ଭୁବନେଶ୍ବର ଯିବାକୁ ଆସି ତାଳଚେର ଷ୍ଟେସନରୁ ନିଖୋଜ ହେଲେ ଯୁବତୀ । ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ ପଠାଉଥିଲେ ଟଙ୍କା । କିନ୍ତୁ ଆଜି ସେଇ ଝିଅ କୁଆଡେ ନିଖୋଜ ହୋଇଯାଇଥିବା ଜାଣି ନିଜକୁ ସମ୍ଭାଳି ପାରୁନାହାଁନ୍ତି ଘର ଲୋକେ। ଘଟଣାଟି ହେଉଛି ତାଳଚେର ଷ୍ଟେସନ ଅଞ୍ଚଳର । ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଲୋଧାଝରି ଗ୍ରାମର ସୁଭଦ୍ରା ପାଡ଼ିନ ଆଜିକୁ ୪ ବର୍ଷ ଧରି ଭୁବନେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିଛି ଦିନ ତଳେ କମ୍ପାନୀରୁ ଛୁଟି ନେଇ ଘରକୁ ବୁଲି ଆସିଥିଲେ । ୨୬ ତାରିଖ ପୁନଶ୍ଚ ଭୁବନେଶ୍ୱର ଯିବା ପାଇଁ ଘରୁ ବାହାରି ଆସିଥିଲେ ତାଳଚେର ଷ୍ଟେସନରେ ପହଞ୍ଚି ଟ୍ରେନ ନଥିବା ଜାଣିବାକୁ ପାଇଥିଲେ । ତେଣୁ ଅଟୋରିକ୍ସାରେ ତାଳଚେର ରୋଡ ଷ୍ଟେସନ ବାହାରି ଯାଇଥିଲେ । କିନ୍ତୁ ଅଟୋରେ ବାହାରି ଯିବା ପରେ ସୁଭଦ୍ରାଙ୍କ ଫୋନ୍ ଅଫ ହୋଇ ଯାଇଥିଲା । ଘର ଲୋକ ଯେତେ ଚେଷ୍ଟା କଲେ ବି ତାଙ୍କ ଫୋନ୍ ଲାଗି ନ ଥିଲା । ବହୁତ୍ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ପାଇ ପାରିନଥିଲେ ପରିବାର ଲୋକେ ତାଳଚେର ଷ୍ଟେସନ ପରିସରରେ ଥିବା ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଘର ଚଳାଉଥିବା ଝିଅକୁ ନ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଝିଅର ବାପା ଝିଅକୁ ଅଟୋ ଚାଳକ କେଉଁଆଡେ ଅପହରଣ କରିନେଇଥିବା ମଧ୍ୟ ଘର ଲୋକ ସନ୍ଦେହ କରୁଛନ୍ତି । କାରଣ ତାଳଚେର ରୋଡ ଷ୍ଟେସନରୁ ଫେରିବା ପରେ ଅଟୋ ଭିତରେ ଝିଅର ବ୍ୟାଗ୍ ଏବଂ ଅନ୍ୟ କିଛି ଜିନିଷ ଥିବା ନେଇ ଅଟୋ ଷ୍ଟାଣ୍ଡର ଅନ୍ୟ ଅଟୋ ଚାଳକ ମାନେ ଝିଅର ପରିବାରକୁ ସୂଚନା ଦେଇଥିଲେ । ତେବେ ପୋଲିସ ଉକ୍ତ ଅଟୋକୁ ଜବତ୍ କରିଛି କିନ୍ତୁ ଅଟୋ ଚାଳକ ଜଣକ କେଉଁଆଡେ ଫେରାର ହୋଇ ଯାଇଥିବାରୁ ସନ୍ଦେହ ଆହୁରି ଘନୀଭୂତ ହେଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now