କିଏ ହେବ କଂଗ୍ରେସର ପିସିସି ସଭାପତି ?

ବିନା ମଙ୍ଗୁଆଳରେ ଚାଲିଛି ଓଡ଼ିଶା କଂଗ୍ରେସ। ସପ୍ତାହେ ହେଲାଣି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମସ୍ତ କମିଟିକୁ ଭାଙ୍ଗିଦେଲାଣି ଏଆଇସିସି। ସଭାପତି ପଦରୁ ଶରତ ପଟ୍ଟନାୟକ ଗଲା ରବିବାରରୁ ବିଦା ହୋଇସାରିଲେଣି। ପ୍ରଥମ ଥର ପାଇଁ ବିଦାୟୀ ପିସିସି ସଭାପତିଙ୍କୁ ଦଳ ପାଇଁ ତାଙ୍କର କାମ ଓ ଅବଦାନ ଲାଗି ଧନ୍ୟବାଦ ବି ଦେଲାନି ଏଆଇସିସି। ଶରତ ଗଲା ପରେ ମୁରବୀ ଶୂନ୍ୟ ଦଳରେ କିଏ ମଙ୍ଗୁଆଳ ସାଜିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ପାଇଁ ଆଶାୟୀ ଥିବା ତାରାପ୍ରସାଦ ବାହିନୀପତି ନିରାଶ ହେବା ପରେ ଏବେ କହିଲେଣି, ସପ୍ତଗିରି ଉଲ୍ଲାକା ସଭାପତି ହେବା ଜରୁରୀ। ସପ୍ତଗିରିଙ୍କ ସମର୍ଥନରେ ସେ ଏଆଇସିସିକୁ ବି ଚିଠି ଲେଖିବେ। ଏମିତିରେ ସପ୍ତଗିରିଙ୍କ ପାଇଁ ହିଁ ବାହିନୀପତିଙ୍କ ଆଶା ମଉଳିଥିଲା ଓ ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା ହୋଇପାରିଲେ। ସପ୍ତଗିରି- ବାହିନୀପତି ବିବାଦ ଆଉ କାହାରିକୁ ଅଛପା ନାହିଁ। ସପ୍ତଗିରିଙ୍କ ଭଳି ଜୁନିଅରଙ୍କ ନେତୃତ୍ୱକୁ କେମିତି ବରଦାସ୍ତ କରିବେ ବାହିନୀପତି। ଏପ୍ରଶ୍ନର ଉତ୍ତରରେ ବାହିନୀପତି କହିଛନ୍ତି ଯେମିତି ବିଧାନସଭାରେ କାଡ଼ାମଙ୍କ ନେତୃତ୍ୱରେ କାମ କରୁଛି ସେମିତି କରିବି।

ସେପଟେ ମଙ୍ଗୁଆଳ ରେସରେ ଥିବା ଭକ୍ତ ଦାସ ତ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ଲାଗି ପ୍ରାରମ୍ଭରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଥିଲେ। ଆଉ ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, କିଏ ପିସିସି ସଭାପତି ହେବ ଏଆଇସିସି ନିଷ୍ପତ୍ତି ନେବ। ବ୍ୟକ୍ତିଗତ ଇଛା ଓ ଦଳଗତ ଇଛା ଭିନ୍ନ। ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରକୁ ଆସିବାକୁ ପ୍ରୟାସ କରିପାରୁଥିବ, ସେଭଳି ଲୋକଙ୍କୁ ଦଳ ବାଛିବ ଓ ସଭାପତି କରିବ। ବାହିନୀପତିଙ୍କ ଅନୁଗତ ବିଧାୟକ ରମେଶ ଜେନା କହିଛନ୍ତି, ଏଆଇସିସି ଯାହା ନାଁରେ ମୋହର ମାରିବ, ସେ ତାଙ୍କୁ ସମର୍ଥନ କରିବେ। ସଭାପତିଙ୍କ ଦକ୍ଷତା, ନେତୃତ୍ୱ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ମାନସିକତା ଥିବା ଦରକାର। କଂଗ୍ରେସ ଏକଜୁଟ ଅଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, କଂଗ୍ରେସ ନେତାଙ୍କ ଭିତରେ କୌଣସି ମତାନ୍ତର ନାହିଁ। ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ମିଳିମିଶି କାମ କରିବୁ। ବାପାଙ୍କ ଭଳି ପରିଶ୍ରମୀ ନେତା ପିସିସି ସଭାପତି ହେବା ଦରକାର ବୋଲି କହିଛନ୍ତି ମହମ୍ମଦ ମୋକିମଙ୍କ ଝିଅ ବିଧାୟିକା ସୋଫିଆ ଫିର୍ଦ୍ଦୋସ।

ରାଜ୍ୟରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର କାରଣ ଓ ସମୀକ୍ଷା କରିବାକୁ ଖୁବ ଶୀଘ୍ର ଆସୁଛନ୍ତି ଦୁଇ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଶରତ ଓ ଅଜୟଙ୍କ ବିରୁଦ୍ଧରେ ୨୦ରୁ ଉର୍ଦ୍ଧ୍ୱ ପରାଜିତ ପ୍ରାର୍ଥୀ ଏଆଇସିସିରୁ ଆସିଥିବା ପାଣ୍ଠି ହେରଫେର୍, ଟିକଟ ଚୟନରେ ପାତରଅନ୍ତର ଆଦି ସାଙ୍ଘାତିକ ଆରୋପ ଆଣିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *