ଆସ୍ଥା ଭୋଟରେ ବହୁମତରେ ହାରିଗଲେ ପ୍ରଚଣ୍ଡ

ନେପାଳରେ ରାଜନୈତିକ ଅସ୍ଥିରତା। ଚାରି ଥର ଆସ୍ଥା ଭୋଟରୁ ବର୍ତ୍ତିଯାଇଥିବା ପ୍ରଚଣ୍ଡ ସରକାରର ଏଥର ପତ୍ତନ ହୋଇଗଲା। ଶୁକ୍ରବାର ସଂସଦରେ ହୋଇଥିବା ଆସ୍ଥା ଭୋଟରେ ବହୁମତରେ ହାରିଗଲେ ପ୍ରଚଣ୍ଡ। ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ପ୍ରଚଣ୍ଡଙ୍କ ସପକ୍ଷରେ ମାତ୍ର ପଡ଼ିଥିଲା ୬୩ ଭୋଟ। ପ୍ରସ୍ତାବ ବିରୁଦ୍ଧରେ ପଡିଥିଲା ୧୯୪ ଖଣ୍ଡ ଭୋଟ୍। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍-ୟୁଏମଏଲ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେପାଳ କଂଗ୍ରେସ ସହ ହାତ ମିଳାଇବା ପରେ ପ୍ରଚଣ୍ଡ ସରକାରର ବଡ଼ ବିପର୍ଯ୍ୟୟ ଘଟିଲା। ନେପାଳ କଂଗ୍ରେସ ସଭାପତି ଶେର୍ ବାହାଦୂର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିସାରିଛନ୍ତି।

ଫ୍ଲୋର ଟେଷ୍ଟରେ ହାରିଗଲେ ପ୍ରଚଣ୍ଡ ସରକାର। ୨୦୨୨ ଡିସେମ୍ୱର ୨୫। ନେପାଳର ପ୍ରଧାନମନ୍ତ୍ରୀ ଭାବେ ପଦ ଗ୍ରହଣ କରିଥିଲେ ପୁଷ୍ପ କମଲ ଦହଲ ପ୍ରଚଣ୍ଡ। ଆଜି ଯାଏ ଅବଶ୍ୟ ପ୍ରଚଣ୍ଡ ୪ଟି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସବୁଠି ବର୍ତ୍ତିଯାଇଥିଲେ। ହେଲେ ଏଥର କ୍ଷମତାରୁ ଗଲେ। ଶୁକ୍ରବାର ସଂସଦରେ ୨୭୫ ଭୋଟରୁ ମାତ୍ର ୬୩ ଭୋଟ ପ୍ରଚଣ୍ଡ ସରକାରଙ୍କ ସପକ୍ଷରେ ପଡ଼ିଥିଲା। ବାକି ୧୯୪ ଭୋଟ୍ ପ୍ରସ୍ତାବ ବିରୁଦ୍ଧରେ ପଡ଼ିବାରୁ ପ୍ରଧାନମନ୍ତ୍ରୀ ପଦ ହରାଇଲେ ପ୍ରଚଣ୍ଡ। ଆସ୍ଥା ଭୋଟ ଜିତିବାକୁ ଅତି କମରେ ୧୩୮ ଭୋଟ ଆବଶ୍ୟକ ଥିଲା। ଗଲା ସପ୍ତାହରୁ ହିଁ ପ୍ରଚଣ୍ଡ ସରକାରର ପତ୍ତନ ନିଶ୍ଚିତ ବୋଲି ଜଣାପଡ଼ିସାରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ-ୟୁଏମଏଲ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଆଉ ଗୃହର ସବୁଠୁ ବଡ଼ ଦଳ ନେପାଳି କଂଗ୍ରେସ ସହ ସରକାର କରିବାକୁ ଚୁକ୍ତି କରିଥିଲା। ଆଉ ଏଭଳି ରାଜନୈତିକ ସଙ୍କଟ ଭିତରେ ପ୍ରଚଣ୍ଡ ସରକାରର ପତନ ଅବଶ୍ୟମ୍ଭାବୀ ଥିଲା। ଆସ୍ଥା ଭୋଟରେ ହାରିବା ପରେ ବାଚସ୍ପତି ଦେବ ରାଜ ଧିମିରେ ଘୋଷଣା କରିଥିଲେ ଯେ, ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଆସ୍ଥା ଭୋଟରେ ବହୁମତ ବିଶ୍ୱାସ ରଖିପାରିଲେନି।

ସେପଟେ ନେପାଳୀ କଂଗ୍ରେସ ସଭାପତି ଶେର୍ ବାହାଦୂର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିସାରିଛନ୍ତି। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲି ଓ ନେପାଳୀ କଂଗ୍ରେସ ସଭାପତି ଶେର୍ ବାହାଦୂର ପାଳି କରି ଦେଢ଼ ବର୍ଷ ଲେଖାଏଁ ପ୍ରଧାନମନ୍ତ୍ରୀ ରହିବେ ବୋଲି ଚୁକ୍ତି ହୋଇଛି। ଶୁକ୍ରବାର ପ୍ରଚଣ୍ଡ ସରକାର ଭାଙ୍ଗିବା ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ପାଖରେ ୧୬୫ ସାଂସଦଙ୍କ ସମର୍ଥନ ପତ୍ର ସହ ନୂଆ ସରକାର ଗଠନ ଲାଗି ଦାବି କରିଛନ୍ତି ଓଲି। ସିପିଏନ-ୟୁଏମଏଲ ଦଳର ୭୭ ଓ ନେପାଳି କଂଗ୍ରେସର ୮୮ ସାଂସଦଙ୍କ ସମର୍ଥନ ରହିଛି ବୋଲି ଦାବି କରିଛନ୍ତି। ଏହି ଗଠବନ୍ଧନ ସରକାରରେ ଆଉ କିଛି ଛୋଟ ଦଳଙ୍କ ସମର୍ଥନ ରହିଛି। ପ୍ରଚଣ୍ଡଙ୍କ ଦଳରେ ୩୨ ସାଂସଦ ଅଛନ୍ତି। ଓଲିଙ୍କ ସମର୍ଥନରେ ଡିସେମ୍ୱର ୨୫, ୨୦୨୨ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ପ୍ରଚଣ୍ଡ।

୧୯ ମାସ ହେଲା ପ୍ରଚଣ୍ଡ ସରକାରରେ କିଛି ଠିକ୍ ଚାଲିନଥିଲା ବୋଲି ଚର୍ଚ୍ଚା ହେଉଥିଲା। ଜୁଲାଇ ୧ରେ ରଣନୀତି ଓ ଜୁଲାଇ ୩ରେ ସହଯୋଗୀ ଦଳ ହାତ ଛାଡ଼ିଦେଲା। କ୍ଷମତା ଚୌକିରୁ ଯିବାର ଦିନକ ଆଗରୁ ନେପାଳ-ଚୀନ୍ ରେଳ ଡିଲ୍ ଉପରେ ଦସ୍ତଖତ କରିଥିଲେ ପ୍ରଚଣ୍ଡ। ଯଦିଓ ବ୍ୟବସାୟିକ କାରବାର ଲାଗି ଏହି ଡିଲ୍ ମହତ୍ତ୍ୱ ରଖୁଛି। ଏହି ଚୁକ୍ତି ବଳରେ ନେପାଳ ପହଞ୍ଚିବା ଚୀନ ଲାଗି ସହଜସାଧ୍ୟ ହେବ। କିନ୍ତୁ ଓଲି ସରକାର ଏହାକୁ ଅନୁପାଳନ କରିବେ କି। ଭାରତ କଥାରେ ଓଲି ଏହି ଚୁକ୍ତିକୁ ବାତିଲ୍ କରିବେ କି। ଏମିତିରେ ଚୀନ ସମର୍ଥକ ଭାବେ ଜଣାଶୁଣା ଓଲି। ଓଲିଙ୍କ ହାତକୁ କ୍ଷମତା ଆସିବା ପରେ ଏମିତି ତମାମ ପ୍ରଶ୍ନ ନୂଆ ସରକାରର ଆଗମନକୁ ନେଇ ବି ଉଙ୍କି ମାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *