ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତାକୁ ବିରୋଧ

ବଲାଙ୍ଗିର : ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତରେ ୟୁନିଫର୍ମ ସିଭିଲ କୋଡ଼ ବା ସମାନ ନାଗରିକ ସଂହିତାକୁ ଦୃଢ଼ ବିରୋଧ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜାତୀୟ ଆଇନ ଆୟୋଗ ଦ୍ଵାରା “ୟୁନିଫର୍ମ ସିଭିଲ କୋଡ଼” ବିଷୟରେ ଆପତ୍ତି, ଅଭିଯୋଗ, ମତାମତ ଦେବା ପାଇଁ ବିଭିନ୍ନ ସଂଗଠନ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ସ୍ଵତନ୍ତ୍ର ପ୍ରଥା, ପରମ୍ପରା, ରୀତିନୀତି, ସଂସ୍କୃତି ଲୋପ ପାଇଯିବ। ସମାନ ନାଗରିକ କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତିରେ ସଂରକ୍ଷଣ ଉଠିଯିବ ବୋଲି ଆଦିବାସୀ ମାନେ ଆଶଙ୍କା କରିଛନ୍ତି। ଆଦିବାସୀ ମାନଙ୍କ ସ୍ଵତନ୍ତ୍ର ସାମାଜିକ ବିବାହ, ବନ୍ଦାପନା, ମୃତାହ, ଛାଡ଼ପତ୍ର, ଦେବଦେବୀ ପୂଜାପାଠ ନିୟମ ଅଛି। ଏହି କୋଡ଼ କାର୍ଯ୍ୟକାରୀ ହେଲେ ଆଦିବାସୀ ସମ୍ପ୍ରଦାୟର ଲୋକ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଆଦିବାସୀ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପ୍ରତି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ କେନ୍ଦ୍ର ସରକାରଙ୍କ ଅବହେଳା ମନୋଭାବକୁ ଆଦିବାସୀ ନେତାମାନେ ତୀବ୍ର ସମାଲୋଚନା କରିଥିଲେ। କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାରେ କେନ୍ଦ୍ର ସରକାର ଚରମ ଉଦାସୀନତା ଯୋଗୁଁ ୮ ଲକ୍ଷରୁ ଉର୍ଦ୍ଧ ଆଦିବାସୀଙ୍କ ବିକାଶ ବାଧାପ୍ରାପ୍ତ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଦ କରାଯାଇଛି। ଶିକ୍ଷା, ସ୍ଵାସ୍ଥ୍ୟ, ନିଯୁକ୍ତି, ଅର୍ଥନୈତିକ କ୍ଷେତ୍ରରେ ଆଦିବାସୀ ମାନେ ଦେଶର ଶେଷ ଧାଡିରେ ଅଛନ୍ତି। ବିକାଶକୁ ଅଣଦେଖା କରି ୟୁନିଫର୍ମ ସିଭିଲ କୋଡ଼ ପାଇଁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ଆଦିବାସୀ ନେତାମାନେ ଉଦବେଗ ପ୍ରକାଶ କରିଥିଲେ। ପ୍ରତ୍ୟେକ ବ୍ଲକ ତରଫରୁ ଏହି ଆଦିବାସୀ ବିରୋଧୀ କୋଡ଼ ବିରୁଦ୍ଧରେ ଆଦିବାସୀ ମହାସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା।

ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଅକ୍ଷୟ କୁମାର ଭୋଇ, ଭାନୁ ପ୍ରତାପ ସିଂମାଝି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ କିସିଣ୍ଡା ସଭାପତି ରୋହିତ ଭୋଇ, ଯୁବରାଜ ଭୋଇ, ମହେନ୍ଦ୍ର କୁଅଁର, ରମାକାନ୍ତ ଖଡ଼ିଆ, ନୂଆପଡାର ସୋମନାଥ ଶବର, ଭକ୍ତ ଧରୁଆ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ବଲାଙ୍ଗିର ବ୍ଲକ ସଭାପତି ନିମାଇଁ ଝାଙ୍କର, ଗୁଡଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ, ଲୋଇସିଂହା ସଭାପତି ଦଶରଥ ଛତ୍ରିଆ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝି, ପୁଇଁତଲା କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ, ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ପାଟଣାଗଡ ସମ୍ପାଦକ ସାରଥୀ ବାଗ, ଖପ୍ରାଖୋଲ ସହ ସମ୍ପାଦକ ସୁଦାମ ବରିହା, ତୁରେକେଲା ଉପସଭାପତି ଭୂମିସୁତା ସମରଥ, ଟଙ୍କଧର ଧରୁଆ, ସଂଗଠକ ଥବିର ପୂଝାରୀ, ଘନ ଭୋଇ, ଦେବସିଂ ମାଝି, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆଁ, ବିକ୍ରମ ଭୋଇ, ସୁନୀଲ ମାଝି, ଦିଲୀପ ମାଝି, ରାଜୁ ଖଡ଼ିଆ, ଚୈତନ୍ୟ ମାଝି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *