ରାଜନୀତି

ଥମୁନି ବିବାଦ, ସୁପ୍ରିମକୋର୍ଟରେ ଶିବସେନା

ଭୁବନେଶ୍ବର:  ଦୀର୍ଘ ୧୦ ଦିନର ମହାନାଟକ ପରେ ଗୁରୁବାର ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନାର ବାଗୀ ନେତା ଏକନାଥ ସିନ୍ଧେ।  ତଥାପି ରାଜ୍ୟ ରାଜନୈତିକ ବିବାଦର ଯେମିତି ଅନ୍ତ ଘଟିବା ପରି ମନେ ହେଉ ନାହିଁ। ସିନ୍ଧେଙ୍କ ଶପଥପାଠର ଗୋଟିଏ ଦିନ ନ ହେଉଣୁ ଶୁକ୍ରବାର ମହା ବିକାଶ ଅଘାଡି ବା ଏମଭିଏ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ୧୬ ବାଗୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉପବାଚସ୍ପତି ନେଇଥିବା ନିଷ୍ପତ୍ତି ବିରୋଧରେ ଦାୟର ଯାଚିକା ସର୍ବୋଚ୍ଚ କୋର୍ଟରେ ଥିବାରୁ ସେମାନଙ୍କୁ ନିଲମ୍ବିତ କରିବାକୁ କୋର୍ଟରେ ଅପିଲ କରିଛି ଏମଭିଏ।

ତଥାପି ମହାରାଷ୍ଟ୍ର ମହାନାଟକର ଘଟିନି ଅବସାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ଓ ଶିବସେନାର ବାଗୀ ନେତା ଏକନାଥ ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜ୍ୟ ରାଜନୀତିରେ ଜାରି ରହିଛି ବିବାଦ। ନୂଆ ସରକାର ଗଠନ ପାଇଁ ସିନ୍ଧେ ଗୋଷ୍ଠୀ ଗୋଟିଏ ପାଦ ଆଗକୁ ବଢିବା ବେଳେ ପଛରୁ ଟାଣୁଛି ଶିବସେନା, କଂଗ୍ରେସ ଓ ଏନସିବି ଦ୍ବାରା ଗଠିତ ମହା ବିକାଶ ଅଘାଡି ବା ଏମଭିଏ।  ଶୁକ୍ରବାର ସକାଳୁ ସକାଳୁ ଶିବସେନା  ଚିଫ ହ୍ୱିପ ସୁନିଲ ପ୍ରଭୁ ସୁପ୍ରିମକୋର୍ଟରେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଅନ୍ୟ ୧୫ ବିଧାୟକଙ୍କୁ ନିଲମ୍ବିତ କରିବାକୁ କରିଛନ୍ତି ଅପିଲ । ଉପ ବାଚସ୍ପତିଙ୍କ ଦ୍ବାରା ସେମାନଙ୍କୁ ଅଯୋଗ୍ୟ  ଘୋଷଣା ନିଷ୍ପତ୍ତି ବିରୋଧରେ କୋର୍ଟରେ ମାମଲା ଥିବାରୁ ଏହା ଉପରେ କୋର୍ଟ ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ବିଧାୟକଙ୍କୁ ନିଲମ୍ବନ କରିବାକୁ କରାଯାଇଛି ଅପିଲ।

ଏଥିସହ ସେମାନଙ୍କୁ ବିଧାନସଭା ଗୃହ ମଧ୍ୟକୁ ପ୍ରବେଶ କରିବାକୁ ନ ଦେବାକୁ ତଥା ବିଧାନସଭା ଗୃହ ସମ୍ୱନ୍ଧିତ କୌଣସି ପଦକ୍ଷେପ ନେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଭୁ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ଏହା ଗଣତାନ୍ତ୍ରିକ ଅପରାଧ କହିବା ସହ ବିଜେପି ନିର୍ଦ୍ଦେଶରେ ଏପରି ଅପରାଧ ଘଟାଉଥିବା ଅପରାଧିଙ୍କୁ ନିଲମ୍ବନ କରି ଗୋଟିଏ ଦିନ ପାଇଁ ମଧ୍ୟ ସାମ୍ୱିଧାନିକ ବ୍ୟବସ୍ଥାରେ ଅପରାଧ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ଅନୁରୋଧ କରାଯାଇଛି। ଉପ ବାଚସ୍ପତିଙ୍କ ଦ୍ୱାରା ୧୬ ଦାଗୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପୂର୍ବରୁ ଜାରି ନୋଟିସ ବିରୋଧରେ ବାଗୀ ନେତା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେତେବେଳେ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ ତ୍ବରିତ ଶୁଣାଣି ପାଇଁ ଅପିଲ କରିବାରୁ କୋର୍ଟ ଏହାର ଶୁଣାଣି ଜୁଲାଇ ୧୧ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ସେପଟେ ଏହାରି ମଧ୍ୟରେ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେବା ପରେ ଏକନାଥ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶୁକ୍ରବାର ମଧ୍ୟାହ୍ନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାମ୍ବାଦିକ ସମ୍ମିଳନୀ କରି ବାଗୀ ନେତାଙ୍କ କାର୍ଯ୍ୟକୁ ଭର୍ତ୍ସନା କରିଛନ୍ତି।  କିପରି ବାଗୀ ନେତାମାନେ ସେମାନଙ୍କ ସହ ମେଣ୍ଟ କରିଛନ୍ତି, ଯେଉଁମାନେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ନିଜ କଥା ରଖିବାରେ ବିଫଳ ହୋଇଛନ୍ତି ଓ ଆମ ପିଠିରେ ଛୁରା ମାଡ କରିଛନ୍ତି। ଯଦି ସେମାନେ ମୋ ଉପରେ ରାଗିଥିଲେ, ମୋ ସହ ଲଢନ୍ତୁ। କିନ୍ତୁ ମୁମ୍ବାଇର ହତ୍ୟା କରନ୍ତୁ ନାହିଁ। ଏଥିସହ ଉଦ୍ଧବ ନୂଆ ସରକାରକୁ ଆରେ ଜମି ସହ ଖେଳିବାକୁ କରିଛନ୍ତି ମନା। ନୂଆ ସରକାର ମେଟ୍ରୋ କାର ସେଡକୁ ଆରେ କଲୋନୀକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ତାଙ୍କୁ ମର୍ମାହତ କରିଛି।

ଆହୁରି ଉଦ୍ଧବ କହିଛନ୍ତି କି,  ଆମେ ବିକାଶକୁ ବିରୋଧ କରୁ ନାହୁଁ, କିନ୍ତୁ ନୂଆ ସରକାରକୁ ହାତଯୋଡି ମୋର ବିନମ୍ର ଅନୁରୋଧ, ମୁମ୍ବାଇର ପରିବେଶ ସହ ଖେଳା ନ ଯାଉ। ମୁମ୍ବାଇ ଉପରେ ରାଗ ସୁଝା ନ ଯାଉ। ଏଥିସହ ଏକନାଥଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ୨୦୧୯ରେ ବିଜେପି ପ୍ରତ୍ୟାକ୍ଷାନ କରିଥିବା କଥାକୁ ମନେ ପକାଇ ସେ କହିଛନ୍ତି, ବିଜେପି  ଯେପରି ଭାବେ ତଥାକଥିତ ଶିବ ସୈନିକଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ବସାଇଛି ତାହାକୁ ଏଡାଇ ଯାଇପାରିଥାନ୍ତି। ଅମିତ ସାହାଙ୍କୁ ମୁଁ ଏହି ପ୍ରସ୍ତାବ ପୂର୍ବରୁ ଦେଇଥିଲି। ଏସବୁ ଅତ୍ୟନ୍ତ ମାର୍ଜିତ ଓ ଉଚିତ ସମ୍ମାନର ସହ ହୋଇପାରିଥାନ୍ତା। ସେତେବେଳେ ଶିବସେନା ଅଧିକାରିକ ଭାବେ ବିଜେପି ସହ ଥିଲା। ସେତେବେଳେ ବିଜେପି ଜଣେ ଶିବସେନା ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିଥିଲେ ମହା ବିକାଶ ଅଘାଡିର ସୃଷ୍ଟି ହୋଇ ନ ଥାନ୍ତା ବୋଲି କହିଛନ୍ତି ଉଦ୍ଧବ। ଉଦ୍ଧବଙ୍କ ପ୍ରେସ ମିଟ ପୂର୍ବରୁ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ୨୦୧୯ କଥା ମନେ ପକାଇଥିଲେ ବିଜେପିକୁ।

Related Articles

Leave a Reply

Your email address will not be published.

Back to top button