ଗୋଆ କଂଗ୍ରେସରେ ହଲଚଲ: ମୁକୁଲ ବାସାନିକ ଗଲେ ଗୋଆ

ପାନାଜୀ: ଗୋଆ କଂଗ୍ରେସରେ ବିଦ୍ରୋହ। ଗୋଆ କଂଗ୍ରେସର ୧୧ ବିଧାୟକଙ୍କ ମଧ୍ୟରୁ ୬ ବିଜେପିରେ ସାମିଲ ହେବା ଚର୍ଚ୍ଚା ଭିତରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଜା ସ୍ଥିତି ଉପରେ ନଜର ରଖିବା ପାଇଁ ପାର୍ଟିର ବରିଷ୍ଠ ନେତା ମୁକୁଲ ବାସାନିକଙ୍କୁ ଗୋଆ ପଠାଇଛନ୍ତି। ପାର୍ଟିର ଦୁଇ ଜଣ ବିଧାୟକ ମାଇକେଲ ଲୋବୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ କ୍ଷମତାସୀନ ବିଜେପି ସହ ମିଶି ଦଳ ବିରୋଧରେ ଷଡଯନ୍ତ୍ର ରଚୁଥିବା କଂଗ୍ରେସ ଅଭିଯୋଗ ଆଣିଛି। ତେଣୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ମାଇଲେକ ଲୋବୋଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି। ଆଜିଠାରୁ ଗୋଆରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି ।
ଏହା ପୂର୍ବରୁ କଂଗ୍ରେସର ୬ ବିଧାୟକଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ବିଧାନସଭା ବିରୋଧୀ ଦଳ ନେତା ପଦରୁ ପାର୍ଟି ଲୋବୋଙ୍କୁ ହଟାଇ ଦେଇଛି। ଗୋଆରେ ମୋଟ ୪୦ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ କଂଗ୍ରେସର ରହିଛନ୍ତି ୧୧ ବିଧାୟକ। ବିରୋଧୀ ଦଳ ନେତା ମାଇକେଲ ଲୋବୋଙ୍କ ସମେତ ୬ଜଣ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ଗୋଆରେ ବିଜେପିର ୨୦ଜଣ ବିଧାୟକ ଥିବା ବେଳେ ଏଠାରେ ସରକାରଙ୍କୁ ଏମଜିପିର ୨ଜଣ ବିଧାୟକ ଓ ୩ଜଣ ସ୍ବାଧୀନ ବିଧାୟକ ସମର୍ଥନ ଦେଉଛନ୍ତି