ଓ୍ୱାଇଏସଆରସିପି ଅଫିସକୁ ମାଟିରେ ମିଶାଇଲେ ନାଇଡ଼ୁ

Spread the love

ଆନ୍ଧ୍ରରେ କ୍ଷମତାରୁ ଗଲା ପରେ ଓ୍ୱାଇଏସଆରସିପି ଉପରେ ପଡ଼ିଛି ଚଡ଼କ। ଗୁଣ୍ଟୁରରେ ଥିବା ୱାଇଏସଆରସିପିର ନିର୍ମାଣଧୀନ ଅଫିସରେ ବୁଲିଛି ବୁଲଡୋଜର। ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭେଲପମେଣ୍ଟ ଅଥୋରିଟି ଓ ମଙ୍ଗଳାଗିରି ତଡ଼େପାଲି ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ ପୁଲିସ ଉପସ୍ଥିତିରେ ଭାଙ୍ଗିଛନ୍ତି ଅଫିସ। ଜବରଦଖଲ ସହ ବେଆଇନ ନିର୍ମାଣ ଅଭିଯୋଗରେ ଓ୍ୱାଇଏସଆରସିପି ଅଫିସ ଭଙ୍ଗାହୋଇଥିଲା ବେଳେ ଏହା ପଛରେ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି କହିଛି ଓ୍ୱାଇଏସଆରସିପି। କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓ୍ୱାଇଏସଆରସିପି।

ଦୀର୍ଘ ୩୧ ମାସ ପରେ ଶୁକ୍ରବାର ଆନ୍ଧ୍ର ବିଧାନସଭାକୁ ଫେରିଥିଲେ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ବିଧାନସଭାକୁ ଫେରିବେ ବୋଲି ୨୦୨୧ ନଭେମ୍ୱର ୧୯ରେ ପ୍ରତିଜ୍ଞା କରିଥିଲେ ନାଇଡ଼ୁ। ସେ ସମୟରେ କ୍ଷମତାରେ ଥିବା ଓ୍ୱାଇଏସଆରସିପି ନାଇଡ଼ୁଙ୍କ ପତ୍ନୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେବାରୁ ଗୃହ ବର୍ଜନ କରିଥିଲେ। ମହାଭାରତରେ ଦ୍ରୌପଦୀ ଅପମାନିତ ହେବାକୁ ଉଲ୍ଲେଖ କରି ନାଇଡୁ କହିଥିଲେ, ବିଧାନସଭା ଏବେ କୌରବ ସଭାରେ ପରିଣତ ହୋଇଛି। ଆଉ ପ୍ରତିଜ୍ଞା ମୁତାବକ ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ବିଧାନସଭାକୁ ଫେରିଛନ୍ତି ନାଇଡ଼ୁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଜର ଚତୁର୍ଥ ଇନିଂସ ଆରମ୍ଭ କରିଛନ୍ତି। ୧୭୫ ଆସନରୁ ଟିଡିପି ୧୩୫ ଆସନରେ ଏଥର ଜିତିଛି। ତେବେ ନାଇଡ଼ୁ ସିନା ନିଜର ପ୍ରତିଜ୍ଞା ରଖିଲେ। ହେଲେ ଏହା ସହ କୁଆଡ଼େ ପ୍ରତିଶାଧ ପରାୟଣ ରାଜନୀତି ଆପଣାଇଥିବା ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଶନିବାର ସକାଳୁ ଗୁଣ୍ଟୁରରେ ଥିବା ଓ୍ୱାଇଏସଆରସିପିର ନିର୍ମାଣଧୀନ ଅଫିସ ଉପରେ ବୁଲିଥିଲା ବୁଲଡୋଜର। ୮୭୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମାଣଧୀନ ଏହି ଅଫିସ ଯେଉଁଠି ଛିଡ଼ା ହୋଇଛି, ତାହା କୁଆଡ଼େ ଜବରଦଖଲ ସହ ବେଆଇନ ନିର୍ମାଣ ହେଉଥିଲା।

ଆନ୍ଧ୍ରପ୍ରଦେଶ କ୍ୟାପିଟାଲ ରିଜିଅନ ଡେଭେଲପମେଣ୍ଟ ଅଥୋରିଟି ବା ଏପିସିଆରଡିଏ ଓ ମଙ୍ଗଳାଗିରି ତଡ଼େପାଲି ମ୍ୟୁନିସିପାଲ କର୍ପୋରେସନ ବା ଏମଟିଏମସି ମିଳିତ ଭାବେ ପୁଲିସ ଉପସ୍ଥିତିରେ ଭାଙ୍ଗିଛନ୍ତି ଅଫିସ। ଓ୍ୱାଇଏସଆରସିପି ବି ଆନ୍ଧ୍ର ହାଇକୋର୍ଟରେ ଏ ନେଇ ଏକ ରିଟ୍ ପିଟିସନ ଦାଖଲ କରିଥିଲା। ଶୁଣାଣୀ ସମ୍ପୂର୍ଣ୍ଣ ନ ହେଲା ଯାଏ ଏହା ଉପରେ ରହିତାଦେଶ ଜାରି କରିବାକୁ ଆବେଦନ କରିଥିଲା। ରାଜ୍ୟ ସରକାର, ସିଆରଡିଏ ଓ ଏମଟିଏମସି ଯେମିତି କୌଣସି ପଦକ୍ଷେପ ନେବେନି, ତା ଉପରେ ନିର୍ଦେଶ ଦେବାକୁ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଦଳ। ନିର୍ମାଣଧୀନ ଅଫିସ ଭାଙ୍ଗିବା ଉପରେ ରୋକ୍ ଲାଗୁ। କାରଣ ଓ୍ୱାଇଏସଆରସିପିର ପକ୍ଷକୁ ନ ଶୁଣି ସିଆରଡିଏ ଏକପାଖିଆ ଏହି କାର୍ଯ୍ୟାନୁଷ୍ଠାନ ନେଉଛି। ଶନିବାର ଦଳ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ଯେ, ହାଇକୋର୍ଟଙ୍କ ନିର୍ଦେଶକୁ ଅବମାନନା କରି ତଡ଼େପାଲିରେ ନିର୍ମାଣଧୀନ ଦଳର ସେଣ୍ଟ୍ରାଲ ଅଫିସକୁ ଭାଙ୍ଗିଦିଆଗଲା। ରାଜ୍ୟ ଇତିହାସରେ ଏହା ପ୍ରଥମ ଘଟଣା। ଭୋର ସାଢେ ୫ଟାରେ ବୁଲଡୋଜର ଲଗାଇ ରାଜ୍ୟ ସରକାର ଯେଉଁଭଳି ଆକ୍ରୋଶମୂଳକ ପଦକ୍ଷେପ ନେଲେ, ତାହା ନିନ୍ଦନୀୟ। ଉଛେଦ ଓ ଭାଙ୍ଗିବା ଉପରେ କୋର୍ଟ ଅଙ୍କୁଶ ଲଗାଇଥିଲେ। କୋର୍ଟଙ୍କ ନିର୍ଦେଶକୁ ବି ଦଳର ଓକିଲ ସିଆରଡିଏ କମିଶନରଙ୍କୁ ଅବଗତ କରାଇଥିଲେ। କୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ସିଆରଡିଏ କିଛି ଶୁଣିଲାନି ଆଉ ଅଫିସ ଭାଙ୍ଗିଦେଲା। ଯାହାକି କୋର୍ଟର ଅବମାନନା। ଏହା ଉପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ ଦଳ। ଏହା ନାଇଡ଼ୁ ସରକାରଙ୍କ ପ୍ରତିଶୋଧପରାୟଣ ରାଜନୀତି ବୋଲି ଆରୋପ ଲଦିଛି ଓ୍ୱାଇଏସଆରସିପି।

ଓ୍ୱାଇଏସଆରସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କହିଛନ୍ତି, ନିର୍ବାଚନ ପରେ ଅନେକ ହିଂସାଜନିତ ଘଟଣା ଘଟିଲାଣି। ଏହା ସଙ୍କେତ ଦେଇସାରିଲାଣି ଯେ, ଆସନ୍ତା ୫ ବର୍ଷ ନାଇଡ଼ୁ ସରକାରଙ୍କ ଶାସନ କେମିତି ହେବ। କିନ୍ତୁ ଏଭଳି ଧମକ, ଆକ୍ସନ ଓ ହିଂସାରେ ନା ଓ୍ୱାଇଏସଆରସିପି ଡରିବ ନା ପଛକୁ ହଟିବ। ଜନତାଙ୍କ ସହ ସବୁବେଳେ ଛିଡ଼ାହୋଇଥିଲୁ, ଅଛୁ ଓ ରହିବୁ। ଦେଶର ସମସ୍ତ ଗଣତାନ୍ତ୍ରିକ ଦଳକୁ ଜଗନ ଅନୁରୋଧ କରିଛନ୍ତି ଯେ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ଏଭଳି ଆକ୍ରୋଶମୂଳକ ଆକ୍ସନକୁ ନିନ୍ଦା କରନ୍ତୁ।

ଏହା ପୂର୍ବରୁ ଜୁନ୍ ୧୫ରେ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ବା ଜିଏଚଏମସି ତେଲେଙ୍ଗାନାରେ ଜଗନମୋହନ ରେଡ୍ଡୀଙ୍କର ଲୋଟସ ପୋଖରୀ ନିବାସ ପାଖରେ ଥିବା ଫୁଟପାଥ ଉପରେ ଟାଇଲ ବିଛାଇବା କାମକୁ ବେଆଇନ ଦର୍ଶାଇ ନିର୍ମାଣକୁ ମାଟିରେ ମିଶାଇଦେଇଥିଲା। ମୁଖ୍ୟମନ୍ତ୍ରୀ ପଦରୁ ହଟିବାର ୧୦ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ଜିଏଚଏମସି।

Leave a Reply

Your email address will not be published. Required fields are marked *