CONGRESS

  • ବିଜେପି ସରକାରକୁ ହଟାଇବାକୁ କଂଗ୍ରେସ ଏକାକୀ ଅସମର୍ଥ  

    () ବିଜେପି ସରକାରକୁ ଏକାକୀ ପାରିବନି କଂଗ୍ରେସ। ୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଏକାକୀ କଂଗ୍ରେସ ସକ୍ଷମ ନୁହେଁ। ସେଥିଲାଗି ବିରୋଧୀ ଦଳଗୁଡ଼ିକ ଏକାଠି ହେବା ନିହାତି ଦରକାର। ବିଜେପି ବିରୋଧୀ ଭୋଟ୍ ଆଣିବାକୁ ହେଲେ ବିରୋଧୀଙ୍କ ଏକତା ଦରକାର। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେନୁଗୋପାଳ ଏହି ଅପ୍ରିୟ ସତ ଓଗାଳିବାକୁ ବାଧ୍ୟ ହେବା ପରେ କଂଗ୍ରେସ ସମେତ ସମଭାବାପନ୍ନ ବିରୋଧୀ ଦଳ ଭିତରେ ଏହାକୁ ନେଇ ଟେନସନ ବଢ଼ିଯାଇଛି।

    ଚିନ୍ତାରେ କଂଗ୍ରେସ। ଟେନସନରେ ବିରୋଧୀ। ଏବେକାର ସ୍ଥିତିରେ ବିଜେପି ସରକାରକୁ ହଟାଇବାକୁ କଂଗ୍ରେସ ଏକାକୀ ସମର୍ଥ ନୁହେଁ। ସେପଟେ ବିରୋଧୀ ଏକତା ବି ସହଜ ହେଉନି। ଯେ କୌଣସି ପରିସ୍ଥିତିରେ କଂଗ୍ରେସ  ବିଜେପି ସହ ଲଢ଼ିବା ଥୟ। କିନ୍ତୁ ବିଜେପିର ଅଗଣତାନ୍ତ୍ରିକ, ମନମୁଖୀ ଶାସନକୁ ହଟାଇବାକୁ ଏତିକି ଯଥେଷ୍ଟ ହେବନି। ଏଥିଲାଗି ସାମୂହିକ ଉଦ୍ୟମ ଦରକାର। ଯାହାକି ବିରୋଧୀ ଦଳ ଗୁଡ଼ିକ ଏକାଠି ହେଲେ ଯାଇ ସମ୍ଭବ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେନୁଗୋପାଳ। ସଂସଦରେ ବିରୋଧୀଙ୍କୁ କୁହାଇ ଦିଆଯାଉନି। କାରଣ ଦେଶରେ ଏବେ ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ଉପୁଜିଲାଣି। କଂଗ୍ରେସ ଏହି ବଡ଼ ଆହ୍ୱାନକୁ ମୁକାବିଲା କରିବାକୁ ପ୍ରସ୍ତୁତ। କିନ୍ତୁ ବିରୋଧୀ ଦଳ ଗୁଡ଼ିକର ସହଯୋଗ ଦରକାର।

    ସେପଟେ ୨୪ରୁ ଛତିଶଗଡ଼ର ରାୟପୁରରେ ୩ ଦିନିଆ କଂଗ୍ରେସର ମହା ସମ୍ମିଳନୀ ଆରମ୍ଭ ହେଉଛି। କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବନି ବୋଲି ଜୟରାମ ରମେଶ ଦମ୍ଭୋକ୍ତି ଦେଖାଇଛନ୍ତି ସତ। ଆଉ ବିରୋଧୀ ମେଣ୍ଟର ନେତୃତ୍ୱ କଂଗ୍ରେସ ନେବା ଆବଶ୍ୟକ ବୋଲି ଟିପ୍ପଣୀ ବି କରିଛନ୍ତି। କାରଣ କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସଫଳ ହେବ। ଏମିତିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି କହିସାରିଛନ୍ତି, ସେ କଂଗ୍ରେସର ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିଛନ୍ତି। ସମସ୍ତ ବିରୋଧୀ ଦଳକୁ କେବେ କଂଗ୍ରେସ ଏକାଠି ଆଣୁଛି। ଆଉ ଜବାବରେ ଜୟରାମ ରମେଶ ବି କହିଛନ୍ତି, କଂଗ୍ରେସର ଭୂମିକା କଅଣ ରହିବ, ଏକଥା ଦଳ ଭଲ ଭାବେ ଜାଣେ। କଂଗ୍ରେସ ଏକମାତ୍ର ଦଳ ଯିଏ ବିଜେପି ସହ କେବେ ବି ବୁଝାମଣା କରିନି। କିନ୍ତୁ ସଂସଦ ଅଧିବେଶନ ବେଳେ ତମାମ ବିରୋଧୀ ଦଳକୁ ନିଜ ଚାମ୍ୱରକୁ ଡାକି ମଲ୍ଲିକାର୍ଜୁନ ଖଡ଼ଗେ ରଣନୀତି କରୁଥିଲା ବେଳେ, ଅନେକଙ୍କ ଭୂମିକା ବିଜେପି ଦଳକୁ ସୁହାଇଲା ଭଳି ଥିଲା। ସେଥିଲାଗି ଦୋମୁହାଁ ହେବାନି।

    ଏପଟେ ନୀତିଶ ଆଗରୁ କହିଥିଲେ ବି, ତୃତୀୟ ସାମ୍ମୁଖ୍ୟ ନୁହେଁ। ବିଜେପିକୁ ହଟାଇବାକୁ ହେଲେ ମେନ୍ ଫ୍ରଣ୍ଟ୍ ଦରକାର। ସେପଟେ କିନ୍ତୁ ନୀତିଶଙ୍କ ସହ ବିଦ୍ରୋହ କରି ଜେଡିୟୁ ଛାଡ଼ିଛନ୍ତି ବରିଷ୍ଠ ଜେଡିୟୁ ନେତା ଉପେନ୍ଦ୍ର କୁଶଓ୍ୱାହା। କୁଶଓ୍ୱାହା ନୂଆ ଦଳ ଗଠନ ଲାଗି ଘୋଷଣା କରିଛନ୍ତି। ନୀତିଶଙ୍କୁ ଆରଜେଡିର ବି-ଟିମ୍ ବୋଲି କହିଛନ୍ତି କୁଶଓ୍ୱାହା। ନୀତିଶଙ୍କ ନେତୃତ୍ୱରେ ଜେଡିୟୁ ନିଜର ପରିଚୟ ହରାଇସାରିଛି। ସେପଟେ ୨୪ରେ ବିହାରରୁ ହିଁ ପ୍ରଧାନମନ୍ତ୍ରୀ ହେବେ। ବିଭିନ୍ନ ସମଭାବାପନ୍ନ ଦଳକୁ ଏକାଠି କରିବାକୁ ନୀତିଶ ଆଗୁଆ ସଂକଳ୍ପ ନେଇ କାମ ଆରମ୍ଭ କରିସାରିଛନ୍ତି। ଆଉ ଦିଲ୍ଲୀରେ ଥିବା ମୋଦି ସରକାରକୁ କ୍ଷମତାରୁ ହଟାଇବାରେ ପ୍ରମୂଖ ଭୂମିକା ସାଜିବ ବିହାର ବୋଲି କହିଲେଣି ଆରଜେଡି ନେତା ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ସାରିଛନ୍ତି ତେଜସ୍ୱୀ।

    ସେପଟେ ମୋଦି ବିକାଶର ପ୍ରତୀକ ସାଜିଛନ୍ତି। ବିଜେପି ସରକାର ବିରୁଦ୍ଧରେ ଯେତେ ଅପପ୍ରଚାର କଲେ ବି ଜନତା ପ୍ରଭାବିତ ହେବେନି। ବିରୋଧୀ ଏକାଠି ହେଲେ ବି ମୋଦିଙ୍କୁ ହଲାଇପାରିବେନି ବୋଲି ବିଜେପି ଦମ୍ଭୋକ୍ତି ଦେଖାଇଛି। ଗୃହ ମନ୍ତ୍ରୀ ଅମିତ ଶାହା ବି କହିସାରିଛନ୍ତି, ୨୪ରେ ବିଜେପି ସହ କାହାର ପ୍ରତିଯୋଗିତା ହିଁ ନାହିଁ।

    ୨୪ ପାଇଁ ସଜବାଜ। ବିଜେପିକୁ ହଟାଇବାକୁ ଏକାକୀ କଂଗ୍ରେସ ସମର୍ଥ ନୁହେଁ ବୋଲି ହାତ ଟେକିସାରିଲାଣି। ଆଉ ବିରୋଧୀଙ୍କୁ ଏକାଠି କରିବା ବି କାଠିକର ପାଠ। ଏଭଳି ସ୍ଥଳେ ଲାଗୁଛି ଯେମିତି ବିଜେପି ଲାଗି ୨୪ ରାସ୍ତା ଏତେ କଣ୍ଟକିତ ହେବନି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଅଶୋକ ଗେହଲଟ୍

    ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢବେ ଅଶୋକ ଗେହଲଟ୍। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସ୍ପଷ୍ଟ କରିଛନ୍ତି ଅଶୋକ ଗେହଲଟ୍। ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି। ଗାନ୍ଧୀ ପରିବାର ସମର୍ଥନରେ ସଭାପତି ପଦ ପାଇଁ ନାମାଙ୍କନ କରିବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ସିପି ଯୋଶୀଙ୍କ ନାଁ ସୁପାରିଶ ହୋଇଛି। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ପାଇଁ ଗେହଲଟଙ୍କ ଗୋଟି ଚାଳନା।

  • କଂଗ୍ରେସକୁ ବଡ ଝଟକା

    ଗୋଟିଏ ପଟେ ଭାରତ ଯୋଡ଼ ଯାତ୍ରା କରି ଦଳକୁ ମଝଭୁତ କରିବା ସହ ଦଳ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ ରଖିଛନ୍ତି ରାହୁଲ। ପଦଯାତ୍ରାକୁ ଅକୁଣ୍ଠ ସମର୍ଥନ ମିଳୁଥିବାର ଦାବି କରୁଛି କଂଗ୍ରେସ। ସେପଟେ କିନ୍ତୁ ଦଳ ଛାଡ଼ିବାରେ ଲାଗିଛନ୍ତି ଦଳୀୟ ବିଧାୟକ। ଗୋଆରେ କଂଗ୍ରେସ ପୁଣି ସଙ୍କଟରେ ପଡ଼ିଛି। ଦଳର ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କୁ ୮ କଂଗ୍ରେସ ବିଧାୟକ ଭେଟିଛନ୍ତି। ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍ ହେଉଥିବାର କଥାକୁ ପୁଷ୍ଟି କରିଛନ୍ତି ରାଜ୍ୟ ବିଜେପି ସଭାପତି। ଏମାନଙ୍କ ଭିତରେ ଅଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ୱର କାମାତ୍ ଓ ପୂର୍ବତନ ବିରୋଧୀ ଦଳ ନେତା ମାଇକେଲ୍ ଲୋବୋ। କଂଗ୍ରେସ ବିଧାୟକ ଦଳ ବୈଠକ ବସି ବିଜେପିରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇଥିଲେ ଏ ସବୁ ଟପ୍ ନେତା। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସାଓ୍ୱନ୍ତଙ୍କ ହାତମୁଠାକୁ ଟାଣ କରିବୁ ବୋଲି କହିଛନ୍ତି ଏ ସବୁ ନେତା।

    ଏହି ୮ ବିଧାୟକ ବିଜେପିରେ ସାମିଲ ପରେ ଗୋଆ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୩ କୁ ଖସିଆସିଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦ ବିଧାୟକ ଅଛନ୍ତି। ଏବେ ବିଜେପିର ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଜୁଲାଇ ୨୦୧୯ରେ ବି ସମାନ ଅବସ୍ଥା ହୋଇଥିଲା କଂଗ୍ରେସରେ। କଂଗ୍ରେସର ୧୦ ବିଧାୟକ ଦଳରେ ବିଦ୍ରୋହ କରି ବିଜେପିକୁ ଜମ୍ପ୍ କରିଥିଲେ।

    ଗୋଆରେ କଂଗ୍ରେସ ପୁରା ସଂକଟରେ। ଭାରତ ଯୋଡ଼ ଯାତ୍ରା ବେଳେ ଦଳ ନିଜର ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ଗୋଆ ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର ୩କୁ ଖସିଆସିଛି। ଚଳିତ ଜୁଲାଇରେ ଲୋବୋଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଥିଲା କଂଗ୍ରେସ। ସେବେଠୁ ଲୋବୋ ଦଳରେ ବିଦ୍ରୋହ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ଗୋଆ କଂଗ୍ରେସ ଭିତରେ କଛି ଚାଲିଥିବା କହି ମନୀଷ ତିଓ୍ୱାରୀ ବି ଟ୍ୱିଟ୍ କରିଛନ୍ତି। କିଛି ଭଲ ସୂଚନାର ଗନ୍ଧ ବାରିହେଉନି ବୋଲି କହିଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • କଂଗ୍ରେସ ଉପରେ ବର୍ଷିଲେ ଗୋଆ ମୁଖ୍ୟମନ୍ତ୍ରୀ

    କଂଗ୍ରେସ ପକ୍ଷରୁ ଭାରତ ଯୋଡ ଯାତ୍ରା ଜାରି ରହିଛି। ଅନ୍ୟପଟେ ଭାରତ ଯୋଡ ଯାତ୍ରାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଛି। ଉଭୟ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। କେହି କାହାକୁ ଛାଡୁନଥିବା ନଜର ଆସିଛି। ଏସବୁ ମଧ୍ୟରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଏହା ଭାରତ ଯୋଡ ଯାତ୍ରା ନୁହେଁ କଂଗ୍ରେସ ଯୋଡ ଯାତ୍ରା।

    ପ୍ରମୋଦ ସାୱନ୍ତ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ଦେଶକୁ ବାଣ୍ଟିବାର ଅଭ୍ୟାସ ରହିଛି। କିନ୍ତୁ ବିଜେପି ଏବଂ ଆରଏସଏସ ସର୍ବଦା ଭାରତ ଯୋଡ କଥା କହିଆସୁଛନ୍ତି। ଭାରତର ଇତିହାସକୁ ଯଦି ଦେଖିବା ତେବେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ କଂଗ୍ରେସ ଭାରତକୁ ବିଭାଜିତ କରି ପାକିସ୍ତାନ ଗଠନ କରିଛି ବୋଲି ସାୱନ୍ତ କହିଛନ୍ତି। ଏହାସହ କଂଗ୍ରେସ ଆରଏସଏସ ୟୁନିଫର୍ମ ଜାଳି ହୀନତାର ବାତାବରଣ ସୃଷ୍ଟି କରିଛି। ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରୁଛି। କଂଗ୍ରେସର ଏହି ନୀତିକୁ କଡା ନିନ୍ଦା କରିଛନ୍ତି ସାୱାନ୍ତ।  

    ସୋମବାର କଂଗ୍ରେସ ତାର ଅଫିସିଆଲ ଟ୍ୱୁଟର ହ୍ୟାଣ୍ଡେଲରେ ଆରଏସଏସର ଏକ ପୋଷ୍ଟର ପୋଷ୍ଟ କରିବା ପରେ ଗୋଆ ସିଏମ୍ ଏହି ବିବୃତ୍ତି ରଖିଛନ୍ତି। ଏହି ପୋଷ୍ଟରେ ଆରଏସଏସର ୟୁନିଫର୍ମ ଜଳୁଥିବାର ଦେଖାଦେଇଥିଲା। ଯାହାକୁ ନେଇ ବିବାଦ ଦେଖାଦେଇଛି। ସେପଟେ ଏହି ପୋଷ୍ଟର ପୋଷ୍ଟ ହେବାପରେ ବିଜେପି ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ଦରଦାମ, ବେରୋଜଗାରୀ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ପ୍ରେସ ମିଟ

    ଭୁବନେଶ୍ବର: ଦରଦାମ ଏବଂ ବେରୋଜଗାରୀ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ରାଜ୍ୟସଭା ସାଂସଦ ନୀରଜ ଡାଙ୍ଗୀଙ୍କ ପ୍ରେସମିଟ୍ । ପ୍ରେସମିଟରେ ଜମିକି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସେପ୍ଟେମ୍ବର ୪ ତାରିଖ ଠାରୁ ନୂଆଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଆନ୍ଦୋଳନ ନେଇ ସୂଚନା ଦେଲେ ଡାଙ୍ଗୀ ।

    ଡାଙ୍ଗୀ କହିଛନ୍ତି, ୪୫ ବର୍ଷ ଭିତରେ ବର୍ତ୍ତମାନ ଦେଶରେ ସବୁଠୁ ବଡ଼ ବେକାରୀ ସମସ୍ୟା ସ୍ଥିତି ଉପୁଜିଛି । ପେଟ୍ରୋଲ ଦର ୪୦ ପ୍ରତିଶତ ବଢ଼ିଛି । ଡିଜେଲ ଦର ମଧ୍ୟ ୭୫ ପ୍ରତିଶତ ବଢ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆହେତୁକ ଭାବେ ବୃଦ୍ଧି ପାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ଯୋଗାଇବା ଓ ମହଙ୍ଗାଇ ନିୟନ୍ତ୍ରଣକୁ ଆଣିବା କଥା କହିଥିଲେ । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି ଏବଂ ବିଗିଡି ଯାଇଛି ।

    ଦୁଗ୍ଧ, ଦହି ଆଦି ଉପରେ ଜିଏସଟି ଲାଗୁ ହୋଇଛି । ଉଜ୍ୱଳା ଯୋଜନା ସମ୍ପୂର୍ଣ୍ଣ ଭାବେ ଫେଲ ହୋଇଛି । ଲୋକଙ୍କ ପାଖରେ ସିଲିଣ୍ଡର ଭର୍ତ୍ତି କରିବା ପାଇଁ ପଇସା ନାହିଁ । ଏତିକି ନୁହେଁ, ଅନେକ ବିଫଳତାର ଉଦାହରଣ ଅଛି । ଭାରତୀୟ ଉପଭୋକ୍ତାଙ୍କ କ୍ରୟ ଶକ୍ତି ଉପରେ ବଡ଼ ଆଘାତ ଲାଗିଛି । ୨୦୧୪ରେ କଞ୍ଚା ତେଲ ଦର କମ୍ ଥିଲା ଓ ପେଟ୍ରୋଲ ଡିଜେଲ ଦର ୫୫ ଓ ୭୦ ଟଙ୍କା ଥିଲା । ଏବେ କଞ୍ଚା ତେଲ ଦର କମିଛି ହେଲେ ପେଟ୍ରୋଲ ଡିଜେଲ ଦର ଅଧିକ ହୋଇଛି ।

    ମୋଦୀ ସରକାର ନିଜ ସମ୍ପତ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ବେରୋଜଗାରୀ ଯୋଗୁଁ ବର୍ତ୍ତମାନ ଦେଶରେ ବିନାଶକାରୀ ସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିପଥ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବିବେକହୀନ ଯୋଜନା । କେନ୍ଦ୍ର ସରକାରଙ୍କ ବିରୋଧରେ ଦରଦାମ ଓ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ସଂସଦରୁ ସଡକ ପର୍ଯ୍ୟନ୍ତ ଲଢେଇ କରିଛି କଂଗ୍ରେସ । ଦେଶବାସୀଙ୍କୁ ବିଜେପି ସରକାର ଯେଉଁ ପ୍ରତିଶୃତି ଦେଉଥିଲା ତାହା ପୂରଣ କରନ୍ତୁ । କଂଗ୍ରେସ ସତ୍ତାକୁ ଆସିଲେ ମହଙ୍ଗାଇ ମୁକ୍ତ ଭାରତ ଗଠନ କରିବ ବୋଲି ଦାବି କରୁଛି ।

    ଏହି ଅବସରରେ ସେ ରାଜ୍ୟ ସରକାର ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହାନ୍ତି। ଓଡିଶାରେ ବିଜେଡ଼ି ସରକାର ୧ ଲକ୍ଷ ୬୨ ହାଜର ପଦ ଖାଲି ପଡ଼ିଛି । ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସାଂସଦ।

  • ଜି୨୩ ପରାମର୍ଶ ମାନିଥିଲେ ସ୍ଥିତି ଭିନ୍ନ ଥାଆନ୍ତା: ତିୱାରୀ

    ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ  ଆଜାଦ ଦଳ ଛାଡିବା ପରେ କଂଗ୍ରେସରେ ଦେଖାଦେଇଛି ହଲଚଲ। ଏହାକୁ ନେଇ କଂଗ୍ରେସ ନେତା ମନୀଷ ତିୱାରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଆମେ ଦଳରେ ଭଡାଟିଆ ନୋହୁଁ, ବରଂ ଭାଗୀଦାର। ଆମକୁ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ।

    କଂଗ୍ରେସ ସାଂସଦ ମନୀଷ ତିୱାରୀ ଗୁଲାମ ନବୀଙ୍କ ଇସ୍ତଫା ପରେ କହିଛନ୍ତି, ଆମକୁ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ। ମୁଁ ଏହି ପାର୍ଟିକୁ ୪୨ ବର୍ଷ ଦେଇଛି। ଆଗରୁ ମଧ୍ୟ ମୁଁ କହିଛି କି, ଆମେ କଂଗ୍ରେସର ଭଡାଟିଆ ନୁହଁ, ତାର ଭାଗିଦାର। ଯଦି ଏବେ ଆପଣ ଆମକୁ ବାହାର କରିବାକୁ ଚେଷ୍ଟା କରିବେ ତେବେ ଅନ୍ୟ କଥା, ଓ ଏହାକୁ ଦେଖିବୁ।

    ସେ ଆହୁରି କହିଛନ୍ତି, ଦୁଇ ବର୍ଷ ପୂର୍ବରୁ ଆମେ ୨୩ ଜଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଥିଲୁ କି, କଂଗ୍ରେସର ସ୍ଥିତି ଚିନ୍ତାଜନକ ରହିଛି,ଯାହା ଉପରେ ବିଚାର ବିମର୍ଷ କରିବାର ଆବଶ୍ୟକତା ରହିଛି। କଂଗ୍ରେସକୁ ଅନେକ ଲୋକ, ପରିବାର ନିଜ ରକ୍ତରେ ସିଞ୍ଚନ କରିଛନ୍ତି। ଯଦିବି କାହାକୁ କିଛି ମିଳୁଛି ତେବେ ମାଗଣାରେ ମିଳିନାହିଁ।

    ତିୱାରୀ ଆହୁରି ଆଗକୁ କହିଛନ୍ତି କି, ଲାଗୁଛି ୧୮୮୫ରୁ ବର୍ତ୍ତମାନର ଭାରତ ଓ କଂଗ୍ରେସ ମଧ୍ୟରେ ସମନ୍ବୟରେ ଦୂରତା ଆସିଯାଇଛି। ବର୍ତ୍ତମାନ ଆତ୍ମନିରୀକ୍ଷଣର ଆବଶ୍ୟକତା ରହିଛି। ୨୦୨୦ ଡିସେମ୍ବର ୨୦ରେ ସୋନିଆ ଗାନ୍ଧୀଙ୍କ ଆବାସରେ ଅନୁଷ୍ଠିତ ବୈଠକରେ ଯଦି ସହମତି ହୋଇଥାନ୍ତା ତେବେ ସ୍ଥିତି ଏମିତି ହୋଇ ନ ଥାନ୍ତା।

    ଆଜାଦଙ୍କ ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି କି, ଉତ୍ତର ଭାରତର ଲୋକମାନେ ଅତ୍ୟନ୍ତ ଭାବପ୍ରବଣ, ସ୍ବାଭିମାନୀ ହୋଇଥାନ୍ତି। ୧୦୦୦ ବର୍ଷ ଧରି ଏମାନେ ବାହ୍ୟ ଆକ୍ରମଣ ବିରୋଧରେ ଲଢିଛନ୍ତି। କିନ୍ତୁ ଯେତେବେଳେ କଂଗ୍ରେସର ଚପରାସୀ ନେତାଙ୍କୁ ପରାମର୍ଶ ଦେବେ ତାକୁ ସହ୍ୟ କରିବା ସହଜ ନୁହେଁ। ଏମାନଙ୍କ ଧୈର୍ଯ୍ୟର ପରୀକ୍ଷା ନିଆଯିବା ଉଚିତ ନୁହେଁ।  

  • କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ

    ଶେଷରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲେ ଗୁଲାମ ନବୀ ଆଜାଦ। କଂଗ୍ରେସର ହାତ ଛାଡ଼ିଦେଇଛନ୍ତି ସବୁଦିନ ଲାଗି ଆଜାଦ୍। ସମସ୍ତ ପଦପଦବୀ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଆଜାଦ୍। ସପ୍ତାହକ ତଳେ ଜମ୍ମୁକଶ୍ମୀର କଂଗ୍ରେସର ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଇସ୍ତଫା ଦେଇଥିଲେ ଆଜାଦ୍। ତେବେ ଇସ୍ତଫା ପତ୍ରରେ ବିଶେଷ କରି ରାହୁଲଙ୍କ ପାଇଁ ଦଳ ବୁଡ଼ୁଛି ବୋଲି ସାଙ୍ଘାତିକ କଥା ଲେଖିଛନ୍ତି ଆଜାଦ୍।

    କଂଗ୍ରେସକୁ ବାଏ ବାଏ କଲେ ଆଜାଦ୍। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ସବୁଦିନ ଲାଗି କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଦେଇଛନ୍ତି। ସମସ୍ତ ପଦପଦବୀ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ୍। ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ କିଭଳି ଦଳର ଅଧୋଗତି ଓ ତାଙ୍କ ଭଳି ନେତାଙ୍କୁ ଅପମାନିତ କରିବା ପଛରେ ରାହୁଲ ହିଁ ଦାୟୀ। ସେ କଥାର ଅବତାରଣା କରିଛନ୍ତି ଆଜାଦ୍। ଏବେ ଦଳ ରିମୋଟ୍ କଣ୍ଟ୍ରୋଲ୍ ମଡେଲ ହୋଇଗଲାଣି। ଉପା ସରକାର ଅମଳରେ ଥିବା ଦଳର ଗାରିମା ଏବେ ଧ୍ୱଂସ ହୋଇଗଲାଣି। ସୋନିଆ କେବଳ ନାମକୁ ମାତ୍ର ଦଳର ମୁଖ୍ୟ। କିନ୍ତୁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାହୁଲ ନେଉଛନ୍ତି। ନିର୍ଦ୍ଦିଷ୍ଟ କୋଟରୀ ଗ୍ରୁପରେ ବାନ୍ଧି ହୋଇଗଲାଣି ଦଳ। ଆଗ ଭିଆଇପି କଲଚର ଚାଲୁଥିଲା ଆଉ ଏବେ କୋଟରି କଲଚର।

    ଉପା ସରକାରରେ ସୋନିଆଙ୍କ ବଳିଷ୍ଠ ନେତୃତ୍ୱରେ ଦଳ ଓ ସରକାର ଯେତିକି ଆଗେଇ ଚାଲିଥିଲା। ସେହି ଅନୁପାତରେ ପଛେଇଲା, ଯେତେବେଳେ ରାହୁଲ ଜାନୁଆରୀ ୨୦୧୩ରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ। ଏଣ୍ଟ୍ରି କରୁ କରୁ ଦଳର ଉପାଧ୍ୟକ୍ଷ ହେଲେ ଆଉ ଦଳର ପୁରା ପରାମର୍ଶ ମେକାନିଜିମ୍ କୁ ଧୀରେ ଧୀରେ ଧ୍ୱଂସ କରିବାକୁ ଲାଗିଲେ ରାହୁଲ। ସମସ୍ତ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସାଇଡଲାଇନ କରାଗଲା। ଅନେକ ଅନଭିଜ୍ଞ ଓ କ୍ଷମତା ଲୋଭୀଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିରେ ମୁଣ୍ଡ ପୁରାଇବାକୁ ବାଟ ଛାଡ଼ିଦେଲେ ରାହୁଲ। ରାହୁଲଙ୍କ ପିଲାଳିଆମୀ ବ୍ୟବହାର ଲାଗି କିଭଳି ଉପା-୨ ସରକାର ଓ ପ୍ରଧାନମନ୍ତ୍ରୀ ପଦର ଗାରିମା କ୍ଷୁର୍ଣ୍ଣ ହୋଇଥିଲା, ତାହାର ନଜିର୍ ବି ଦେଇଛନ୍ତି ଆଜାଦ୍। ଏକ ଅର୍ଡିନାନ୍ସ୍ କଂଗ୍ରେସ କୋର୍ ଗ୍ରୁପ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପାରିତ କଲା ଓ ପରେ ଏହାକୁ ରାଷ୍ଟ୍ରପତି ବି ଅନୁମୋଦନ ଦେଇଥିଲେ। କିନ୍ତୁ ଏହାକୁ ନେଇ ରାହୁଲ ମିଡିଆ ଆଗରେ ଯେଭଳି ଅଭିନୟ କରି କାନ୍ଦିଲେ, ଏହା ହିଁ ତାଙ୍କର ଅପିରପକ୍ୱତାକୁ ବୟାନ କରିବା ଯଥେଷ୍ଟ ଥିଲା। ଆଉ ଏହି ଗୋଟିଏ ଆକ୍ସନ ଲାଗି ୨୦୧୪ରେ ପରାଜୟର ମୁହଁ ଦେଖିଲା ଉପା।

    ୨୦୧୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ଦେଖି ଦଳକୁ ପୁନର୍ଗଠିତ, ସଂଗଠିତ, ମଝଭୁତ କରିବାକୁ ସେ ଆକ୍ସନ ପ୍ଲାନ ତିଆରି କରିଥିଲେ। ଯାହାକୁ ସିଡବ୍ଲୁସି ବି ମଞ୍ଜୁରୀ ଦେଇଥିଲା। ୨୦୧୪ ନିର୍ବାଚନ ଆଗରୁ ଏହାକୁ କାର୍ଯ୍ୟକାରୀ ହୋଇଥାଆନ୍ତା। କିନ୍ତୁ ଦୁର୍ଭାଗ୍ୟବଶତଃ ଦୀର୍ଘ ୯ ବର୍ଷ ଧରି ଏଆଇସିସିର ଶୀତଳଭଣ୍ଡାରରେ ଏହା ପଡ଼ିରହିଛି।  ବାରମ୍ୱାର ସୋନିଆ ଓ ରାହୁଲଙ୍କୁ ମନେ ପକାଇଦେବା ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଜି-୨୩ ଗ୍ରୁପର ନେତାଙ୍କ ଅପରାଧ କଅଣ ଥିଲା। ସେମାନେ ଦଳର ଉତଥାନ ଲାଗି ପଦକ୍ଷେପ ନେଲେ। କିନ୍ତୁ ପରିବର୍ଦ୍ଧିତ ସିଡବ୍ଲୁସି ବୈଠକରେ ସୋନିଆଙ୍କୁ ଚିଠି ଲେଖିଥିବା ଏ ନେତାମାନଙ୍କ ଉପରେ ଦୋଷ ଲଦିଲେ ରାହୁଲ। ସେମାନଙ୍କୁ ସମନ କରାଗଲା। ବିଜେପି-ଆରଏସଏସ ସହ ହାତ ମିଳାଇଥିବାର ଗମ୍ଭୀର ଆରୋପ ଲଦିଲେ ରାହୁଲ।

    ୨୦୧୯ ପରଠୁ ଦଳର ସ୍ଥିତି ଶୋଚନୀୟ ହେବାକୁ ଲାଗିଛି। ଏବେ ଦଳ ନୋ-ରିଟର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି। କେବଳ ପ୍ରକ୍ସି ଲିଡରସିପରେ ଚାଲିଛି। କାରଣ ଯାହାର ନେତୃତ୍ୱ କଥା କୁହାଯାଉଛି, ସେ କେବଳ ଏକ ସଖୀ କଣ୍ଢେଇ ସାଜିଛନ୍ତି। ଏଭଳି ନେତୃତ୍ୱରେ ଦୁଇଟି ଲୋକସଭା ନିର୍ବାଚନ ହାରିଲାଣି କଂଗ୍ରେସ। ୨୦୧୪ରୁ ୨୦୨୨ ଭିତରେ ୪୯ ବିଧାନସଭା ନିର୍ବାଚନରୁ ୩୯ ହାରିଛି କଂଗ୍ରେସ। କେବଳ ୪ଟି ରାଜ୍ୟରେ ଜିତିଥିଲା। ଏବେ କେବଳ ଦୁଇଟି ରାଜ୍ୟରେ ହାମୁଡେଇପଡିଛି। ଆଉ ଦୁଇଟି ରାଜ୍ୟରେ ମେଣ୍ଟ କରି ନିଜର ସ୍ଥିତିକୁ ଯେନତେନ ପ୍ରକାରେ ବଜାୟ ରଖିବାକୁ ସଂଘର୍ଷ ଜାରି ରଖିଛି।

    ଦଳକୁ ଏଭଳି ସ୍ଥିତିରେ ପହଞ୍ଚାଇଥିବା ଦଳୀୟ ନେତୃତ୍ୱ ଏବେ ନିଜକୁ ପଚାରନ୍ତୁ। ବୁଥ୍, ବ୍ଲକ୍, ଜିଲ୍ଲା ଓ ରାଜ୍ୟରେ ଦଳର ଇଲେକ୍ଟୋରାଲ ସ୍ଥିତି ଆଜିକା ଦିନରେ କଅଣ, ଆତ୍ମନିରୀକ୍ଷଣ କରନ୍ତୁ। ଏବେ କଂଗ୍ରେସ ଉଭୟ ଇଛାଶକ୍ତି ଓ ଦକ୍ଷତାକୁ ହରାଇସାରିଲାଣି। ଭାରତ ଯୋଡ଼ ଯାତ୍ରା ବଦଳରେ ଦଳୀୟ ନେତୃତ୍ୱ ଏବେ କଂଗ୍ରେସ ଯୋଡ଼ ଏକ୍ସସରସାଇଜ୍ କରୁ ବୋଲି ପରାମର୍ଶ ବି ଦେଇଛନ୍ତି ଆଜାଦ୍। ଜୀବନର ୫୦ ବର୍ଷ କଂଗ୍ରେସ ପାଇଁ ନିଃସ୍ୱାର୍ଥପର ଭାବେ ସମର୍ପଣ ମନୋଭାବରେ କାମ କରିଥିବା ଆଜାଦ୍ ଦଳର ଦୁର୍ଦ୍ଦଶା ଲାଗି ରାହୁଲଙ୍କୁ ଦାୟୀ କରିଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଜମ୍ମୁ କାଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ

    ଜମ୍ମୁ କଶ୍ମୀର କଂଗ୍ରେସରେ ବଡ଼ ଧରଣର ବିଦ୍ରୋହ ଦେଖାଦେଲାଣି। ଦୀର୍ଘ ଦିନ ଧରି ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରିଆସୁଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରମୁଖ ଦଳୀୟ ପଦବୀରୁ ଇସ୍ତଫା ଦେବା ପରେ ଏହି ଆଶଙ୍କା ବଳବତ୍ତର ହେବାରେ ଲାଗିଛି। ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଆଜାଦଙ୍କ ଇସ୍ତଫା ଭିନ୍ନ ସଙ୍କେତ ଦେଇଛି। ଇସ୍ତଫା ଦେଲେ ଆଜାଦ୍। ଜମ୍ମୁକଶ୍ମୀର କଂଗ୍ରେସର ଉଭୟ ପ୍ରଚାର ଓ ରାଜନୈତିକ ବ୍ୟାପାର କମିଟିରୁ ଗୁଲାମନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସ ଭିତରେ ବଡ଼ ବିବାଦ ଛିଡ଼ା କରିଛି। କଂଗ୍ରେସ ସଂଗଠନରେ ଆଭ୍ୟନ୍ତରୀଣ କନ୍ଦଳ ଯେମିତି ଚରମରେ ପହଞ୍ଚିଛି।

    ଏମିତିରେ ଦଳର ପରିଚାଳନା ଓ ନେତୃତ୍ୱକୁ ନେଇ ଦୀର୍ଘ ଦିନ ଖୁଲମଖୁଲା ଅସନ୍ତୋଷ ଓଗାଳି ଆସିଛନ୍ତି ଆଜାଦ୍। କଂଗ୍ରେସର ଭିଆଇପି କଲଚରକୁ କଟାକ୍ଷ ହେଉ ଅବା ତୃଣମୂଳସ୍ତରରୁ ଶୀର୍ଷ ନେତୃତ୍ୱ ଯାଏ, ସାଂଗଠନିକ ଢାଞ୍ଚା ମନୋନୟନ ନୁହେଁ, ବରଂ ନିର୍ବାଚନ ଜରିଆରେ ହେଉ ବୋଲି କହିଆସୁଛନ୍ତି ଆଜାଦ୍। ଏପରିକି କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଜି-୨୩ ନେତାଙ୍କ ଭିତରୁ ଆଜାଦ୍ ଜଣେ ପ୍ରମୁଖ ଓ ଆଗଧାଡ଼ିର ଚେହେରା। ଆଜାଦଙ୍କ ଘନିଷ୍ଠ ସହଯୋଗୀ ଗୁଲାମ ଅହମଦ ମୀରଙ୍କୁ କଂଗ୍ରେସର ଜମ୍ମୁକଶ୍ମୀର ମୁଖ୍ୟ ପଦରୁ ହଟାଯିବା ପରେ ଏଭଳି ପଦକ୍ଷେପ ଆଜାଦ୍ ନେଇଥିବା କୁହାଯାଉଛି। କାରଣ ବିକାର ରସୁଲ ଓ୍ୱାନିଙ୍କୁ ମୀରଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି।

    ଆଜାଦ କଂଗ୍ରେସର ସର୍ବଭାରତୀୟ ରାଜନୈତିକ ବ୍ୟାପାର କମିଟି ସଭ୍ୟ ଥିଲା ବେଳେ ତାଙ୍କର ନୂଆ ନିଯୁକ୍ତି ତାଙ୍କର ଅବନତି ବୋଲି କୁହାଯାଉଛି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ ଫେବୃଆରୀ ୨୦୨୧ ଯାଏ ଦାୟିତ୍ୱ ତୁଲାଇଥିଲେ ଆଜାଦ୍। ୪୭ ବର୍ଷୀୟ ଓ୍ୱାନିଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେଇ ୭୩ ବର୍ଷୀୟ ଗୁଲାମଙ୍କୁ ପ୍ରଚାର କମିଟିର ମଙ୍ଗ ଧରାଇଥିଲେ ହାଇକମାଣ୍ଡ। ଅଗଷ୍ଟ ୧୫ରେ ରାହୁଲଙ୍କ ସହ ଆଜାଦୀ ଗୌରବ ଯାତ୍ରାରେ ବି ସାମିଲ ହୋଇଥିଲେ ଆଜାଦ୍।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଇସ୍ତଫା ଦେଲେ ଗୁଲାମ ନବି ଆଜାଦ

    ଜାମ୍ମୁ-କାଶ୍ମୀର କଂଗ୍ରେସରେ ପଡିଲା ଚହଳ । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବି ଆଜାଦ l କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ଅଭିଯାନ କମିଟିର ଅଧ୍ୟକ୍ଷ କରାଯାଇଥିଲା। ମାତ୍ର ଏହାର କିଛି ଘଣ୍ଟା ନଯାଉଣୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ପଦ ମିଳିବାର କିଛି ଘଣ୍ଟା ପରେ ଗୁଲାମ ନବି ଆଜାଦ ଇସ୍ତଫା କାହିଁକି ଦେଲେ ତାର କାରଣ ଜଣା ପଡିନି। ଏହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି।

    ସୂଚନା ଅନୁଯାୟୀ, ମଙ୍ଗଳବାର କଂଗ୍ରେସ ଜାମ୍ମୁ-କାଶ୍ମୀର ସଂଗଠନରେ ବଡ ପରିବର୍ତ୍ତନ କରିଥିଲା। ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଅନେକ ନୂତନ ନିଯୁକ୍ତି କରାଯାଇଥିଲା। ପାର୍ଟିର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ଅଭିଯାନ କମିଟିର ଅଧ୍ୟକ୍ଷ ଏବଂ ତାରିକ ହାମିଦ କରାଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା। ଆଜାଦଙ୍କୁ ରାଜନୈତିକ ମାମଲା କମିଟି ଏବଂ ସମନ୍ଵୟ କମିଟିର ପ୍ରମୁଖ ମଧ୍ୟ କରାଯାଇଥିଲା।

    ମାତ୍ର କିଛି ଘଣ୍ଟା ପରେ ଗୁଲାମ ନବି ଆଜାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନୂତନ ଦାୟିତ୍ଵ ମିଳିବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପାର୍ଟି ନିଜ ସଂଗଠନରେ ଅନେକ ବଡ ପରିବର୍ତ୍ତନ କରିଥିଲା। ଜାମ୍ମୁ-କାଶ୍ମୀର କଂଗ୍ରେସ ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା l

    ଅଭିଷେକ ପୁରୋହିତଙ୍କ ରିପୋର୍ଟ

  • ରାହୁଲ ହେବେ ପରବର୍ତ୍ତୀ ଏଆଇସିସି ଅଧ୍ୟକ୍ଷ!

    ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ବଡ ଧରଣର ଚର୍ଚ୍ଚା । କିଏ ଧରିବ କଂଗ୍ରେସର ମଙ୍ଗ । ରାହୁଲୁଙ୍କୁ ମିଳିବ କି ପୁଣି ଥରେ ଏଆଇସିସି   ଦାୟିତ୍ବ ।ଏଆଇସିସି ଅଧ୍ୟକ୍ଷ ପଦ ନେଇ ଚର୍ଚ୍ଚା ଥମିନଥିବା ବେଳେ ସାଧୁମାନେ ଭବିଷ୍ୟବାଣୀ କଲେଣି କି ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ରାହୁଲ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିବା ସମୟରେ ଜଣେ ସାଧୁ ଭବିଷ୍ୟବାଣୀ  କରିଛନ୍ତି । ରାହୁଲଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ଘଟିଛି ଏହି ଘଟଣା । ଏହି ସମୟରେ  ଡି.କେ ବେନୁଗୋପାଲଙ୍କ ସହ ଚିତ୍ରାଦୁର୍ଗସ୍ଥିତ  ଶ୍ରୀ ମୁରୁଗାରାଜେନ୍ଦ୍ର ମଠ ପରିଦର୍ଶନ କରିଥିଲେ । ଆସନ୍ତା ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲିଙ୍ଗାୟତ ସମ୍ପ୍ରଦାୟକୁ ଆକୃଷ୍ଟ କରିବା ପାଇଁ ରାହୁଲ ଏହି ଦୀକ୍ଷା ଗ୍ରହଣ କରିଥିବା କୁହାଯାଉଛି । ସେଠାରେ ୧୫ ରୁ ୧୭ ପ୍ରତିଶଥ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ  ରହିଛି ।   ରାହୁଲ  ଏଆଇସିସି ସଭାପତି ନ ହେଲେ କିଏ ହେବ ପରବର୍ତ୍ତୀ ସଭାପତି  । ଗାନ୍ଧୀ ପରିବାର ବାହାରକୁ ଚାଲିଯିବ କି ଏଆଇସିସି ସଭାପତି ପଦ । ପୂର୍ବରୁ ସୀତାରାମ କେଶରୀ ଏଆଇସିସି ସଭାପତି ଥିଲେ କିନ୍ତୁ ରିମୋଟ ଥିଲା ଗାନ୍ଧୀ ଫ୍ୟାମିଲି ହାତରେ ଥିଲା । ତେବେ ଯେଉଁଦିନ ଏହାକୁ ସୀତାରମ କେଶରୀ , ଶରଦ ପାୱାର , ତାରିକ ଅନୱାର ବିରୋଧ କଲେ ସେ ଦିନ ମଧ୍ୟ୍ୟାହ୍ନ ଭୋଜନ ସାରି ବୈଠକକୁ ଆସିବା ବେଳକୁ ତାଙ୍କୁ ପାର୍ଟି ବାହରର ରାସ୍ତା ଦେଖାଇ ଦିଆଗଲା । ନୂଆ ଚର୍ଚ୍ଚା ଏବେ ସାମନାକୁ ଆସିଛି । ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ ରାହୁଲ ଗାନ୍ଧୀ ସଭାପତି ହେବା ପାଇଁ  ରାଜି ନହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏଆଇସିସି ସଭାପତି ହେବେ । ବର୍ତ୍ତମାନ କଂଗ୍ରେସ ସଙ୍ଗଠନରେ ନିର୍ବାଚନ ପ୍ରକିୟା ଜାରି ରହିଛି । ଆଗାମୀ ସେପ୍ଟେମ୍ବର, ଅକ୍ଟୋବର ମାସ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାହୁଲଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିନାହିଁ । ଅଧୀରଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରେ ବସିବେ କି ନା ଚିନ୍ତା କରିବା ବୋଲି କହିବା ପରେ ସସପେନ୍ସ ବଢିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦଛାଡିବା ପାଇଁ ଚାହୁଁନାହାଁନ୍ତି ଅଶୋକ ଗେହେଲଟ । ଯଦି ରାହୁଲ ମନା କରନ୍ତି ତେବେ ଗେହେଲଟଙ୍କ ନା ରେ ବାଜିପାରେ ମୋହର । କାରଣ ଗାନ୍ଧୀ ପରିବାର ପ୍ରତି ଅଶୋକ ଗେହଲଟଙ୍କ ଆନୁଗତ୍ୟ କାହାକୁ ଅଛପା ନାହିଁ । ୨୦୨୪ ନିର୍ବାଚନ ପୂର୍ବରୁ ଦଳ ନୂଆ ଅଧ୍ୟକ୍ଷଙ୍କୁ ନେଇ ନିର୍ବାଚନ ମୈଇଦାନକୁ ଓହ୍ଲାଇବା ପାଇଁ ସ୍ଥିର କରିଛି । ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ବିରୋଧୀମାନେ ପପୁ କହି ସମାଲୋଚନା କରୁଥିବା ବେଳେ ବର୍ତ୍ତମାନର ଚର୍ଚ୍ଚା କିଛିସମୟ ପାଇଁ ବିରୋଧୀଙ୍କ ମୁହଁରେ ବ୍ରେକ ଲଗାଇବ।

    • ସ୍ମରଜିତ ଆର୍ଯ୍ୟ
Back to top button