କଡ଼ା ସୁରକ୍ଷା ବଳୟରେ ହେବ ଗଣତି

() ରାତି ପାହିଲେ ଫଳ। କଡା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗରୁମରେ ସିଲ୍ ହୋଇପଡ଼ିରହିଛି ଇଭିଏମ୍। ସିଲ୍ ଖୋଲିବ ଆଉ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହାକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଥିଲା ବେଳେ କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଭାରତୀୟ ନିର୍ବାଚନ ଆୟୋଗ ଗଣତିରେ ସ୍ୱଛତା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ନିର୍ବାଚନୀ ଇତିହାସରେ ପ୍ରଥମ ଘଟଣା। ଫଳାଫଳ ଘୋଷଣାର ଦିନକ ଆଗରୁ ପ୍ରେସମିଟ୍ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏଥର ୬୪୨ ମିଲିୟନ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ବିଶ୍ୱରେକର୍ଡ ରଚିଲେ। ଏହି ଐତିହାସିକ କ୍ଷଣକୁ ସ୍ଣରଣୀୟ କରିବାକୁ ଷ୍ଟାଣ୍ଡିଂ ଓଭେସନ୍ ଦେଇଥିଲେ ସିଇସି। ୪ଟି ଏମ୍ ମସଲ, ମନି, ମିସ-ଇନଫର୍ମେସନ ଓ ଏମସିସି ଉଲ୍ଲଂଘନକୁ ପ୍ରତିହତ କରି ଅବାଧ ନିର୍ବାଚନ ଉପରେ ଯେମିତି ପ୍ରାଥମିକତା ଦିଆଯାଇଥିଲା। ଅନୁରୂପ କାଉଣ୍ଟିଂରେ ସମସ୍ତ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ବି ଗଣତିରେ ସ୍ୱଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଛନ୍ତି ସିଇଓ। ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ। ସାଢ଼େ ୮ଟାରେ ଇଭିଏମ କାଉଣ୍ଟିଂ ହେବ। ମତଗଣନା ପାଇଁ ବ୍ୟାପକ ପ୍ରସ୍ତୁତି ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପ୍ରେସମିଟରେ ସିଇଓ ସୂଚନା ଦେଇଥିଲା ବେଳେ ପୁଲିସ ଫୋର୍ସ ମୁତୟନ ନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ଗଣତି କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନିଷେଧ କରାଯାଇଛି।

ସେପଟେ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷାବଳୟ ସହ ସିସିଟିଭି ନଜରରେ ରହିଛି ଇଭିଏମ।୨୪ ଘଣ୍ଟିଆ ପୁଲିସର ପ୍ରହରା ସହ ଷ୍ଟ୍ରଙ୍ଗରୁମକୁ ବି ଜଗି ବସିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟ। କାଳେ ଇଭିଏମ ଏପଟସେପଟ ହେବ, ସେ ଆଶଙ୍କାରେ ଅଛନ୍ତି ବିରୋଧୀ ଦଳ। କାଉଣ୍ଟିଂ ସେଣ୍ଟରରେ ସିଏପିଏଫ, ଏସଏପି, ସ୍ଥାନୀୟ ପୁଲିସ ନିୟୋଜିତ ହେବେ। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପର ଭାଇଜର, କାଉଣ୍ଟିଂ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ନିୟୋଜିତ ରହିବେ। ପ୍ରତି ରାଉଣ୍ଡର ଫଳାଫଳ ଡାକବାଜି ଯନ୍ତ୍ରରେ ଜଣାଇଦିଆଯିବାର ବ୍ୟବସ୍ଥା ହୋଇଛି। ଷ୍ଟ୍ରଙ୍ଗରୁମକୁ ବି ନିୟମିତ ବ୍ୟବଧାନରେ ଜିଲ୍ଲାପ୍ରଶାସନର ବରିଷ୍ଠ ଅଧିକାରୀ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି।

ସକାଳ ୮ଟାରୁ ଗଣତି ଆରମ୍ଭ। କିଭଳି ଗଣତି ସୁରୁଖୁରୁରେ ସମ୍ପନ୍ନ ହେବ, ତା ଉପରେ ପ୍ରାଥମିକତା ଦେଇ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *