଚନୀ ମୈଦାନରେ ଓହ୍ଲାଇବା ବଡ଼ ଟାସ୍କ ସାଜିବ। ଜିତିଲେ ବାହାବା। ଆଉ ହାରିଗଲେ ସବୁ ପତିଆରା ସରିଯିବ। ସେଥିଲାଗି ଧର୍ମେନ୍ଦ୍ର ନିଜର ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବାକୁ ଭାବିଚିନ୍ତି ଆଗେଇବେ।

ଧର୍ମେନ୍ଦ୍ର ଅବଶ୍ୟ ବିଜେପିର ବିଗ୍ ଚେହେରା। କିନ୍ତୁ ନିଜ ଚେହେରାକୁ କୌଣସିମତେ ମଳିନ କରିବାକୁ ଦେବେନି ଏହି ଚତୁର ରାଜନେତା। ସେଥିଲାଗି ତ ବ୍ୟାକଡୋର୍ ପଲିଟିକ୍ସରେ ରହି ଫ୍ରଣ୍ଟଫୁଟ୍ ଖେଳିବାକୁ ଅଧିକ ଉଚିତ ମଣିପାରନ୍ତି ପ୍ରଧାନ। ତେବେ ବାରମ୍ୱାର ଢେଙ୍କାନାଳ ଓ ଅନୁଗୁଳ ଗସ୍ତ ବି ଏ ଆକଳନକୁ ଭୁଲ୍ କରିପାରେ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *