ବିରୋଧୀଙ୍କ ସମର୍ଥନ ଲୋଡିଲେ ଦ୍ରୌପଦୀ ମୁର୍ମୁ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନସିପି ପ୍ରମୁଖ ସରଦ ପାଓ୍ୱାର ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ଦ୍ରୌପଦୀ। ଏହି ଆଲୋଚନା କାଳରେ ସେ ରାଷ୍ଟ୍ରପତି ନିର୍ବାଚନରେ ତିନି ନେତାଙ୍କ ସମର୍ଥନ ଲୋଡିଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କ ପ୍ରସ୍ତାବକ ହୋଇଛନ୍ତି। ନାମାଙ୍କନ କାଳରେ ବିଜେପି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି।

ସଂସଦ ଭବନରେ ଦ୍ରୌପଦୀ ନିଜ ନାମାଙ୍କନ ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନିତୀନ ଗଡକରି, ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କ ନାମାଙ୍କନ କାଳରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂହ ଓ ଆପନା ଦଳ-ଏସର ଅନୁପ୍ରିୟା ପଟେଲ ତଥା ଅନ୍ୟ ସହଯୋଗୀ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ।

ଏହି ସମୟରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିବା ବିଜେଡି ଓ ଓ୍ୱାଇଏସଆର କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ନମ୍ୱର ଥିବା ସତ୍ତ୍ୱେ ଦ୍ରୌପଦୀ ବିରୋଧୀ ନେତାଙ୍କୁ ସମର୍ଥନ ମାଗିଛନ୍ତି। ଏପରି କରି ବିଜେପି ଏକ ବଡ ରାଜନୈତିକ ସନ୍ଦେଶ ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି। ଏଠାରେ ଉଲ୍ଲେଖ ଯୋଗ୍ୟ, ବିରୋଧୀ ଦଳ ତରଫରୁ ସର୍ବସମ୍ମତି କ୍ରମେ ଦ୍ରୌପଦୀଙ୍କ ବିରୋଧରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଶବନ୍ତ ସିହ୍ନାଙ୍କୁ ଠିଆ କରାଯାଇଛି।

  • ଶିଳାସ୍ମିତା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *